ଓଡ଼ିଶାଲାଇଭ୍ ବ୍ୟୁରୋ 

କରୋନା କଟକଣା ଭିତରେ ଏଥର ପାଳନ ହେଉଛି ଶାରଦୀୟ ଦୁର୍ଗାପୂଜା। ଆଡମ୍ବର ସହକାରେ ନହେଲେ ବି ନୀତିକାନ୍ତି ପାଳନ କରି ମା’ଙ୍କୁ ପୂଜା କରାଯାଉଛି। ତେବେ ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ଟି ଅବତାରରେ ପୂଜା କରାଯାଇଥାଏ। ଏହି ନଅଟି ଅବତାରରେ ମା’ଙ୍କୁ ଭିନ୍ନ ଭିନ୍ନ ପସନ୍ଦର ଭୋଗ ଲାଗି କରାଯାଏ। ଜାଣନ୍ତୁ କେଉଁ ରୂପରେ ମା’ କେଉଁ ଭୋଗକୁ ଭଲ ପାଇଥାନ୍ତି?

ଶୈଳପୁତ୍ରୀ: ମା’ ଦୁର୍ଗାଙ୍କର ଗୋଟିଏ ରୂପ ହେଲା ଶୈଲୀପୁତ୍ରୀ। ମା ଶୈଲୀପୁତ୍ରୀଙ୍କୁ ଧଳା ରଙ୍ଗର ଭୋଗ ଲାଗି କରାଯାଇଥାଏ। ମୁଖ୍ୟତଃ ଗାଇର ଘିଅରେ ତିଆରି ଭୋଗମାନ ମା’ଙ୍କ ପାଖରେ ଲାଗିକଲେ ବିଭିନ୍ନ ରୋଗରୁ ମୁକ୍ତି ମିଳିବ ବୋଲି ବିଶ୍ୱାସ ଅଛି।

ବ୍ରହ୍ମଚାରିଣୀ: ମା’ ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି କିମ୍ବା ପଞ୍ଚାମୃତ ଭୋଗ ଲାଗି କରାଯାଇଥାଏ। ଏଥିସହ ମା’ଙ୍କୁ ଭୋଗଲାଗି କରିବା ପରେ ଏହି ଭୋଗକୁ ଲୋକମାନଙ୍କ ମଧ୍ୟରେ ଦାନକଲେ ଆୟୁ ବୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୁଏ ବୋଲି କୁହାଯାଇଥାଏ।

ଚନ୍ଦ୍ରଘଣ୍ଟା: ମା’ ଚନ୍ଦ୍ରଘଣ୍ଟାକୁ ଦହି ଓ ସେଥିରେ ତିଆରି ବିଭିନ୍ନ ଭୋଗ ଲାଗି କଲେ ମା ଖୁସି ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହାସହ ଏହି ଭୋଗକୁ ଦାନ କରିବା ଦ୍ୱାରା ଘରେ ସୁଖ ସମୟ ଆସିବା ସହ ସମସ୍ତଙ୍କ ଦୁଃଖର ମଧ୍ୟ ବିନାଶ ହୁଏ।

କୁଷ୍ମାଣ୍ଡା: ମା’ କୁଷ୍ମାଣ୍ଡାଙ୍କୁ ମାଲପୁଆ ଭୋଗଲାଗି କରାଯାଏ। ଏହାପରେ ଏହି ପ୍ରସାଦକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ ଏବଂ ଏହାର କିଛି ଅଂଶ ନିଜେ ମଧ୍ୟ ଖାଆନ୍ତୁ। ଏହାଦ୍ୱାରା ବୁଦ୍ଧିର ବିକାଶ ହେବା ସହ ସହ ନିଷ୍ପତ୍ତି ନିର୍ଣ୍ଣୟ ନେବାର କ୍ଷମତା ବଢ଼ିଥାଏ ବୋଲି ବିଶ୍ୱାସ ଅଛି।

ସ୍କନ୍ଦମାତା: ପଞ୍ଚମୀ ତିଥିରେ ମା’ ସ୍କନ୍ଦମାତାଙ୍କ ପୂଜାରେ କଦଳୀ ଭୋଗ ଲାଗି କଲେ ଭଲ ଫଳ ମିଳେ। ଏହାପରେ ଏହି ଭୋଗକୁ ବ୍ରାହ୍ମଣଙ୍କ ମଧ୍ୟରେ ଦାନକଲେ ବୁଦ୍ଧିର ବିକାଶ ହୋଇଥାଏ ବୋଲି କୁହାଯାଏ।

କାତ୍ୟାୟନୀ: ଷଷ୍ଠୀ ତିଥିରେ ମା’ କାତ୍ୟାୟନୀଙ୍କ ପୂଜାରେ ମହୁର ମହତ୍ୱ ରହିଛି। ଏହି ଦିନ ପ୍ରସାଦରେ ମହୁକୁ ମିଶାଇ ଭୋଗ ପ୍ରସ୍ତୁତ କରାଯାଇଥାଏ। ଏହା ଫଳରେ ସାଧକ ଜଣକ ସୁନ୍ଦର ରୂପ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଥାଏ।

କାଳରାତ୍ରୀ: ସପ୍ତମୀ ତିଥିରେ ମା’ କାଳରାତ୍ରୀଙ୍କ ପୂଜାରେ ଗୁଡ଼ର ନୈବେଦ୍ୟ ଅର୍ପିତ କରାଯାଏ। ଏହାପରେ ଏହି ଭୋଗକୁ ବ୍ରାହ୍ମଣଙ୍କୁ ଦିଆଯାଇଥାଏ। ଏହା ଦ୍ୱାରା ବ୍ୟକ୍ତିଜଣକ ବିଭିନ୍ନ ପ୍ରକାର ଦୁଃଖରୁ ମୁକ୍ତ ହୋଇଥାଏ।

ମହାଗୌରୀ: ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ନଡ଼ିଆରେ ତିଆରି ଭୋଗଲାଗି କରାଯାଇଥାଏ। ସେହିପରି ଏହି ଦିନ ନଡ଼ିଆର ମୁଣ୍ଡକୁ ଓଲଟାଇ ପାଣିରେ ଭସାଇଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।

ସିଦ୍ଧିଦାତ୍ରୀ: ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଶସ୍ୟ ଭୋଗଲାଗି କରାଯାଏ। ଯେମିତିକି ହାଲୱା, ଚଣା ପୁରୀ, ଖିରୀ। ଏହି ଭୋଗକୁ ପୂଜା କରି ଗରିବଙ୍କୁ ଦାନ କେଲ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଅଛି।

Comment