କମଳାକାନ୍ତ ପତି
ପ୍ରାୟ ତିନିମାସ ପରେ ଭାରତରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମଙ୍ଗଳବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ପରିସଂଖ୍ୟାନ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୭୯୦ । ଜୁଲାଇ ୨୯ ପରେ ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ଏହି ହ୍ରାସ କିଛିଟା ଆଶାର ସଞ୍ଚାର କରିଛି। ତେବେ କରୋନା ପ୍ରତିଷେଧକକୁ ନେଇ ଭିନ୍ନ ମତ ପ୍ରକାଶ ଯୋଗୁ ପ୍ରତୀକ୍ଷା ସମୟ କ୍ରମେ ଲମ୍ବା ହୋଇଯାଇଛି।
ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା
କରୋନା ପ୍ରତିଷେଧକ ବଜାରକୁ ଆସିବା ପାଇଁ ଡେରି ଅଛି। ମାତ୍ର କୋଭିଡ୍ ମୁକାବିଲା ପାଇଁ ଗତ ୭ ମାସ ଧରି ଯେଉଁ ଆନୁସଙ୍ଗିକ ଚିକିତ୍ସା ପଦ୍ଧତି ପ୍ରୟୋଗ କରାଯାଉଛି, ତାହା ମଧ୍ୟ ଅନେକାଂଶରେ ଫଳପ୍ରଦ ହେଉଛି। ଗତ ଜୁଲାଇ ୨୯ ପରଠାରୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲୁଥିଲା। ଆଶ୍ଵାସନାର ବିଷୟ ହେଉଛି ଅକ୍ଟୋବର ୨୦ ମଙ୍ଗଳବାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିନ ଦେଇଥିବା ହିସାବ ଅନୁଯାୟୀ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୭୯୦କୁ ଖସିଆସିଛି। ସେହିପରି ଅଳ୍ପ ହେଲେ ମଧ୍ୟ ଦୈନିକ ମୃତ୍ୟୁ ହାରରେ ହ୍ରାସ ଘଟିଛି। ପାର୍ବଣ ଋତୁରେ ଦେଶର ସାମଗ୍ରିକ କରୋନା ପରିସ୍ଥିତିରେ ଅଳ୍ପ କିଛି ହେଲେ ମଧ୍ୟ ବିଶେଷଜ୍ଞମାନେ ଆଶାର ଆଲୋକ ଦେଖାଇଛନ୍ତି। ଆଜିଯାଏ ଦେଶରେ ୭୫ଲକ୍ଷ ୯୭ ହଜାର ୬୩ ଜଣ ଲୋକ କୋଭିଡ୍ ୧୯ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ଏହି ସଂଖ୍ୟା ୮୨ ଲକ୍ଷ ୧୨ ହଜାର ୯୮୧।
ଆହୁରି ୨ ବର୍ଷ ରହିବ ଭାଇରସ୍
ଅନେକ ଚିକିତ୍ସା ବିଜ୍ଞାନୀଙ୍କ ମତରେ ସଂକ୍ରମଣ ଘଟାଉଥିବା ଯେକୌଣସି ଭୂତାଣୁ ନିଷ୍କ୍ରିୟ ହୋଇଗଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଚାଲିଯିବ ନାହିଁ। ପୂର୍ବରୁ ପୃଥିବୀପୃଷ୍ଠକୁ ଯେତେ ପ୍ରକାର ମହାମାରୀ ଭୂତାଣୁ ଆକ୍ରାନ୍ତ କରିଛନ୍ତି, ସେ ସବୁ ବର୍ତ୍ତମାନ ମଧ୍ୟ ରହିଛନ୍ତି। ପ୍ରତିଷେଧକ ଟିକା ସେହି ଭୂତାଣୁମାନଙ୍କ ସଂକ୍ରମଣକୁ ରୋକିପାରିଛି। କରୋନା ମଧ୍ୟ ସେହିଭଳି ଏକ ଭୂତାଣୁ। ତେବେ ଏହାର ସଂକ୍ରମଣ ଲକ୍ଷଣ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳୁଥିବାରୁ ଏହି ମାରାତ୍ମକ ଭାଇରସ୍ ଆହୁରି ଅନ୍ତତଃ ୨ ବର୍ଷ ପର୍ଯ୍ୟନ୍ତ ମାନବ ସମାଜକୁ ଆକ୍ରାନ୍ତ କରି ରଖିପାରେ।
