ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁରୋପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି।

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର ଆତଙ୍କ ଜାରି ରଖିଛି। ତେବେ ଗତ କିଛି ଦିନ ଧରି ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ରିଟେନ୍, ଜର୍ମାନୀ ଓ ଫ୍ରାନ୍ସ ସହିତ ବିଭିନ୍ନ ୟୁରୋପୀୟ ଦେଶରେ ପୁଣିଥରେ ଲକଡାଉନ୍ ନିୟମ ଫେରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଜର୍ମାନୀରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସେଠାକାର ସରକାର ଗୋଟିଏ ମାସ ପାଇଁ ପୁଣିଥରେ ହୋଟେଲ୍, ରେସ୍ତୋରାଁ ଓ ବାର୍ ଆଦି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ଦେଶରେ ପୁଣିଥରେ ନିୟମ କଡ଼ାକଡ଼ି କରିବାକୁ ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ ଦେଶର ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି।ସେହିପରି ଫ୍ରାନ୍ସରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସେଠାକାର ପ୍ରଶାସନ ପାଇଁ ପୁଣି ଚିନ୍ତା ଆଣିଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଦେଶବାସୀକୁ ସମ୍ବୋଧିତ କରି ପୁଣିଥରେ ନୂଆ ନିୟମ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦେଇଛନ୍ତି। ସେଠାରେ ମଧ୍ୟ ଲକଡାଉନ୍ ନିୟମ ଜାରି ହୋଇପାରେ ବୋଲି ସୂଚନା ମିଳୁଛି।

ଅନ୍ୟପଟେ ଗତ ଗୋଟିଏ ସପ୍ତାହ ଧରି ବ୍ରିଟେନର ୱେଲସ୍, ଗ୍ରେଟର ମାଞ୍ଚେଷ୍ଟର, ଲିଭରପୁର ସିଟି, ସାଉଥ୍ ୟର୍କସାୟାର ଓ ସ୍କଟଲ୍ୟାଣ୍ଡ ଆଦି ଅଞ୍ଚଳରେ ଲକଡାଉନ୍ ଘୋଷଣା କରାଯାଇଛି। ସେଠାକାର ଲୋକମାନଙ୍କୁ ଘରୁ ବାହାରିବାକୁ ମନା ହୋଇଛି। ତେଣୁ କରୋନାର ଏହି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ୟୁରୋପରେ ପୁଣିଥରେ ଲକଡାଉନ୍ ନିୟମ ଫେରାଇବ ବୋଲି କୁହାଯାଉଛି।no mask in china beijingବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ଗତ ଗୋଟିଏ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ସଂକ୍ରମଣ ୩୭ ପ୍ରତିଶତ ବୃଦ୍ଧି ପାଇଛି। ସେଠାରେ ଏହି କିଛି ଦିନ ଭିତରେ ରେକର୍ଡ ସଂଖ୍ୟକ ୧୩ ଲକ୍ଷ ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ୟୁରୋପରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ କୁହାଯାଉଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତ ଆସିବା ପରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ୟୁରୋପରେ ଏହି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଖିବାକୁ ମିଳୁଛି। ୟୁରୋପରେ ଗତ କିଛିଦିନ ଭିତରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୫ ହଜାରରୁ ଅଧିକ ଫ୍ରାନ୍ସ, ବ୍ରିଟେନରୁ ୨୩ ହଜାର ବୋଲି ଜଣାପଡିଛି। ତେଣୁ ଏଠାରେ କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ପୁଣି ଫେରିବ ବୋଲି କୁହାଯାଉଛି।

Comment