କମଳାକାନ୍ତ ପତି

ଭାରତୀୟ ଭୂଖଣ୍ଡ ଅରୁଣାଚଳ ପ୍ରଦେଶ, ସିକିମ୍, ଲଦାଖ- ସୀମାନ୍ତ ଅଞ୍ଚଳରେ ପଡୋଶୀ ଚୀନ୍‌ର ଦାଦାଗିରି କ୍ରମଶଃ ବଢ଼ି ବଢ଼ି ଚାଲିଛି। ପୂର୍ବ ଲଦାଖର ଗଲୱାନ ଘାଟି ନିକଟସ୍ଥ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଗତ ମାର୍ଚ୍ଚ ମାସଠାରୁ ଯାହା ଘଟୁଛି, ତାହା ଦେଶବାସୀଙ୍କୁ ଉତ୍ତେଜିତ କରୁଛି। ଏହି ପରିସ୍ଥିତିରେ ଭାରତର ୫୬ ଇଞ୍ଚର ଛାତି କାହିଁକି ସଙ୍କୁଚିତ ହୋଇଯାଉଛି?

ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଛି ଚୀନ୍

ଚଳିତବର୍ଷ ମାର୍ଚ୍ଚ ମାସରୁ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ସୈନ୍ୟ ଅନୁପ୍ରବେଶ ଘଟାଇ ଉତ୍ତେଜନା ସୃଷ୍ଟି କଲାଣି ଚୀନ୍। ଜୁନ୍ ୧୪ ରାତିରେ ସେହି ଅଞ୍ଚଳର ଗଲୱାନ ଘାଟି ନିକଟରେ ଭାରତ- ଚୀନ୍ ସୈନ୍ୟଙ୍କ ମଧ୍ୟରେ ଘଟିଥିଲା ଭୀଷଣ ସଂଘର୍ଷ। ଏଥିରେ ଭାରତର ଜଣେ ସେନା ଅଧିକାରୀଙ୍କ ସମେତ ୨୦ ଜଣ ଯବାନ୍ ଶହୀଦ ହୋଇଗଲେ। ଅବଶ୍ୟ ଭାରତୀୟ ଯବାନମାନେ ଚୀନ୍ ସୈନ୍ୟଙ୍କୁ କଡ଼ା ଜବାବ ଦେବାରେ ସମର୍ଥ ହୋଇଥିଲେ।

କୁହାଗଲା ଯେ, ସଂଘର୍ଷରେ ଚୀନ୍ ପକ୍ଷରୁ ୪୦ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଛନ୍ତି। କିନ୍ତୁ ଚୀନ୍ ସରକାରୀ ଭାବେ ଭାରତର ଏହି ଦାବିକୁ ଏପର୍ଯ୍ୟନ୍ତ ସ୍ୱୀକାର କରିନାହିଁ। ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ, ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ ଲଦାଖ ସୀମାନ୍ତ ଅଞ୍ଚଳ ଗସ୍ତ କରି ଚୀନ୍‌କୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ରାଷ୍ଟ୍ରର ବିସ୍ତାରବାଦୀ ଚିନ୍ତାଧାରାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କଡ଼ା ଭାଷା ଶୁଣାଇଛନ୍ତି।

ଏହା ସତ୍ତ୍ୱେ କମୁନାହିଁ ଚୀନ୍‌ର ଦାଦାଗିରି। ଦୁଇ ଦେଶ ମଧ୍ୟରେ  କୁଟନୈତିକ ଓ ସାମରିକ ସ୍ତରରେ ଏକାଧିକ ଥର ବୈଠକ ବସିଥିଲେ ମଧ୍ୟ ଏଲଏସି ନିକଟରେ ଉତ୍ତେଜନା ହ୍ରାସ ପାଉନାହିଁ। ଏବେ ପୁଣି ଚୀନ୍ କହିଲାଣି ଭାରତ ବେଆଇନ୍‌ ଭାବେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିଛି। ଏହାକୁ ଚୀନ୍ ସ୍ୱୀକୃତି ଦେଇନାହିଁ।

ହଠାତ୍ ଲଦାଖ ନେଇ ଚୀନ୍ର ଆକ୍ରୋଶ କାହିଁକି?

