ଓଡ଼ିଶାଲାଇଭ୍ ବ୍ୟୁରୋ

  • ପିଆଜ ଦର ଆକାଶଛୁଆଁ
  • ଘରୋଇ ରପ୍ତାନୀ ପାଇଁ ଆଗ୍ରହୀ ନୁହନ୍ତି ନାସିକ୍ ବ୍ୟବସାୟୀ
  • ନୂଆ ଅମଳକୁ ଆହୁରି ମାସେ ଲାଗିବ
  • କଳାବଜାରୀ ରୋକିବାକୁ ଖାଉଟିଙ୍କ ଦାବି

କଟକ: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ଦୁଇ ସପ୍ତାହ ଭିତରେ ମୂଲ୍ୟ ପ୍ରାୟ ୩୦ ଟଙ୍କା ବଢ଼ିଗଲାଣି। ଆଗକୁ ମାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କ୍ଷୀଣ। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ସାରା ଭାରତରେ ପିଆଜ ଅଭାବ ପରିଲକ୍ଷିତ ହେଲାଣି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି। ଯେଉଁଠି ଗତ ସପ୍ତାହରେ ପିଆଜ କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା ସେଠି ଏବେ ଲୋକେ ୮୦ଟଙ୍କା ଦେଇ କିଣିଲେଣି। ଏଣେ ହୋଲସେଲ୍ ବଜାରରେ ଷ୍ଟକ୍ ବି କମି କମି ଯାଉଛି।

ଅନ୍ୟାନ୍ୟ ଦ୍ରବ୍ୟ ଭଳି ପିଆଜ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆମଦାନୀ ରାଜ୍ୟ ଭାବେ ପରିଗଣିତ। ଅନୁଗୁଳ, ଟିଟିଲାଗଡ଼, କୋରାପୁଟ, ଭବାନିପାଟଣା ଆଦି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ କେଉଁଠି ପିଆଜ ଉତ୍ପାଦନ ହୋଇନଥାଏ। ତେବେ ଏସବୁ ଅଞ୍ଚଳ ବି ଋତୁକାଳୀନ। ଏପ୍ରିଲ୍‌ରୁ ଜୁନ୍ ଯାଏଁ ଏଠାରୁ ବଜାରକୁ ପିଆଜ ଆସିନଥାଏ। କିନ୍ତୁ ଜୁନ୍ ପରେ ବଜାରରେ ଆଉ ବେଶୀ ପିଆଜର ଷ୍ଟକ୍ ରହିନଥାଏ। ପରେ ବର୍ଷ ତମାମ୍ ରାଜ୍ୟ ବାହାରୁ ହେଉଥିବା ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼େ।ବିଶେଷକରି ନାସିକ୍‌, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ। ଏଥିରୁ ମାତ୍ରାଧିକ ଷ୍ଟକ୍ ମଗାଇଥାଏ କଟକ ଛତ୍ରବଜାର। କିନ୍ତୁ ଚଳିତବର୍ଷ ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ ନଷ୍ଟ ହୋଇଥିବାରୁ ତା’ର ପ୍ରଭାବ ସାରା ଭାରତରେ ପଡ଼ିଛି। ସେଥିରେ ଓଡ଼ିଶା ବି କାନ୍ଦୁଛି। ମାସେ ପରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ନୂଆ ପିଆଜ ବାହାରିଲେ ପରିସ୍ଥିତି ଆୟତ୍ତକୁ ଆସିବ ବୋଲି କୁହାଯାଉଛି। ଏହାପୂର୍ବରୁ ଯଦି ଆସନ୍ତା ୧୫ ଦିନ ଭିତରେ ଆଫଗାନିସ୍ତାନରୁ ପିଆଜ ଆସିଯାଏ, ତେବେ କିଛି ମାତ୍ରାରେ ମୂଲ୍ୟ କମିବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ମାସେ ଧରି ପିଆଜ ଦର ଅଧିକ ରହିବା ନିଶ୍ଚିତ।

