ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ ନିର୍ବାଚନ ପାଇଁ ଏବେ ବାଲେଶ୍ୱର ରାଜନୀତି ସରଗରମ। ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚାର ମଇଦାନରେ ମଧ୍ୟ ରାଜ୍ୟର ବିଭିନ୍ନ ହେବିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ବିଜେପି ଏଠାରେ ନିଜର ଶାସନ ଜାରି ରଖିବାକୁ ଚେଷ୍ଟା ଚଳାଇଥିବାବେଳେ, ବାଲେଶ୍ୱର ସଦର ନିର୍ବାଚନ ବିଜୟ ଏବେ ବିଜେଡି ପାଇଁ ସମ୍ମାନର ବିଷୟ ପାଲଟିଛି। ଏପଟେ କଂଗ୍ରେସ ମଧ୍ୟ ବାଲେଶ୍ୱର ସଦରରେ ମହିଳା କାର୍ଡ ଖେଳି ନିର୍ବାଚନ ଜିଣିବାକୁ ଲକ୍ଷ୍ୟ ରଖିଛି। ଏସବୁ ମଧ୍ୟରେ ବାଲେଶ୍ୱର ନିର୍ବାଚନରେ ଚର୍ଚ୍ଚାକୁ ଆସିଛନ୍ତି ୯୦ ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀ ବେଣୁଧର।ବେଣୁଧରଙ୍କ କୁଳବେଉସା ହେଉଛି ଚୁଟି କାଟିବା। ଘର ଘର ବୁଲି ସେ ସମସ୍ତଙ୍କର ଚୁଟି କାଟିଥାନ୍ତି। ସମସ୍ତଙ୍କ ସୁଖରେ ଦୁଃଖରେ ସାଥି ହୋଇ ସେ ଠିଆ ହୋଇଥାନ୍ତି। ସମସ୍ତଙ୍କ ଚୁଟି କାଟୁଥିବା ଏ ଲୋକ ଭିତରେ ଗୋଟେ ରାଜନୈତିକ ଚରିତ୍ର ବି ଲୁଚି ରହିଛି ଏକଥା ହୁଏତ ବେଣୁଧର ନିଜେ ଜାଣିଥିଲେ, ଯାହା ତାଙ୍କୁ ଚଳିତ ଉପ ନିର୍ବାଚନରେ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି।

ବେଣୁଧରଙ୍କ ବୟସ ୯୦ ଟପିଲାଣି ହେଲେ କଇଁଚି ସେମିତି ଚାଲୁଚି। ଘର ବାହାନଗା ଅଞ୍ଚଳରେ ହୋଇଥିଲେ ମଧ୍ୟ ଢେର ଦିନ ହେଲା ଆସି ସେ ବାଲେଶ୍ଵର ଗୁଡିପଦାରେ ରହିଆସୁଛନ୍ତି। ବେଣୁଧର ବାମଦଳର ସଦସ୍ୟ ଥିଲେ। ହେଲେ ଏଥର ବାମଦଳ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲେ। ତେଣୁ ବାଧ୍ୟ ହୋଇ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଥିଲେ।ବେଣୁଧରଙ୍କ ପାଖରେ ପଇସା ନାହିଁ। ଚୁଟି କାଟିଲେ ତାଙ୍କର ପରିବାର ଚଳେ। ତଥାପି ସକାଳୁ ନିଜ କାମ ସରିବା ପରେ ସାଇକେଲ ଧରି ପ୍ରଚାର କରୁଛନ୍ତି ବେଣୁଧର। ସେ କହନ୍ତି, ମାତ୍ର ୧୩ ବର୍ଷ ବୟସରେ ସେ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ। ସବୁବେଳେ ସରଳ ଜୀବନଯାପନ କରୁଥିବା ବେଣୁଧର କହିବା କଥା ହେଲା, ତାଙ୍କର କୌଣସି ବସ୍ତୁ ପ୍ରତି ଅନାସକ୍ତ ଭାବ ହିଁ ତାଙ୍କର ସବୁଠୁ ବଡ଼ ପୁଞ୍ଜି। ନିର୍ବାଚନରେ ହାରଜିତ ତାଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ତାଠାରୁ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ସବୁଠାରୁ ବଡ଼ କଥା ବୋଲି ସେ କୁହନ୍ତି।

ଅନ୍ୟପଟେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଓ ଦାମ ପଣ୍ଡା ବେଣୁଧରଙ୍କ ପାଇଁ ପ୍ରଚାର କରିବ ବୋଲି ଜଣାପଡ଼ିଛି। ରାନୀ ପଣ୍ଡା ଖୁବଶୀଘ୍ର ବାଲେଶ୍ୱର ଯାଇ ବେଣୁ ମଉସାଙ୍କୁ ଦେଖା କରିବା ସହିତ ତାଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି।

Comment