ଏଲଏସି ନିକଟରେ ଉତ୍ତେଜନା ପ୍ରସଙ୍ଗରେ ମତଦେବା ବେଳେ ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓଲିଝିଆ କହିଥିଲେ ଲଦାଖକୁ ଭାରତ ବେଆଇନ୍ ଭାବେ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିଛି। ତାହାକୁ ବେଜିଂ ମାନିନେଇ ପାରୁନାହିଁ। ଅରୁଣାଚଳ ପ୍ରଦେଶକୁ ମଧ୍ୟ ନୁହେଁ। ସୀମାନ୍ତ ଇଲାକାରେ ସାମରିକ ବାହିନୀର ପ୍ରୟୋଜନ ପାଇଁ ଭାରତ ନିର୍ମାଣ କାର୍ଯ୍ୟ କରିଛି। ଦ୍ୱିପାକ୍ଷିକ ସହମତି ବିନା ଏଭଳି କରାଯିବା ଉଚିତ୍ ହୋଇନାହିଁ। ଏଥିପାଇଁ ଉତ୍ତେଜନା ବଢ଼ିବ। ଏବେ ଯେଉଁ ଉତ୍ତେଜନା ଦେଖାଦେଇଛି, ତାହାର କାରଣ ହେଉଛି ସୀମାନ୍ତ ସଂଲଗ୍ନ ଅଞ୍ଚଳରେ ଭାରତର ଭିତ୍ତିଭୂମି ନିର୍ମାଣ।

ଚୀନ୍‌ର ଏହି ଅଭିଯୋଗକୁ ଭାରତ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ, ଲଦାଖ ସମ୍ପର୍କରେ କହିବାର କୌଣସି ଅଧିକାର ଚୀନ୍‌ର ନାହିଁ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ ମଧ୍ୟ। ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ସକାଶେ ଭାରତ ସେଠାରେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟ କରି ଦେଇଛନ୍ତି ଶ୍ରୀବାସ୍ତବ।

ଚୀନ୍ପାକ୍ ସୀମା ସଂଲଗ୍ନ ଅଞ୍ଚଳରେ ୪୪ ସେତୁ

ଚୀନ୍‌କୁ ଆଘାତ ଦେଇଛି ଭାରତ ପକ୍ଷରୁ ଚୀନ୍, ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ଗତ ସୋମବାର ୪୪ଟି ସେତୁର ଉଦ୍‌ଘାଟନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସବୁ ସେତୁର ଉଦ୍‌ଘାଟନ କରିବା ପରେ ଚୀନ୍ ଉଠାଇଛି ‘ଲଦାଖ ଅଧିକାର’ ପ୍ରସଙ୍ଗ। ଏହିସବୁ ସେତୁ ଲଦାଖ, ଜାମ୍ମୁ, କାଶ୍ମୀର, ଅରୁଣାଚଳ ପ୍ରଦେଶ, ସିକିମ୍, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ନିର୍ମାଣ କରାଯାଇଛି। ସାମରିକ ଦୃଷ୍ଟିରୁ ଏହା ମଧ୍ୟରୁ କେତୋଟି ସେତୁ ଗୁରୁତ୍ୱପୂର୍ଣ୍ଣ। ଯାହାକି ଚୀନ୍‌ର ଅସନ୍ତୋଷର କାରଣ।

