ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଦୁର୍ଗାପୂଜା ଭସାଣ ଉତ୍ସବ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କମିସନରେଟ୍ ପୋଲିସ। ଆସନ୍ତାକାଲି ୪ଟି ପର୍ଯ୍ୟାୟରେ କଟକ ଦୁର୍ଗାପୂଜାର ସବୁ ମୂର୍ତ୍ତି ବିସର୍ଜନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ୧୪ଟି କୁତ୍ରିମ ଜଳାଶୟ ଗଠନ କରାଯାଇଛି। ସବୁ ପୂଜା କମିଟିମାନେ ଆସି ଏହି କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବେ। ତେବେ ଏଥର କରୋନା କଟକଣା ପାଇଁ ସାହି ପରିକ୍ରମାକୁ ମନା କରାଯାଇଛି। ପ୍ରତି ପୂଜା କମିଟିର ୭ ଜଣ ସଦସ୍ୟଙ୍କୁ ନେଇ ଏଥର କଟକରେ ଦୁର୍ଗାପୂଜା ଭସାଣ ଉତ୍ସବ ଆୟୋଜନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।ପୂଜା କମିଟିମାନେ ଦିନ ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା ଏବଂ ୪ଟାରୁ ୬ଟା ଚାରୋଟି ପର୍ଯ୍ୟାୟରେ ଆସି ମୂର୍ତ୍ତି ବିସର୍ଜନ କରିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ଚଳିତ ବର୍ଷ କରୋନା କଟକଣା ଭିତରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ଦେବୀଙ୍କ ପ୍ରତିମାକୁ ଛୋଟ କରାଯିବା ସହିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମଧ୍ୟ ବାରଣ କରାଯାଇଛି। ପ୍ରତିବର୍ଷ ଦଶହରାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇଟ୍, ସାଉଣ୍ଡରେ ଚାରିଆଡ଼ କମ୍ପିଉଠେ। ହେଲେ କରୋନା ସକାଶେ ଏଥର ସେସବୁକୁ ମଧ୍ୟ ବାରଣ କରାଯାଇଛି।

Comment