ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ କୋଟି କୋଟି ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଏହାକୁ ଠିକ୍ ଭାବେ ଖର୍ଚ୍ଚ କରିପାରୁନାହାନ୍ତି। ରାଜ୍ୟରେ ବର୍ତ୍ତମାନ ଏକ ସମ୍ବେଦନହୀନ ସରକାର କାର୍ଯ୍ୟ କରୁଛି ବୋଲି ଧର୍ମେନ୍ଦ୍ର ଆଜି ବାଲେଶ୍ୱରର ରୂପସାରେ ଆୟୋଜିତ ହୋଇଥିବା ଜନସଭାରେ କହିଛନ୍ତି।

ଏଥିସହ ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, “ ବିଜେଡି ସରକାର ନିର୍ବାଚନ ଜିତିବାକୁ ସ୍ୱଂୟ ସହାୟକ ଗୋଷ୍ଠୀର ମା’ ମାଉସୀମାନଙ୍କୁ ବ୍ୟବହାର କରୁଛି। ଦଳ ସେମାନଙ୍କୁ ଶାଢ଼ୀ ଆଉ ଟଙ୍କା ବାଣ୍ଟୁଛି। ଯଦି ଟଙ୍କା ବାଣ୍ଟିବାର ଥିଲା ତେବେ କରୋନା ସମୟରେ ଲୋକଙ୍କୁ ଦେଇଥିଲେ ଲୋକେ ଉପକୃତ ହୋଇଥାନ୍ତେ। ଉପ ନିର୍ବାଚନ ଜିତିବାକୁ ଟଙ୍କା ବାଣ୍ଟିବା ଲଜ୍ଜ୍ୟାର କଥା।”ନରେନ୍ଦ୍ର ମୋଦୀ ସରକାର ବାଲେଶ୍ୱରର ବିକାଶ ପାଇଁ ପାଖାପାଖି ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ବାଲେଶ୍ୱର ବିକାଶ କାମ ଆଗେଇ ଚାଲିବା ସହିତ ଏହା ପୂର୍ବ ଭାରତର ଏକ ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ।  ତେଣୁ ଏହି ବିକାଶ ଧାରାରେ ଯୋଡ଼ି ହୋଇ ରହିବା ସହିତ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପିକୁ ଭୋଟ ଦେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ଆଜି ତାଙ୍କ ନିର୍ବାଚନୀ ଭାଷଣରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବାଲେଶ୍ୱରରେ ଚିଙ୍ଗୁଡ଼ି ଚାଷ ପାଇଁ ଏକ ଖାଦ୍ୟ ପକ୍ରିୟାକରଣ ପାର୍କ ଖୋଲିବା ନିହାତି ଦରକାର ଥିଲା। ହେଲେ ରାଜ୍ୟ ସରକାର ଏହାକୁ ଭୁବନେଶ୍ୱର ପାଖରେ ଡେରାସ ପାଖରେ ପ୍ରତିଷ୍ଠା କଲେ। ବାଲେଶ୍ୱରର ଚାଷୀଟିଏ ଏହାଦ୍ୱାରା କେମିତି ଲାଭ ପାଇବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଏଥିସହ ବାଲେଶ୍ୱରରେ ଗୋଟିଏ ଏୟାରପୋର୍ଟ ତିଆରି କରିବା ଦରକାର ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ସେଠାରେ ଉପ ନିର୍ବାଚନ ହେଉଛି। ବିଜେପି ଏହି ଆସନ ପାଇଁ ଦିବଙ୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଏହି ଆସନ ବିଜେପି ହାତରେ ଥିବାରୁ ଦଳ ଏହି ଆସନ ବଞ୍ଚେଇ ରଖିବାକୁ ଚେଷ୍ଟା କରୁଛି। ତେଣୁ ଆଜି ମାନସ ଦତ୍ତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

Comment