ଓଡ଼ିଶାଲାଇଭ୍ ବ୍ୟୁରୋ
ଡ୍ରଗ୍ସ ଲିଙ୍କ୍ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାଁ ଆସିବା ପରେ ଆଜି ସେ ମୁମ୍ବାଇସ୍ଥିତ ଏନ୍ସିବି ଅଫିସ୍ରେ ହାଜର ହୋଇଛନ୍ତି। ଏଠାରେ ତାଙ୍କୁ ଡ୍ରଗ୍ସ କାରବାର ନେଇ ଏନ୍ସିବି ପଚରାଉଚରା କରିବ। ବର୍ତ୍ତମାନ ଦୀପିକା ପାଦୁକୋନ୍ଙ୍କୁ ମଧ୍ୟ ଏନ୍ସିବି ଜେରା କରୁଛି।
ଦୀପିକା ଓ ଶ୍ରଦ୍ଧାଙ୍କ ବ୍ୟତୀତ ସାରା ଅଲ୍ଲୀ ଖାନ୍ଙ୍କୁ ମଧ୍ୟ ଆଜି ଏନ୍ସିବି ଜେରା କରିବ। ତେବେ କିଛି ସମୟ ପରେ ସାରା ଏନ୍ସିବି ଅଫିସ୍ରେ ପହଞ୍ଚିବା ନେଇ ସୂଚନା ମିଳିଛି।
ଗତକାଲି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନ୍ସିବି ଜେରା କରିଥିଲା। ତେବେ ଆଜି ମଧ୍ୟ କରିସ୍ମାଙ୍କୁ ଜେରା କରାଯାଉଛି। କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ସହ ଡ୍ରଗ୍ସ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଥିଲା ଏନ୍ସିବି। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ପୂର୍ବରୁ ଗିରଫ ହୋଇଛନ୍ତି। ରିୟାଙ୍କୁ ଜେରା କରିବା ପରେ ବଲିଉଡର ଅନେକ ବଡ଼ ବଡ଼ କଳାକାର ଡ୍ରଗ୍ସ ସହ ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଥିଲା।

















