ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ଆଉ ଏକ ଧମାକା କରିବାକୁ ଯାଉଛି। କମ୍ପାନି ପକ୍ଷରୁ ଏକ ଶସ୍ତା ୫ଜି ଫୋନ୍ ବଜାରକୁ ଛଡ଼ାଯିବ। ପ୍ରଥମେ ଏହାର ଦାମ୍ ୫ ହଜାର ଟଙ୍କା ରହିବ। କିନ୍ତୁ ପରେ ଏହା ଅଧା ଦାମ୍‌ରେ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

କମ୍ପାନି ୩୦ କୋଟି ଗ୍ରାହକଙ୍କୁ ଟାର୍ଗେଟ୍ କରୁଛି, ଯେଉଁମାନେ ଏବେ ବି ୨ଜି ଫୋନ ବ୍ୟବହାର କରୁଛନ୍ତି। ପ୍ରଥମେ କମ୍ପାନି ୫ ହଜାର ଟଙ୍କାରେ ଏହି ସେଟ୍ ବଜାରକୁ ଛାଡ଼ିବ। ଯେତେବେଳେ ଭଲ ବିକ୍ରି ହେବ ସେତେବେଳେ ଏହି ହ୍ୟାଣ୍ଡ୍‌ସେଟ୍ ଦାମ ୨,୫୦୦ ଟଙ୍କାକୁ ଖସାଇ ଦିଆଯିବ।ବର୍ତ୍ତମାନ ଭାରତରେ ୫ଜି ହ୍ୟାଣ୍ଡ୍‌ସେଟ୍‌ର ଦାମ ୨୭,୦୦୦ ଟଙ୍କାରୁ ଆରମ୍ଭ ହେଉଛି। ଜିଓ ହିଁ ପ୍ରଥମ କମ୍ପାନି ଯିଏକି ଭାରତୀୟ ବଜାରରେ ପ୍ରଥମେ ୪ଜି ସ୍ମାର୍ଟଫୋନ୍ ପ୍ରବେଶ କରାଇଥିଲା ଓ ତା’ର ଦାମ ମାତ୍ର ଦେଢ଼ ହଜାର ଟଙ୍କା ଥିଲା।

ରିଲାଏନ୍ସ ଜିଓର ୪୩ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ ଯେ ଭାରତକୁ ୨ଜି ମୁକ୍ତ କରିବା ପାଇଁ ଜିଓ ସଂକଳ୍ପବଦ୍ଧ। ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ଯେ, ଦେଶରେ ଯେଉଁ ୩୫ କୋଟି ପାଖା ପାଖି ୨ଜି ଗ୍ରାହକ ଅଛନ୍ତି ସେମାନଙ୍କ ହାତରେ ୫ଜି ଫୋନଟିଏ ରହୁ ବୋଲି ସେ ଚାହାଁନ୍ତି।ଭାରତରେ ୫ଜି ସେବା ଆରମ୍ଭ କରିବା ପାଇଁ ଜିଓ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଓ ଚାହୁଁଛି ନିଜର ଏକ ୫ଜି ପ୍ଲାଟଫର୍ମ ରହୁ। ଏଣୁ ସ୍ପେକ୍ଟ୍ରମ ଅଲୋକେସନ ପାଇଁ କମ୍ପାନି ପକ୍ଷରୁ ଭାରତ ସରକାରଙ୍କ ଟେଲିକମ ବିଭାଗକୁ ଅନୁରୋଧ କରାଯାଇଛି।

ତେବେ ଭାରତରେ ଏବେ ୫ଜି ସର୍ଭିସ ନାହିଁ କି ଟେଲିକମ ଅପରେଟରମାନଙ୍କୁ  ସରକାରଙ୍କ ପକ୍ଷରୁ ଟ୍ରାଏଲ ପାଇଁ ବି ସ୍ପେକ୍ଟ୍ରମ ଦିଆଯାଇନାହିଁ। ହେଲେ ମୁକେଶ ଯେବେ ଯାହା ଚାହାଁନ୍ତି ତାହା କରାଇ ନିଅନ୍ତି। ଏହି କାରଣରୁ ୫ଜି ସେବା ଆରମ୍ଭ କରିବା ପାଇଁ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ ବୋଲି କୁହାଯାଉଛି।

Comment