ଏଭଳି ସ୍ଥିତିରେ ନାସିକ୍‌ରୁ ଯେଉଁ ଆମଦାନୀ ପିଆଜ ଆସୁଛି ତାହା ବଜାର ଚାହିଦାକୁ ମେଣ୍ଟାଇପାରୁନାହିଁ। ସାରା ରାଜ୍ୟକୁ ପ୍ରାୟ ୬୦ ଟ୍ରକ୍ ପିଆଜ ରାଜ୍ୟ ବାହାରୁ ଆସିଥାଏ। ଯଦି କେବଳ ଛତ୍ରବଜାର କଥା ଦେଖାଯାଏ, ଏଠାରେ ଦିନକୁ ପ୍ରାୟ ୭ ଟ୍ରକ୍ ପିଆଜର ଆବଶ୍ୟକତା ରହିଥାଏ। ଗୋଟିଏ ଟ୍ରକ୍‌ରେ ୧୬ ରୁ ୨୦ ଟନ୍ ପିଆଜ ଆସୁଥିବା ବେଳେ ଏହି ଆଧାରରେ ସବୁଦିନ ଛତ୍ରବଜାରରେ ୧୨୦ ଟନ୍ ପିଆଜ ବିକ୍ରି ହୁଏ। କାରଣ ଏଠାରୁ ରାଜ୍ୟର ବିଭିନ୍ନ ବଜାରକୁ ପିଆଜ ଯାଏ। ବିଶେଷକରି ଭୁବନେଶ୍ୱର, ସମ୍ୱଲପୁର, ବାରିପଦା ଭଳି ଅଞ୍ଚଳରେ ଅଧିକ ମାତ୍ରାରେ ପିଆଜ ଆବଶ୍ୟକ ଥାଏ।କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଛତ୍ରବଜାରକୁ ବି ପିଆଜ ନିଅଣ୍ଟ ହେଉଛି। କେବଳ ନାସିକ୍‌ରୁ ପ୍ରତିଦିନ ମାତ୍ର ଦୁଇ ଗାଡ଼ି ପିଆଜ ଆସୁଛି, ଯାହା ଆବଶ୍ୟକତାଠାରୁ ଢେର କମ୍। ତେବେ ଅଧିକ ଆମଦାନୀ କରିବାକୁ ବ୍ୟବସାୟୀ ଇଛା ପ୍ରକାଶ କରୁଥିଲେ ବି ନାସିକ୍ ବ୍ୟବସାୟୀ ପଠାଉନାହାନ୍ତି। ଏହି ବ୍ୟବସାୟୀମାନେ ଦେଶ ବାହାରକୁ ରପ୍ତାନୀ ଦିଗରେ ଗୁରୁତ୍ୱ ଦେଇ ଅଧିକ ଲାଭ ପାଉଥିବାରୁ ଘରୋଇ ରପ୍ତାନୀ ପାଇଁ ବିଶେଷ ଆଗ୍ରହ ଦେଖାଉନାହାନ୍ତି।

ଏଭଳି ସ୍ଥିତିରେ ନୂଆ ଅମଳ ପାଇଁ ଆହୁରି ମାସେରୁ ଅଧିକ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ଓଡ଼ିଶାରେ ପିଆଜ ସଙ୍କଟାବସ୍ଥା ଜାରି ରହିବ ବୋଲି ଛତ୍ରବଜାର ବ୍ୟବସାୟୀ କମିଟିର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ତାଙ୍କ କହିବା କଥା, ପ୍ରତିବର୍ଷ ଏ ସମୟରେ ନାସିକ୍ ପିଆଜ କମ୍ ଆସିଥାଏ। ତେଣୁ ଏ ସମୟରେ ବେଙ୍ଗାଳୁରୁ ଏବଂ ଆନ୍ଧ୍ରପ୍ରଦେଶର କର୍ଣ୍ଣଲ୍‌ରୁ ଆସୁଥିବା ପିଆଜରେ ଚାହିଦା ମେଣ୍ଟିଯାଏ। କିନ୍ତୁ ଏଥର ବେଙ୍ଗାଳୁରୁ ଓ କର୍ଣ୍ଣଲ୍‌ରେ ବର୍ଷା ଯୋଗୁ ପିଆଜ ଚାଷ ପ୍ରଭାବିତ ହୋଇଛି।ଏନେଇ କୃଷକ ବଜାର ବ୍ୟବସାୟୀ ସଂଘର ସମ୍ପାଦକ ନିରେନ୍ଦ୍ର ସେଠୀ କହିଛନ୍ତି ଯେ, ଯେଉଁଠି ଜଣେ ଲେଖାଏଁ ବ୍ୟବସାୟୀ ୨ ରୁ ୩ ବସ୍ତା ପିଆଜ ବିକୁଥିଲେ ସେଠି ଏବେ ଅଧାବସ୍ତା ବି ବିକ୍ରି ହେଉନାହିଁ। ୮୦ ଟଙ୍କାରେ ପିଆଜ ବିକିବା ଏତେ ସହଜ ନୁହେଁ। ସରକାର ଏ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ଅନ୍ୟପକ୍ଷରେ ଏହାକୁ ନେଇ ବ୍ୟବସାୟୀଙ୍କ ମୁଣ୍ଡରେ ଚିନ୍ତା ପଶିଲାଣି। ଗୋଟିଏ ପଟେ ହୋଲସେଲ୍ ବଜାରରେ ଷ୍ଟକ୍ ନଥିବାରୁ ଖୁଚୁରା ବଜାରରେ ଭାଉ ମନଇଛା ବଢ଼ାଇ ଦିଆଯାଉଛି। ହୋଲସେଲ୍ ବଜାରରେ ପିଆଜ କିଲୋ ୬୦ ରୁ ୬୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ରିଟେଲ୍ ମାର୍କେଟ୍‌ରେ ୮୦ ଟଙ୍କା ଟପିଲାଣି। ଦିନକୁ ଦିନ ମୂଲ୍ୟ ବଢୁଥିବାରୁ କଳାବଜାରୀ ରୋକିବା ଦିଗରେ ଯୋଗାଣ ବିଭାଗ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଖାଉଟିମାନେ ଦାବି କରିଛନ୍ତି।

Comment