ଆସନ୍ତା ବର୍ଷ ପ୍ରତିଷେଧକ ଟିକା ବଜାରକୁ ଆସିଗଲେ ମଧ୍ୟ ଏହି ମାରାତ୍ମକ ଭୂତାଣୁ ହାତରୁ ନିସ୍ତାର ମିଳିବ ନାହିଁ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (ହୁ)ର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ଵାମୀନାଥନ୍। ତେଣୁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ନିୟନ୍ତ୍ରିତ ଜୀବନଯାପନର ମାନସିକ ପ୍ରସ୍ତୁତି ନେବାକୁ ପରାମର୍ଶ ଦେଇଛନ୍ତି ସୌମ୍ୟା। ସେ କହିବା ଅନୁଯାୟୀ ଆସନ୍ତାବର୍ଷ ମଧ୍ୟଭାଗ ପୂର୍ବରୁ ଭ୍ୟାକସିନ୍ ମିଳିଯାଇପାରେ। ମାତ୍ର ବିପୁଳ ଜନସଂଖ୍ୟା ସମ୍ବଳିତ ରାଷ୍ଟ୍ରରେ ଏହାର ଉତ୍ପାଦନ ହାର ସୀମିତ। ଅବଶ୍ୟ ଏହା ସତ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଯେଉଁ ଲୋକଙ୍କଠାରେ ସଂକ୍ରମଣ ଓ ପ୍ରାଣନାଶର ଆଶଙ୍କା ଅଧିକ ସେମାନଙ୍କୁ ପ୍ରତିଷେଧକ ପ୍ରଦାନ କରାଯିବ। ସମସ୍ତଙ୍କଠାରେ ପ୍ରତିଷେଧକ ପହଞ୍ଚାଇବା ସକାଶେ ପ୍ରାୟତଃ ୨ ବର୍ଷ ଲାଗିଯିବ।
କିନ୍ତୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଖୁବ୍ ବଡ଼ ଆଶା ନେଇ କାର୍ଯ୍ୟ କରୁଛନ୍ତି। ତାଙ୍କ କହିବା ଅନୁସାରେ ପ୍ରତିଷେଧକ ଟିକା ଦେଶର ଅତ୍ୟନ୍ତ ଅଖ୍ୟାତ ଅଞ୍ଚଳରେ ପହଞ୍ଚାଇ ଦେବାର ମାଷ୍ଟର୍ ପ୍ଲାନ୍ ତିଆରି କରିଛନ୍ତି ସରକାର। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକୁ ତଦାରଖ କରୁଛନ୍ତି। ନିର୍ବାଚନ ଏବଂ ବିପର୍ଯ୍ୟୟ ପୂର୍ବରୁ ଯେଉଁଭଳି ଆଗୁଆ ପ୍ରସ୍ତୁତି ନିଆଯାଏ, ପ୍ରତିଷେଧକ ଟିକା ପହଞ୍ଚାଇବା କ୍ଷେତ୍ରରେ ସମାନ ଭାବେ ପଦକ୍ଷେପ ଗ୍ରହଣ କରାଯିବ।
ବିଲ୍ ଗେଟସଙ୍କ ଭିନ୍ନ ଆଶଙ୍କା
କରୋନା ପ୍ରତିଷେଧକ ଟିକା ଉତ୍ପାଦନ ନେଇ ନାନା ମୁନିଙ୍କ ନାନା ଆଶଙ୍କା। କେତେକଙ୍କ ମତରେ କରୋନା ଟିକା ପ୍ରସ୍ତୁତିରେ ଯେଉଁଭଳି ଭାବେ ତରବରିଆ ପଦକ୍ଷେପ ନିଆଯାଉଛି, ତାହା ଘାତକ ସାବ୍ୟସ୍ତ ହୋଇପାରେ। ଆଉ କେତେକଙ୍କ ମତ ଟିକା ଆବିଷ୍କାର ହୋଇ ବଜାରକୁ ଆସିଯାଇପାରେ। ମାତ୍ର ଏତେ ବିଶାଳ ଦେଶରେ ଶତାଧିକ କୋଟି ଲୋକଙ୍କୁ ତାହା ବଣ୍ଟନ କରାଯିବ କିପରି? କେତେକ ପ୍ରଶ୍ନ କଲେଣି ସରକାର ଟିକା ସଂରକ୍ଷଣ, ସରବରାହ ଏବଂ ପ୍ରଦାନ ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ଗଢ଼ିପାରିଛନ୍ତି କି? ଯେଉଁ ବିପୁଳ ଖର୍ଚ୍ଚ ଏ ବାବଦରେ ହେବ ତାହା ଧରାଶାୟୀ ଅର୍ଥନୀତିର ଦେଶରେ ଭରଣା କରାଯାଇପାରିବ ତ?
