ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମସିହା ଅକ୍ଟୋବର ୨୯। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏହି ମହାବାତ୍ୟା ଜଗତସିଂହପୁର ଜିଲ୍ଲାରେ ଅଧିକାଂଶ ପରିବାରକୁ ଉଜାଡ଼ି ଦେଇଥିଲା। କେଉଁଠି ମା’ କୋଳରୁ ପୁଅକୁ ଛଡ଼ାଇ ନେଇଥିଲା ତ ଆଉ କେଉଁଠି ସ୍ୱାମୀ, ସ୍ତ୍ରୀଙ୍କୁ ଅଲଗା କରିଦେଇଥିଲା ସେଦିନର ସେ କାଳରାତିର ହୃଦୟବିଦାରକ ଘଟଣା ମନେପଡ଼ିଗଲେ ଆଜି ବି ଲୋମ ଟାଙ୍କୁରି ଉଠେ।

ଆଜି ମହାବାତ୍ୟାକୁ ୨୧ ବର୍ଷ ପୂରିଛି। ୨୧ ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଅକ୍ଟୋବର ୨୯ ତାରିଖ ଆସିଲେ ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ଆଖିରେ ଲୁହ ଜକେଇ ଆସୁଛି। ସେଦିନର କାଳରାତିକୁ ଆଜି ବି ଲୋକେ ଭୁଲିପାରୁ ନାହାନ୍ତି।

ମହାବାତ୍ୟା ପରେ ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ ଭଳି ବାତ୍ୟାକୁ ଓଡ଼ିଶାବାସୀ ସାମ୍ନା କରିଛନ୍ତି। କିନ୍ତୁ ମହାବାତ୍ୟା ଯେଉଁ ଦାରୁଣ ଦୁଃଖ ଦେଇ ଯାଇଥିଲା ତାହା ଉପକୂଳ ଓଡ଼ିଶାବସୀଙ୍କ ମନରୁ ପାସୋର ହେଉନି।

ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣିବଳୟ। ଉଗ୍ରରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ମାଡ଼ି ଆସିଥିଲା ଘୂର୍ଣ୍ଣିବଳୟ। ୨୬ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ୨୭ ତାରିଖରେ ବଙ୍ଗୋପସାଗରରେ ପହଞ୍ଚିବା ପରେ ଓଡ଼ିଶା ଉପକୂଳକୁ ଆଲର୍ଟ କରାଯାଇଥିଲା। ଘୂର୍ଣ୍ଣିବଳୟ କରାଳ ରୂପ ଧାରଣ କରି ପାରାଦୀପ ଅଭିମୁଖେ ମାଡ଼ି ଆସିଥିଲା। ଅକ୍ଟୋବର ୨୯ ରାତିରେ ପାରାଦୀପରେ ମହାବାତ୍ୟା ହିଟ୍ କରିବା ପରେ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା।

ବିଶେଷକରି ଜଗତସିଂହପୁର ଜିଲ୍ଲାର ଏରସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଘଣ୍ଟାକୁ ୩୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା। ଜଗତସିଂହପୁର ସମେତ ଆଖପାଖ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଥିଲା। ଏହାସହ ପ୍ରାୟ ୧୪ଟି ଜିଲ୍ଲାରେ ମହାବାତ୍ୟାର ପ୍ରଭାବ ପଡ଼ିଥିଲା।

ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧.୫ ନିୟୁତ ଲୋକ ବାସହୀନ ହୋଇଥିଲେ। ପବନ କଚ୍ଚାଘରକୁ ଭାଙ୍ଗି ଦେଇଥିବା ବଡ଼ ବଡ଼ ଗଛକୁ ଓପାଡ଼ି ରାସ୍ତାରେ ଶୁଆଇ ଦେଇଥିଲା।

ଆଜି ଯେମିତି ସୋସିଆଲ ମିଡିଆ ଏବଂ ମିଡିଆର ବହୁଳ ବ୍ୟବହାର ହେଉଛି ସେତେବେଳେ ଏହାର ସୁଯୋଗ ନଥିବାରୁ ଅଧିକାଂଶ ଲୋକ ମହାବାତ୍ୟା ସମ୍ପର୍କରେ ଜାଣିପାରି ନଥିଲେ। ଯଦିଓ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲା ହେଲେ ଲୋକଙ୍କ ଧନଜୀବନ ସୁରକ୍ଷିତ ହୋଇପାରି ନଥିଲା। ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା।

ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି କରିଥିଲା ମହାବାତ୍ୟା। ରାସ୍ତା କଡ଼ରେ କୁଢ଼କୁଢ଼ ଶବ ପଡ଼ି ରହିଥିଲା।

ମହାବାତ୍ୟାର ସେଦିନ କରାଳ ଦୃଶ୍ୟକୁ ଯିଏ ଦେଖିଛନ୍ତି ଅକ୍ଟୋବର ୨୯ ଆସିଲେ ସେମାନଙ୍କ ମନରେ ଛନକା ସୃଷ୍ଟି ହେଉଛି। ୨୦ ବର୍ଷ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ବାହାବାତ୍ୟାର ଭୟଙ୍କର ରୂପକୁ ଭୁଲି ପାରିନାହାନ୍ତି ଓଡ଼ିଶାବାସୀ।

୧୯୯୯ ମସିହା ବାତ୍ୟା ପରେ ଅନେକ ବାତ୍ୟାକୁ ଦେଖିଛି ଓଡ଼ିଶା। କିନ୍ତୁ ୨୧ ବର୍ଷ ତଳେ ଓଡ଼ିଶା ଛାତିରେ ପ୍ରକୃତି ଯେଉଁ ତାଣ୍ଡବ ରଚିଥିଲା ତାହା ଆଜି ବି ସତେଜ ହୋଇ ରହିଛି।

Comment