ପ୍ରସଙ୍ଗତଃ ଉଲ୍ଲେଖ କରାଯାଇପାରେ ଯେ, ଏହା ପୂର୍ବରୁ ଲଦାଖର ଏଲଏସି ସଂଲଗ୍ନ ଅଞ୍ଚଳରେ ଭାରତ ନିର୍ମାଣ କରିଥିବା ଲେହ-ଶିୟୋକ – ଦାବରୁକ- ଦୌଲତବେଗ ଓଲ୍‌ଡି ସଡ଼କ ନେଇ ଆପତ୍ତି ଉଠାଇଥିଲା ବେଜିଂ। ଅନ୍ୟପକ୍ଷରେ ନୂଆ ଦିଲ୍ଲୀର ପ୍ରତିବାଦକୁ କର୍ଣ୍ଣପାତ ନ କରି ଚୀନ୍ ତା’ର ଶିନ୍ ଜିୟାଂ ପ୍ରଦେଶରୁ ପାକ୍ ଅଧିକୃତ ଗିଲପିଟ୍ – ବଲ୍‌ଚିସ୍ତାନ ବାଟଦେଇ ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛି। ଯାହାର ନାମ ରଖିଛି ଚୀନ୍ -ପାକିସ୍ତାନ ଇକନମିକ୍ କରିଡର। ପ୍ରଶ୍ନ ଉଠୁଛି ଚୀନ୍ ତା’ର ବାଣିଜ୍ୟିକ ଓ ସାମରିକ ସ୍ୱାର୍ଥ ପାଇଁ ସୀମା ସଂଲଗ୍ନ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣକୁ ଯଦି ଗୁରୁତ୍ୱ ଦେଉଛି, ଭାରତର କାର୍ଯ୍ୟ ନେଇ ଅସହିଷ୍ଣୁ ହୋଇ ପଡୁଛି କାହିଁକି?

ଚୀନ୍ ବିରୋଧୀ ପ୍ରଚାରରେ ସାମିଲ୍ ହେଉନାହିଁ ଭାରତ

ସୀମାନ୍ତରେ ଉତ୍ତେଜନା ସୃଷ୍ଟି କରି ଭାରତକୁ ବିଚଳିତ କରି ରଖିଥିବା ଚୀନ୍ ପ୍ରତି ମୋଦି ସରକାର ଏତେ ଉଦାରତା ଦେଖାଉଛନ୍ତି କାହିଁକି? ଚୀନ୍‌ରେ ମାନବାଧିକାର ଉଲ୍ଲଂଘନ ହେଉଥିବା ପ୍ରସଙ୍ଗରେ ଜାତିସଂଘରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁନାହିଁ କାହିଁକି ଭାରତ? ଆମେରିକା ନେତୃତ୍ୱରେ ୩୯ଟି ଦେଶ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇ ପ୍ରଚାରରେ ସାମିଲ୍ ହେଲେ। ମାତ୍ର ଭାରତ ସେହି ଦେଶଗୁଡ଼ିକ ସହ ସାମିଲ୍ ହେଲା ନାହିଁ। ନିକଟରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ୍ ଏବଂ ଭାରତ –ଚତୁଃରାଷ୍ଟ୍ରୀୟ କ୍ୱାଡ୍ ବୈଠକ (ଭର୍ଚୁଆଲ୍) ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆମେରିକା କରୋନା ଏବଂ ଏଲଏସିରେ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଚୀନ୍‌କୁ ତୀବ୍ର ଆକ୍ରମଣ କରିଥିଲା। କିନ୍ତୁ ସେହି ବୈଠକରେ ମଧ୍ୟ ଭାରତ ସିଧାସଳଖ ଚୀନ୍ ବିରୋଧୀ ମନ୍ତବ୍ୟ ଦେଇନଥିଲା। ପୂର୍ବ ଲଦାଖରେ ଯୁଦ୍ଧ ଭଳି ପରିସ୍ଥିତି ସତ୍ତ୍ୱେ ଭାରତର ଚୀନ୍ ପ୍ରତି ଏଭଳି ‘ନରମ ମନୋଭାବ’କୁ ନେଇ କୁଟନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଏକାଧିକ କାରଣ ଦେଖୁଛି କୁଟନୈତିକ ମହଲ

