ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପନିର୍ବାଚନ ପ୍ରଚାର ମଇଦାନରେ ଏବେ ସବୁ ଦଳର ହେଭିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ଘନ ଘନ ପ୍ରଚାର ସାଙ୍ଗକୁ ନେତାମାନେ ଘର ଘର ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହି ପ୍ରଚାରରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ।

ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପ୍ରଚାର ପାଇଁ ଅଭିଜିତ୍ ବାଲେଶ୍ୱର ଆସିଛନ୍ତି। ସେ ସେଠାରେ ମମତାଙ୍କ ସହ ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି। ଅଭିଜିତ୍ ମୁଖାର୍ଜୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ ହୋଇଥିବାରୁ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଣରେ ବେଶ ଉତ୍କଣ୍ଠା ଥିବା ଦେଖିବାକୁ ମିଳିଛି।ଅଭିଜିତ୍ କହିଛନ୍ତି, “ବାଲେଶ୍ୱରରେ କଂଗ୍ରେସର ସଙ୍ଗଠନ ପଞ୍ଚାୟତ ସ୍ତରରେ ସୁଦୃଢ଼ ଅଛି। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ଲୋକଙ୍କ ସହ ରହିଛନ୍ତି। ତେଣୁ ଉପ ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବ।”

ଏଥିସହ ବେକାରୀ, ବନ୍ୟା ସମସ୍ୟା, ପରିମଳ, କୃଷି ଆଇନକୁ ପ୍ରସଙ୍ଗ କରି ଅଭିଜିତ୍  ବାଲେଶ୍ୱରରେ ପ୍ରଚାର କରିବେ ବୋଲି କହିଛନ୍ତି। ବେକାରୀ ଏବେ ଜାତୀୟ ସମସ୍ୟା ହୋଇଥିବାବେଳେ, ବାଲେଶ୍ୱର ପାଇଁ ବନ୍ୟା ଏକ ବଡ଼ ସମସ୍ୟା ରହିଛି। ଏହାକୁ ସୁଧାରିବାକୁ କଂଗ୍ରେସ ଲୋକଙ୍କୁ ଭୋଟ ମାଗିବ ବୋଲି ସେ କହିଛନ୍ତି।

ଅଭିଜିତ୍ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ। ସେ ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା ଆସନରୁ ସାଂସଦ ମଧ୍ୟ ରହିସାରିଛନ୍ତି। ତେଣୁ ବାଲେଶ୍ୱର ପ୍ରଚାରରେ ତାଙ୍କ ଉପସ୍ଥିତି ଦଳକୁ କିଛିଟା ଫାଇଦା ଦେବ ବୋଲି କୁହାଯାଉଛି।

Comment