ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ରବୀଶ କୁମାରଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା।

ବିହାରରେ ଏବେ ବିଧାନସଭା ନିର୍ବାଚନ ଜାରି ରହିଛି। ମହାମେଣ୍ଟଠାରୁ ଆରମ୍ଭ କରି ଏନଡିଏ ପର୍ଯ୍ୟନ୍ତ ସମସ୍ତେ ଭୋଟରମାନଙ୍କୁ ଲୋଭନୀୟ ପ୍ରସ୍ତାବ ଦେଇ ଭୋଟ ଭିକ୍ଷା କରିବାରେ ଲାଗିଛନ୍ତି। ଏହି ସମୟରେ ବରିଷ୍ଠ ସାମ୍ବାଦିକ ରବୀଶ କୁମାରଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି।

ବିହାରର ୧୮ଟି ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲମାନଙ୍କରେ ଏବେ ବି ଆଇସିୟୁ ସୁବିଧା ନାହିଁ। ନୀତିଶ ସରକାର ଗତ ୧୫ ବର୍ଷ ଭିତରେ କେବଳ ରାସ୍ତା ଓ ବିଜୁଳି ଦେଇ ନିଜ କାମ ସାରିଦେଇଛନ୍ତି ବୋଲି ରବୀଶ ନିଜର ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।ଏଥିସହିତ ବିହାର ସରକାରଙ୍କୁ ପ୍ରଶ୍ନ କରି ସେ ଆହୁରି ମଧ୍ୟ ଲେଖିଛନ୍ତି, “କୌଣସି ସରକାର ରାଜ୍ୟରେ ୧୫ ବର୍ଷ ଶାସନରେ ରହିବା କମ୍ ସମୟ ନୁହେଁ। ବିହାରରେ ଗତ ୧୫ ବର୍ଷ ଭିତରେ ଅନେକ ରାସ୍ତା ତିଆରି ହୋଇଛି, ଲୋକଙ୍କ ପାଖକୁ ବିଜୁଳି ଯାଇଛି। ହେଲେ ସରକାର ସ୍ୱାସ୍ଥ୍ୟ ସୁବିଧାକୁ କିନ୍ତୁ ପୂରାପୂରି ଭୁଲିଯାଇଛନ୍ତି। ବହୁ ହସ୍ପିଟାଲରେ ଡାକ୍ତର ନାହାନ୍ତି। ଯେଉଁଠି ଡାକ୍ତର ଅଛନ୍ତି ସେଠାରେ ମେସିନ୍ ନାହିଁ।”

ବିହାରର ୧୮ ଜିଲ୍ଲାରେ ଅନେକ ସରକାରୀ ହସ୍ପିଟାଲ ଅଛି। ହେଲେ ସେଠାରେ ଆଜି ପର୍ଯ୍ୟନ୍ତ ରୋଗୀମାନଙ୍କୁ ଆଇସିୟୁ ସୁବିଧା ମିଳିପାରୁନାହିଁ। କେତେକ ସ୍ଥାନରେ ହସ୍ପିଟାଲର ଉନ୍ନତୀକରଣ କାମ ୧୩ ବର୍ଷ ଧରି ଚାଲିଛି। ତେବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କାମ କ’ଣ କରୁଛନ୍ତି ବୋଲି ରବୀଶ କୁମାର ପ୍ରଶ୍ନ କରିଛନ୍ତି।ଏଥିସହିତ ଗତ ୧୫ ବର୍ଷ ଧରି ଯଦି ବିହାରର ବିଭିନ୍ନ କଲେଜ୍ ଏବଂ ହସ୍ପିଟାଲ ସମସ୍ୟା ବୁଝାଯାଇଥାନ୍ତା, ତେବେ ନୀତିଶଙ୍କୁ ଆଉ ୧୫ ବର୍ଷ ପଛକୁ ଯାଇ ପୁରୁଣା ଶାସନର କଥା କହିବାକୁ ପଡ଼ିନଥାନ୍ତା ବୋଲି ସେ କହିଛନ୍ତି। ଏଥିସହିତ ରବୀଶ କୁମାର ନିଜର ପ୍ରାଇମ୍ ଟାଇମର ଭିଡିଓକୁ ମଧ୍ୟ ଏହି ପୋଷ୍ଟରେ ସେଆର କରିଛନ୍ତି।

କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ଚାଲିଛି। ଏଥିପାଇଁ ଗତ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ନଭେମ୍ବର ୩ ଓ ୭ରେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ। ଏହାପରେ ୧୦ ତାରିଖରେ ବିହାର ନିର୍ବାଚନର ଫଳ ପ୍ରକାଶ ପାଇବ।

Comment