ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏହାରି ମଧ୍ୟରେ ଗୁରୁବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଦୁଇଟି ଟିମ୍ ଶାହାରୁଖଙ୍କ ମୁମ୍ଵାଇସ୍ଥିତ ମନ୍ନତ୍ ବଙ୍ଗଳା ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରକୁ ଯାଇ ତଲାସୀ କରୁଛି।କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଆର୍ଯ୍ୟନ ଜେଲ୍‌ରେ ରହିବା ଦିନଠୁ ଶାହାରୁଖଙ୍କ ବାସଭବନ ମନ୍ନତ ଏନ୍‌ସିବିର ରାଡାରରେ ଥିଲା। ଯେକୌଣସି ମୁହୂର୍ତ୍ତରେ ଏହା ଉପରେ ଚଢ଼ାଉ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ତାହା ହିଁ ହୋଇଛି।ସବୁଠାରୁ ବଡ଼ କଥା ହେଲା ଅଭିନେତା ଶାହାରୁଖ ଖାନ୍ ଗୁରୁବାର ପୁଅ ଆର୍ଯ୍ୟନଙ୍କୁ ଭେଟିବାକୁ ଆର୍ଥର ଜେଲ୍ ଯାଇଛନ୍ତି। ଏହି ସମୟରେ ହିଁ ଏନ୍‌ସିବି ମନ୍ନତରେ ପଶିଛି। ତେଣୁ ଏନ୍‌ସିବିକୁ ଡ୍ରଗ୍ସ ମାମଲରାରେ କିଛି ଠୋସ୍ ପ୍ରମାଣ ମିଳିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଏନସିବିର ଏକ ଟିମ୍‌ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ ତଲାସୀ କରିଛି। ଏଥିସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ଅପରାହ୍ନରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ ସମନ କରିଛି। ତେଣୁ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ସହ ସେ ମଧ୍ୟ ସାମିଲ ଥିବା କୁହାଯାଉଛି।ଅନନ୍ୟା ପାଣ୍ଡେ ହେଉଛନ୍ତି ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ୨୦୧୯ରେ ଷ୍ଟୁଟେଣ୍ଟ୍‌ସ ଅଫ୍ ଦି ଇୟର ଫିଲ୍ମ ଜରିଆରେ ବି-ଟାଉନରେ ପାଦ ରଖିଥିଲେ। ତେବେ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ପୂର୍ବ ଶୁଣାଣି ବେଳେ ଏନ୍‌ସିବି ପକ୍ଷରୁ ଆର୍ଯ୍ୟନ ଏବଂ ଜଣେ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା ଚାଟ୍ ମେସେଜଗୁଡ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ସେହି ଅଭିନେତ୍ରୀଜଣକ କିଏ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଅନନ୍ୟା ପାଣ୍ଡେ ହୋଇଥିବା ନେଇ ଆଲୋଚନା ଜୋର୍ ଧରିଛି।

Comment