ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଗତ ମାସ ୩୦ରେ ଝାରସୁଗୁଡାରେ ହେବାକୁଥିବା ଜନଶୁଣାଣି ଉପରେ ପ୍ରଥମେ ହାଇକୋର୍ଟ ରୋକ୍ ଲଗାଇଥିଲେ। କିନ୍ତୁ ପରଦିନ ଅଧ୍ୟାଦେଶରେ ସାମାନ୍ୟ ପରିବର୍ତ୍ତନ କରି ଜନଶୁଣାଣି ହୋଇପାରିବ ବୋଲି ଅଦାଲତ କହିଥିଲେ। କିନ୍ତୁ ଏବେ ଏହି ମାମଲାର ଭାଗ୍ୟ, ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅଧ୍ୟାଦେଶରେ ସ୍ପଷ୍ଟ କରିଛନ୍ତି।

ଏବେ ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ଆବେଦନକାରୀ ତାଙ୍କ ସ୍ମାରକପତ୍ର ବା ରିପ୍ରେଜେଣ୍ଟେସନ୍ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଅଦାଲତଙ୍କ ଅଧ୍ୟାଦେଶ ପାଇବାର ୩ଦିନ ମଧ୍ୟରେ ପ୍ରଦାନ କରିବାକୁ କହିଛନ୍ତି। ଏହି ରିପ୍ରେଜେଣ୍ଟେସନ୍ ଆଧାରରେ ଜିଲ୍ଲାପାଳ ଆଉ ଥରେ ‘ଜନଶୁଣାଣି’ ପାଇଁ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ ଆର୍ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।ବେଦାନ୍ତ ତା’ର ବାର୍ଷିକ ଉତ୍ପାଦନ ୧୬ ଲକ୍ଷ ମେଟ୍ରିକ୍ ଟନରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟର କ୍ଷମତା ୧୨୧୫ ମେଗାୱାଟ୍‌କୁ ବୃଦ୍ଧି କରିବାକୁ ଯାଉଛି। ଏଥିପାଇଁ ବୃନ୍ଦାମାଳ, କଟିକେଲା, ପୂର୍ଣ୍ଣ ଏବଂ କୁରେବାଗ ଗ୍ରାମରେ ଜମି ଅଧିଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବୃନ୍ଦାମାଳ ଗ୍ରାମ ସହ ସ୍ଥାନୀୟ ଆଉ କେତୋଟି ଗ୍ରାମ ଏଥିରେ ପ୍ରଭାବିତ ହେବ ବୋଲି ଦର୍ଶାଇ ସୁବ୍ରତ ଭୋଇ ଏବଂ ତେଜରାଜ କୁମୁରା ନାମକ ଦୁଇ ଯୁବକ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।  ଗତ ମାସ ୨୭ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ୩୦ ତାରିଖରେ ଡାଲକି କୁରେବାଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାୟାଳୟରେ ଜନଶୁଣାଣି କରାଯିବ ବୋଲି କୁହାଯାଇଥିଲା।ଏହି ଜନଶୁଣାଣି ବର୍ତ୍ତମାନ ଲାଗି ବନ୍ଦ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଜନଶୁଣାଣି ହୋଇପାରିବ ବୋଲି ଅଧ୍ୟାଦେଶ ଦେବା ସହ ପ୍ରତିପକ୍ଷଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଯେଉଁ ଜନଶୁଣାଣି ହୋଇଥିଲା ଏଥିରେ ମାତ୍ର ୯୦ ଜଣ ଲୋକ ଭାଗ ନେଇଥିଲେ। ଯେଉଁଠି ୫ଟି ଗ୍ରାମରେ ୧୦ ହଜାର ଲୋକ ଅଛନ୍ତି ସେଠି ମାତ୍ର ଏତିକି ଲୋକରେ ଜନଶୁଣାଣି ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here