ଏଭଳି ସ୍ଥିତିରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଭିନ୍ନ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, କରୋନା ଯୁଦ୍ଧ ଲଢୁଥିବା ଭାରତ ପାଇଁ ଟିକା ଗବେଷଣା ଏବଂ ତାହା ବ୍ୟାପକ ଆକାରରେ ଉତ୍ପାଦନ କ୍ଷେତ୍ରରେ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହୋଇପାରେ। ସେ କହିଛନ୍ତି ଯେ, ସମଗ୍ର ପୃଥିବୀର ଗବେଷକମାନେ ଏବେ ବ୍ୟାପକ ଚ୍ୟାଲେଞ୍ଜ ସାମ୍ନାରେ ଦଣ୍ଡାୟମାନ। ଗତ ଦୁଇ ଦଶକ ମଧ୍ୟରେ ଭାରତ ଯେଉଁଭଳି ଭାବେ ଜନସ୍ଵାସ୍ଥ୍ୟର ଅଗ୍ରଗତି ଘଟାଇଛି ତାହା ଅନୁପ୍ରେରଣୀୟ। କରୋନା ଭଳି ଅତିମାରୀର ମୁକାବିଲା ପାଇଁ ଟିକା ଗବେଷଣା ଓ ଏହାର ଉତ୍ପାଦନକୁ ନେଇ ଭାରତ ଗଭୀର ସମସ୍ୟାରେ ପଡ଼ିପାରେ। ଏହା ଦେଶର ଜନସ୍ଵାସ୍ଥ୍ୟ ପରିସେବାକୁ ପ୍ରଭାବିତ କରିପାରେ ବୋଲି ମତ ଦେଇଛନ୍ତି ବିଲ୍ ଗେଟସ୍।
ହତାଶ କରିଛି ରୋଗ ନିର୍ଦ୍ଧାରଣ ପଦ୍ଧତି
ଏକ ଅପ୍ରିୟ ସତ୍ୟ କଥା କହିଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍। ତାଙ୍କ କହିବା କଥା ହେଉଛି ସମଗ୍ର ବିଶ୍ଵରେ ରୋଗ ନିର୍ଦ୍ଧାରଣର ପଦ୍ଧତି ଆମକୁ ହତାଶ କରିଛି। ରୋଗ ନିର୍ଦ୍ଧାରଣ ପାଇଁ ବିଭିନ୍ନ ପ୍ରଯୁକ୍ତି ଉତ୍ପାଦନର ଆବଶ୍ୟକତା ରହିଛି। ଲକ୍ଷଣହୀନ କରୋନା ସଂକ୍ରମଣ ସମ୍ପର୍କରେ ଗେଟସ୍ଙ୍କ ମତ ବର୍ତ୍ତମାନ ଚିକିତ୍ସାର ମଡେଲ୍ ହେଉଛି ଯେଉଁମାନଙ୍କଠାରେ କରୋନା ଲକ୍ଷଣ ରହିଛି ସେମାନଙ୍କୁ ଚିହ୍ନଟ କରିବା। କିନ୍ତୁ ଏହି ପଦ୍ଧତି ବଦଳାଇବାର ଆବଶ୍ୟକତା ରହିଛି। କାରଣ ଅନେକଙ୍କଠାରେ ଲକ୍ଷଣ ନଥାଇ ମଧ୍ୟ ସେମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଆହୁରି ସମ୍ବେଦନଶୀଳ ଏବଂ ସୁନିର୍ଦ୍ଦିଷ୍ଟ ଭାବେ ରୋଗ ନିର୍ଦ୍ଧାରଣ ପଦ୍ଧତି ବାହାର କରିବାର ଆବଶ୍ୟକତା ରହିଛି ବୋଲି ଗେଟସ୍ଙ୍କ ମତ।
ମସ୍ତିଷ୍କ ସ୍ନାୟୁକୁ ଆକ୍ରାନ୍ତ କରୁଛି କରୋନା
