ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ମଝିରୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ସପ୍ତାହରେ ଭୁବନେଶ୍ୱର କୁମାର ଓ ଅମିତ ମିଶ୍ର ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଥିବାବେଳେ ଏବେ କେକେଆର୍ ଦଳର ପେସ୍ ବୋଲର ଅଲ୍ଲୀ ଖାନ୍ ମଧ୍ୟ ଆଇପିଏଲରୁ ଆହତ ସମସ୍ୟା ଯୋଗୁଁ ବାଦ୍ ପଡ଼ିଛନ୍ତି।
ଅଲ୍ଲୀ ଖାନ୍ ହେଉଛନ୍ତି ପ୍ରଥମ ଆମେରିକୀୟ ଖେଳାଳି ଯିଏ ଆଇପିଏଲ୍ ଖେଳିବାକୁ ମନୋନୀତ ହୋଇଥିଲେ। କୋଲକାତା ନାଇଟ ରାଇଡର୍ସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ହେଲେ ସେ ପ୍ରାକ୍ଟିସ୍ କରୁଥିବାବେଳେ ଆହତ ହୋଇଛନ୍ତି। ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ କୁହାଯାଇଛି। ତେଣୁ ସେ ଚଳିତବର୍ଷ ଆଇପିଏଲର ଆଗାମୀ କୌଣସି ମ୍ୟାଚ୍ ଖେଳିବେନି।ଅଲ୍ଲୀ ଖାନ୍ ଏପର୍ଯ୍ୟନ୍ତ ଆଇପିଏଲରେ ପଦାର୍ପଣ କରିନଥିଲେ। ହେଲେ ନିକଟରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ନେଇ ଆଶା କରାଯାଉଥିଲା। ହେଲେ ଏହି ଆଶା ଏବେ ସେହି ଆଶା ରହିଯାଇଛି। ଅଲ୍ଲୀ ଖାନଙ୍କ ଆହତ ହେବା ଦଳକୁ ଏକ ଝଟକା ବୋଲି ମଧ୍ୟ କୁହାଯାଉଛି।
ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଅମିତ ମିଶ୍ରା ମଧ୍ୟ ଆହତ ହୋଇ ଆଇପିଏଲରୁ ବାଦ ପଡ଼ିସାରିଛନ୍ତି।