ଓଡ଼ିଶାଲାଇଭ୍ ବ୍ୟୁରୋ

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମବାର୍ଷିକୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଜ୍ଞଳି।

ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ୱତ ସାଧକ ଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର। ଏକାଧାରରେ ଜଣେ କବି, ଲେଖକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ନାଟ୍ୟକାର ଓ ଶିକ୍ଷାବିତ୍ ଭାବେ ସେ ନିଜକୁ ପରିଚିତ କରିପାରିଥିଲେ। ୧୮୮୬ ମସିହା ଅକ୍ଟୋବର ମାସ ୨୬ ତାରିଖରେ ପୁରୀ ଜିଲ୍ଲାର ବାଣପୁର ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ଯୁଗ ସ୍ରଷ୍ଟାଙ୍କର ଆଜି ଜନ୍ମ ବାର୍ଷିକୀ।“ଓଡ଼ିଶାରେ ଯେଉଁ ଜାତୀୟବାଦୀ ଆନ୍ଦୋଳନ ଆସିଥିଲା ତାହା ଦୁଇଟି ଦିଗରେ ଗତି କରିଥିଲା। ଗୋଟିଏ ଥିଲା ଓଡ଼ିଶାକୁ ସ୍ୱତନ୍ତ୍ର କରିବା ଓ ଅନ୍ୟଟି ଥିଲା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବା। ଉଭୟ ଦିଗରେ ଓଡ଼ିଶା ଯେତେବେଳେ ସଂଗ୍ରାମରତ ଥିଲା ସେତିକି ବେଳେ ହିଁ ସତ୍ୟବାଦୀ ଯୁଗର ଅନ୍ୟତମ ସାଧକ ଗୋଦାବରୀଶ ମିଶ୍ର ଜନ୍ମ ନେଇଥିଲେ। ଗୋଦାବରୀଶ ମିଶ୍ର ଓ ସତ୍ୟବାଦୀ ଯୁଗର ଅନ୍ୟ ସାଧକମାନେ ମିଶି ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ। ଜଣେ କବି, ଲେଖିକ ଓ ଗାଳ୍ପିକ ଭାବେ ସେ ଅନେକ ଗଳ୍ପ ଓ କବିତା ରଚନା କରିଥିବାବେଳେ ପୁରୁଷୋତ୍ତମ ଦେବ ଓ ମୁକୁନ୍ଦଦେବଙ୍କ ଭଳି ଲେଖାରେ ତାଙ୍କର ଜାତୀୟତାବାଦୀ ଆଭିମୁଖ୍ୟକୁ ପ୍ରକାଶ ପାଇଥାଏ”, କହିଛନ୍ତି ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।ଏଥିସହିତ ଆଲେଖିକା, କିଶଳୟ, ଚୟନିକା, ଗୀତାୟନ, କାଳିଜାଇ, ସକାଳ, ଘଟାନ୍ତର, ଅଭାଗିନୀ, ୧୮୧୭, ପୁରୁଷୋତ୍ତମଦେବ, ମୁକୁନ୍ଦଦେବ, ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଭଳି ରଚନା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର କାଳଜୟୀ କୃତି ବୋଲି ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର କହିଛନ୍ତି।

“ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଜନସେବକ, ରାଜନୀତିଜ୍ଞ ଓ ଓଡ଼ିଆ ଭାଷା ସାହିତ୍ୟର ଜଣେ ଏକନିଷ୍ଠ ପୂଜାରୀ। ସରଳ, ସାବଲୀଳ ଭାଷା ଓ ସୁନ୍ଦର ଶବ୍ଦ ସଂଯୋଜନା ତାଙ୍କ କାବ୍ୟ କବିତାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଥିଲା। ତାଙ୍କ ରଚିତ ପୁରୁଷୋତ୍ତମ ଦେବ ଓ ମୁକୁନ୍ଦଦେବ ଓଡ଼ିଆମାନଙ୍କ ଭିତରେ ଜାତୀୟତାଭାବକୁ ପରିପ୍ରକାଶ କରିଥାଏ। ଏଥିସହ କାଳିଜାଇ ଭଳି କବିତା ଆଞ୍ଚଳିକ କିମ୍ବଦନ୍ତୀଙ୍କୁ ନେଇ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିରେ ଓଡ଼ିଆ କିଶୋରୀର ମାନସିକ ଭାବନା ବର୍ଣ୍ଣିତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଜଗତରେ ପଣ୍ଡିତ ଗୋଦାବରୀଶ ମିଶ୍ର ଗାଥା କବିତାର ଜନକ। ‘ଅର୍ଦ୍ଧଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ଭଳି ପୁସ୍ତକ ରଚନା ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି, “ବ୍ୟାସକବି ଫକୀରମୋହନଙ୍କଠାରୁ ଓଡ଼ିଆ ସାହିତ୍ୟରେ ଆତ୍ମଜୀବନୀ ଲେଖାଯିବା ଆରମ୍ଭ ହୋଇଥିଲା। ଏହାପରେ ପରେ ଲେଖା ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ତାହା ଭାଷାର ଲାଳିତ୍ୟ ଦୃଷ୍ଟିରୁ ଏକ ସମୃଦ୍ଧ ଆତ୍ମଚରିତ। ସେ ଶିକ୍ଷାମନ୍ତ୍ରୀ ଥିବା ସମୟରେ ହିଁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥଲା। ଓଡ଼ିଶାର ନବନିର୍ମାଣ ଦିଗରେ ଏବଂ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୋଦାବରୀଶ ମିଶ୍ର ସର୍ବଦା ମନେରହିବେ।”“କାଳିଜାଇ କବିତାରେ ଗୋଦାବରୀଶ ମିଶ୍ର ନାରୀ ଜୀବନର ଅଭିବ୍ୟକ୍ତିକୁ ପରିପ୍ରକାଶ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତରେ ସେ ଜଣେ କାଳଜୟୀ କବି ଭାବେ ସେ ପରିଚିତ। ତାଙ୍କ କବିତାର ଭାଷା, ଆବେଗ ଓ ସରଳତା ତାଙ୍କୁ ଚିରଦିନ ପାଇଁ ଅମର  କରି ରଖିବ”, କହିଛନ୍ତି ବିଶିଷ୍ଟ କବି ଡକ୍ଟର ମନୋରମା ମହାପାତ୍ର ବିଶ୍ୱାଳ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ନେଇ ବିଶିଷ୍ଟ ସମାଲୋଚକ ଡକ୍ଟର ପ୍ରେମାନନ୍ଦ ମହାପାତ୍ର କହିଛନ୍ତି ଯେ, ସେ ଥିଲେ ସତ୍ୟବାଦୀ ଚେତନାର ବରେଣ୍ୟ ପ୍ରତିଭା। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଜୀବନକୁ ନିୟନ୍ତ୍ରଣ କରିଥିଲେ। ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ସେ ସରକାରୀ ଚାକିରି ପାଇଁ ଆଶା କରିନଥିଲେ। ଦେଶ ଓ ମାଟି ମା’ ବିକାଶ ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ ବୋଲି ସେ କହିଛନ୍ତି।

“ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ତାଙ୍କର କାନ୍ତ,କୋମଳ, ଭାବମୟ ତଥା ମଧୁମୟ ଗାଥା ଓ ଗୀତି କବିତା ଯୁଗେ ଯୁଗେ ଅନନ୍ୟ। ମୁକୁନ୍ଦଦେବ ଓ ପୁରୁଷୋତ୍ତମ ଦେବ ଭଳି ଐତିହାସିକ ନାଟକ ଦ୍ୱୟ ତାଙ୍କ ଉତ୍କଳ ଅନୁରାଗର ସୁସ୍ପଷ୍ଟ ନିଦର୍ଶନ”, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

Comment