ସମ୍ପ୍ରତି ଦିଲ୍ଲୀ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସାଧାରଣରେ ଆଶଙ୍କା ସୃଷ୍ଟି କରିଛି। ଏହି ରିପୋର୍ଟରେ ଏମସ୍ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍ ଭୂତାଣୁ ମସ୍ତିଷ୍କ ସ୍ନାୟୁକୁ ମଧ୍ୟ ଆକ୍ରାନ୍ତ କରୁଛି। କରୋନା ଆକ୍ରାନ୍ତ ହୋଇଥିବା ଜଣେ ୧୧ ବର୍ଷର କିଶୋରୀ ନିକଟରେ ଏହି ଲକ୍ଷଣ ଦେଖିବାକୁ ମିଳିଛି। କିଶୋରୀ ନିକଟରେ ଆକ୍ଟିଭ୍ ଡିମାସେଲିନେଟିଙ୍ଗ୍ ସିଣ୍ଡ୍ରୋମ୍ (ଏଡିଏସ୍) ଲକ୍ଷଣ ଦେଖିବାକୁ ମିଳିଛି। ଏହାଫଳରେ ମସ୍ତିଷ୍କ ସ୍ନାୟୁ କ୍ଷତିଗ୍ରସ୍ତ ହୋଇଛି। ତେଣୁ କିଶୋରୀ ଜଣଙ୍କର ଦୃଷ୍ଟିଶକ୍ତି କମି ଆସିଛି। ଏହି ପ୍ରକାର ଘଟଣା ପ୍ରଥମ ବୋଲି ରିପୋର୍ଟରେ ଦାବି କରାଯାଇଛି। ଏମସ୍ ନ୍ୟୁରୋଲୋଜି ବିଭାଗର ଚିକିତ୍ସାବିତ୍ମାନେ ସମ୍ପୃକ୍ତ କିଶୋରୀଙ୍କର ଶରୀରର ଅବସ୍ଥା ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଖୁବ୍ ଶୀଘ୍ର ଏହା ପ୍ରକାଶ କରାଯିବ ବୋଲି କୁହାଯାଇଛି।
ଚୀନ୍ ତିଆରି ପ୍ରତିଷେଧକ ନିରାପଦ!
ଅତିମାରୀ କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ର ଉହାନ। ଆଜି ଯେଉଁ ଦେଶ ପାଇଁ ସାରା ବିଶ୍ଵ ଆକ୍ରାନ୍ତ, ସେହି ଦେଶରେ ପ୍ରସ୍ତୁତ ପ୍ରତିଷେଧକ ନିରାପଦ ବୋଲି ମତ ଦେଇଛି ଅନ୍ୟତମ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ବ୍ରାଜିଲ। ସାଓ ପାଓଲୋସ୍ଥିତ ବୁତାନତାନ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ, ପ୍ରତିଷେଧକର ଟ୍ରାଏଲର ପ୍ରାଥମିକ ଫଳାଫଳରେ ଉତ୍ତୀର୍ଣ୍ଣ ହୋଇଛି ଚୀନ୍। ଏହି ଦେଶ ତିଆରି ସମ୍ଭାବ୍ୟ ପ୍ରତିଷେଧକଟି ମାନବ ଶରୀରରେ ପ୍ରୟୋଗ ପାଇଁ ନିରାପଦ। ବ୍ରାଜିଲର ବାୟୋମେଡ଼ିକାଲ୍ ରିସର୍ଚ୍ଚ ସେଣ୍ଟରଗୁଡ଼ିକ ମଧ୍ୟରେ ପ୍ରମୁଖ ସଂସ୍ଥା ବୁତାନତାନ୍ ଇନଷ୍ଟିଚ୍ୟୁଟ୍ର ଏଭଳି ମନ୍ତବ୍ୟରେ ଆମେରିକା ଆଶ୍ଚର୍ଯ୍ୟ। ତେବେ ଚୀନ୍ ତିଆରି ଏହି ପ୍ରତିଷେଧକଟି କରୋନା ଭୂତାଣୁକୁ ନଷ୍ଟ କରିବା କିମ୍ବା ରୋକିବାରେ କେତେ ସଫଳ, ତାହା ଜାଣିବାକୁ ଆଉ କିଛିଦିନ ସମୟ ଲାଗିବ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।