ଭାରତ କାହିଁକି ଆମେରିକା ମାର୍ଗରେ ଯିବାକୁ ଅନାଗ୍ରହୀ? କୁଟନୈତିକ ମହଲରେ ଆଲୋଚନାରୁ ବାହାରୁଛି ଏକାଧିକ କାରଣ। ପ୍ରଥମତଃ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ନ। ଏହି ନିର୍ବାଚନ ପରେ କେଉଁ ଦଳ ବିଜୟୀ ହେବ, ରାଷ୍ଟ୍ରପତି କିଏ ହେବ, ଯଦି କୌଣସି  ପରିବର୍ତ୍ତନ ଘଟେ ତେବେ ଆମେରିକା ନୂଆ ସରକାରଙ୍କ ଚୀନ୍ ନୀତି କ’ଣ ହେବ ତାହା ସ୍ପଷ୍ଟ ନୁହେଁ। ତେଣୁ ବର୍ତ୍ତମାନ ଆମେରିକା କଥାରେ ପଡ଼ି ଟ୍ରମ୍ପଙ୍କ ରାଜନୈତିକ କୌଶଳ ସ୍ରୋତରେ ଭାସିବାକୁ ଚାହୁଁଛି ନୂଆଦିଲ୍ଲୀ। ଦ୍ୱିତୀୟତଃ ଚୀନ୍ ସହ ସୀମା ସମସ୍ୟାର ସମାଧାନ ପାଇଁ ଦୀର୍ଘଦିନ ଧରି ଆଲୋଚନା ପ୍ରକ୍ରିୟା ଜାରି ରଖିଛି ଭାରତ।

ଏହି ପ୍ରକ୍ରିୟା ବ୍ୟର୍ଥ ଯାଉ ବୋଲି ଚାହୁଁନାହିଁ ନୂଆଦିଲ୍ଲୀ। ତୃତୀୟତଃ ଚୀନ୍ ଭାରତ ସୀମା ସମସ୍ୟାର ସମାଧାନ ପାଇଁ ପରୋକ୍ଷରେ ଉଦ୍ୟମ କରୁଛି ରୁଷିଆ। ଭାରତ ଯେହେତୁ (ପୂର୍ବ ଭଳି) ନ ହେଲେ ମଧ୍ୟ ରୁଷିଆ ସହ କିଛିଟା ସାମରିକ ନିର୍ଭରଶୀଳତା ବୃଦ୍ଧି କରିଛି, ତେଣୁ ସେହି ଦେଶକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ ନୂଆଦିଲ୍ଲୀ। ପ୍ରକଶ୍ୟରେ ଯଦି ଆମେରିକା ସ୍ୱରରେ ସ୍ୱର ମିଶାଇ ଚୀନ୍‌କୁ ବିରୋଧ କରାଯାଏ, ତେବେ ରୁଷିଆ ସହ ସମ୍ପର୍କର ସୂତା ଛିଣ୍ଡିଯିବାର ସମ୍ଭାବନା ରହିଛି।

ଛପନ ଇଞ୍ଚ ଛାତିର ପ୍ରଶ୍ନ ଉଠାଇଛନ୍ତି ରାହୁଲ

ଚୀନ୍ ବାରମ୍ବାର ବିଶ୍ୱାସଘାତକତା କରୁଥିଲେ ମଧ୍ୟ ଭାରତ କାହିଁକି ଆକ୍ରମଣାତ୍ମକ ହୋଇ ଜବାବ ଦେଇପାରୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଛପନ ଇଞ୍ଚ ଛାତିରେ କ’ଣ ସେହି ସାହସ ଆସୁନାହିଁ? ପୂର୍ବ ଲଦାଖରେ ଉତ୍ତେଜନା ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ଏଭଳି କଟାକ୍ଷ କରୁଛନ୍ତି। ଭାରତ ବେଆଇନ୍ ଭାବେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ବୋଲି ଚୀନ୍‌ର ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ରାହୁଲ।

ଚୀନ୍‌ର ଏଭଳି ମନ୍ତବ୍ୟର କଡ଼ା ପ୍ରତିବାଦ କାହିଁକି ବିଦେଶ ମନ୍ତ୍ରଣାଳୟ କରୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଅବଶ୍ୟ ଇତିମଧ୍ୟରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଚୀନ୍‌କୁ କଡ଼ା ଜବାବ ଦେଇସାରିଛନ୍ତି। କିନ୍ତୁ ଲଦାଖର ଏଲଏସି ଉଲ୍ଲଂଘନ ନେଇ ଆମେରିକା, ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ଚୀନ୍‌କୁ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି। ମାତ୍ର ଭାରତ ପକ୍ଷରୁ ସେଭଳି ଶାଣିତ ପଦକ୍ଷେପ ନିଆନଯିବା ରାଜନୈତିକ ମହଲ ଓ କୁଟନୈତିକ ମହଲକୁ ଆଶ୍ଚର୍ଯ୍ୟ କରୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment