ଓଡ଼ିଶାଲାଇଭ୍ ବ୍ୟୁରୋ

ପତ୍ନୀଙ୍କ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ। ସାହାଯ୍ୟ ମାଗିଲେ ବି କେହି ଶୁଣୁନାହାନ୍ତି। ତଥାପି ମନୋବଳ ହରାଇ ନଥିଲେ ସ୍ଵାମୀ। ଯେମିତି ହେଲେ ସ୍ତ୍ରୀକୁ ବଡ଼ ମେଡିକାଲ ନେଇକି ଯିବାକୁ ପଡ଼ିବ। ଆମ୍ଵୁଲାନ୍ସର ସୁବିଧା ବି ହୋଇପାରିଲାନି। ତେଣୁ ପୁରୀ ଜିଲ୍ଲାରୁ କଟକ ବଡ଼ ମେଡିକାଲ ପାଖାପାଖି ୭୦ କିଲୋମିଟରର ଲମ୍ଵା ପଥକୁ ଟ୍ରଲିରେ ଅତିକ୍ରମ କରିଥିଲେ ଜଣେ ସ୍ଵାମୀ। ମାତ୍ର ଦଇବର ନିୟମକୁ ବା କିଏ ବଦଲାଇ ପାରିବ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କର ମୃତ୍ୟୁ ହୋଇଛି।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ଗ୍ରାମର କବୀର ଭୋଇ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ ଘରଠାରୁ ୭୦ କିଲୋମିଟରର ଲମ୍ଵା ରାସ୍ତା ଅତିକ୍ରମ କରିଛନ୍ତି ଟ୍ରଲିରେ। କବୀରଙ୍କ କହିବା ଅନୁସାରେ ପତ୍ନୀ ସୁକାନ୍ତି ଭୋଇ ୧୦ ଦିନ ତଳେ ରୋଗରେ ପଡ଼ିଥିଲେ।

ଚିକିତ୍ସା ପାଇଁ ତାଙ୍କୁ ସେ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ୫ ଦିନ ଧରି ପତ୍ନୀଙ୍କ ଚିକିତ୍ସା ଚାଲିଥିଲା। ତେବେ ପତ୍ନୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ବହୁ ଚେଷ୍ଟା ସତ୍ତ୍ଵେ ସରକାରୀ ଆମ୍ଵୁଲାନ୍ସ ସେବା ମିଳିପାରିନଥିଲା।ଏହାପରେ କବୀର ଏକ ଅଟୋରିକ୍ସାରେ ଯିବା ପାଇଁ ଅଟୋ ଚାଳକ ସହ ଯୋଗାଯୋଗ କରିଥିଲେ। ତେବେ ପୁରୀରୁ କଟକ ଯିବା ପାଇଁ ୧୨୦୦ ଟଙ୍କା ଭଡ଼ା ମାଗିଥିଲେ ଅଟୋ ଚାଳକ। ଟ୍ରଲି ଚଲାଇ କୁଟୁମ୍ଵ ପୋଷୁଥିବା କବୀରଙ୍କ ପାଇଁ ଏହି ଅର୍ଥ ଭରଣା କରିବା ମୁସ୍କିଲ ଥିଲା। ତେଣୁ ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ  ଦୃଢ଼ ସଂକଳ୍ପ କରିଥିବା କବୀର ଶେଷରେ ଟ୍ରଲିରେ ସୁକାନ୍ତିଙ୍କୁ କଟକ ନେବା ପାଇଁ ଠିକ୍ କରିଥିଲେ।

ଶୁକ୍ରବାର ରାତିରେ ପୁରୀରୁ ଟ୍ରଲିରେ ପତ୍ନୀଙ୍କୁ ଧରି କଟକ ପାଇଁ ଯାତ୍ରା ଆରମ୍ଭ କରିଥିଲେ କବୀର। ଦୀର୍ଘ ୮ ଘଣ୍ଟାର ଲମ୍ଵା ଯାତ୍ରାପରେ ଶନିବାର କଟକ ଖାନ ନଗରରେ ପହଞ୍ଚିବା ପରେ ସ୍ଥାନୀୟ ସ୍ଵେଚ୍ଛାସେବୀ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ବଡ଼ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ମଧୁମେହ, ଲିଭର ସମେତ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ ସୁକାନ୍ତି।

ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ଏତେ ସବୁ ଚେଷ୍ଟା ପରେ ବି ଆଜି ହତାଶ୍ ହେବାକୁ ପଡ଼ିଛି ସ୍ଵାମୀ କବୀରଙ୍କୁ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀ ସୁକାନ୍ତିଙ୍କର ଦେହାନ୍ତ ହୋଇଥିବା ନେଇ କଟକ ବଡ଼ ମେଡିକାଲ ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏହି ଘଟଣା ବାବଦରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକରୀ ଡାକ୍ତର ସୁଜାତା ମିଶ୍ରଙ୍କ ବୟାନ କିନ୍ତୁ ସଂପୂର୍ଣ୍ଣ ଭିନ୍ନ। ତାଙ୍କ କହିବା ଅନୁସାରେ ଜିଲ୍ଲାରେ ୧୮ଟି ୧୦୨ ଆମ୍ଵୁଲାନ୍ସର ବ୍ୟବସ୍ଥା ରହିଛି। ତେଣୁ ଏପରି ଅଭିଯୋଗ ବିଶ୍ଵାସଯୋଗ୍ୟ ନୁହେଁ। ତଥାପି ଅଭିଯୋଗର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Comment