ପ୍ରତିଯୋଗିତା ପର୍ଯ୍ୟାୟରେ ଟିକା ତିଆରି ପ୍ରକ୍ରିୟା
ରୁଷିଆଠାରୁ ଆରମ୍ଭ କରି ଭାରତ, ଆମେରିକା, ବ୍ରିଟେନ୍, ଚୀନ୍ ସମେତ ଅନେକ ରାଷ୍ଟ୍ର ଏବେ କରୋନା ଟିକା ପ୍ରସ୍ତୁତି ନେଇ ଏକ ପ୍ରତିଯୋଗିତା ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ଭାରତରେ କରୋନା ଟିକାର ପରୀକ୍ଷଣ ଦୁଇଟି ପର୍ଯ୍ୟାୟ ଅତିକ୍ରମ କରି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମେ ରୁଷିଆ ତା’ର ‘ସ୍ପୁଟନିକ୍ ଭି’ ନାମକ କରୋନା ପ୍ରତିଷେଧକ ଘୋଷଣା କରିସାରିଛି। ଆମେରିକାକୁ ପ୍ରତିଷେଧକ ଆବିଷ୍କାରରେ ପଛରେ ପକାଇଦେବାର ଲକ୍ଷ୍ୟ ନେଇ ରୁଷିଆ ଏଭଳି ଘୋଷଣା କରିଥିଲେ ମଧ୍ୟ ତାହା ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ହୁ’ ଦ୍ୱାରା ଗ୍ରହଣୀୟ ହୋଇନାହିଁ।
ଅନ୍ୟପକ୍ଷରେ ଭାରତରେ ଚାଲିଥିବା ପ୍ରତିଷେଧକ ତିଆରି ନେଇ ଆଶାବାଦୀ ନରେନ୍ଦ୍ର ମୋଦୀ ସରକାର। ପ୍ରଥମେ କୁହାଯାଉଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଗଷ୍ଟ ୧୫ ଲାଲକିଲ୍ଲା ଭାଷଣରେ ପ୍ରତିଷେଧକ ଆବିଷ୍କାର ନେଇ ଘୋଷଣା କରିବେ। ମାତ୍ର ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଏ ଦିଗରେ ଅସାମର୍ଥ୍ୟ ପ୍ରକାଶ କରିବାରୁ ମୋଦୀ ତାଙ୍କ ଭାଷଣରୁ ଏହି ଅଂଶଟିରେ ପରିବର୍ତ୍ତନ କରିଥିଲେ। ତେଣେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଏବଂ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଆଷ୍ଟ୍ରୋଜେନେକା ମିଳିତ ଭାବେ କରୋନା ପ୍ରତିଷେଧକ ନିର୍ମାଣ କରୁଛନ୍ତି। ଏହା ଏବେ ଚୂଡ଼ାନ୍ତ ପର୍ଯ୍ୟାୟ ଟ୍ରାଏଲରେ ରହିଛି। ଫାଇଜାର ମାଡାର୍ନର ତିଆରି ପ୍ରତିଷେଧକ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣରେ ଅଟକିଛି। ରୁଷିଆର ଖାମାଲିୟା ଇନଷ୍ଟିଚ୍ୟୁଟ୍ ଯେଉଁ ପ୍ରତିଷେଧକ ତିଆରି କରିଛି ତାହା କେତେ ପରିମାଣରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ଆସନ୍ତା ମାସରେ ରିପୋର୍ଟ ଆସିବ।