ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି।

ଏହି ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ, ପୀଡ଼ିତାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗଳାକୁ ଚିପି ତାଙ୍କୁ ମାରିବାକୁ ଚେଷ୍ଟା କରାଯାଇଥିଲା। ଏକାଧିକ ଥର ତାଙ୍କ ଗଳାକୁ ଦୁଷ୍କର୍ମକାରୀମାନେ ଚିପିବାକୁ ଉଦ୍ୟମ କରିଥିଲେ। ଏହାଫଳରେ ତାଙ୍କ ବେକ ହାଡ଼ ମଧ୍ୟ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ତେବେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ପୋଷ୍ଟମର୍ଟମ ରିପୋର୍ଟରୁ କୌଣସି କଥା ଉଲ୍ଲେଖ କରାଯାଇନାହିଁ। ଭିସରା ରିପୋର୍ଟ ମିଳିବା ପରେ ହିଁ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।

ପୋର୍ଟମର୍ଟମର ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧୪ ତାରିଖ ସକାଳ ୯ଟା ସମୟରେ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ଅଲିଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ୨୮ ତାରିଖ ବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ତାଙ୍କୁ ଏହାପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ସେ ୨୯ ତାରିଖ ସକାଳ ୬.୫୫ ମିନିଟରେ ପ୍ରାଣ ହରାଇଛନ୍ତି।

ଣ ଥିଲା ଘଟଣା?

ସେପ୍ଟେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସଠାରେ ଉଚ୍ଚ ଜାତିର ୪ ଜଣ ଯୁବକ ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ନିଜ ଗାଁ କ୍ଷେତରେ ଘାସ କାଟୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହିତ ମୁମୂର୍ଷ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।

ଯୁବତୀଙ୍କ ମା’ ତାଙ୍କ ଝିଅକୁ ଖୋଜି ଖୋଜି ଯାଇ ତାଙ୍କୁ ବାଜରା କ୍ଷେତରେ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ପୋଲିସରେ ସେମାନେ ଅଭିଯୋଗ କରିଥିଲେ। ପୋଲିସ୍ କିନ୍ତୁ ପ୍ରାଥମିକ ଅବସ୍ଥାରେ ସଠିକ୍ ଭାବେ ତଦନ୍ତ କରିନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୁଷ୍କର୍ମକାରୀମାନେ ଯୁବତୀ ଜଣକର ମେରୁହାଡ଼ ଓ ଜିଭ କାଟିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here