ଓଡ଼ିଶାଲାଇଭ ବ୍ୟୁରୋ

ନ୍ୟୁଜିଲ୍ୟାଣ୍ଡ ସରକାରରେ ମନ୍ତ୍ରୀ ପଦ ହାସଲ କଲେ ଭାରତୀୟ ମୂଳ ବାସୀନ୍ଦା ପ୍ରିୟଙ୍କା ରାଧାକ୍ରିଷ୍ଣନ।

ନ୍ୟୁଜିଲାଣ୍ଡରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ​​ଲେବର ପାର୍ଟିର ଜେସିକା ଆର୍ଡର୍ନ ବହୁମତ ହାସଲ କରି ପୁଣି କ୍ଷମତାକୁ ଫେରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହେବା ସମଗ୍ର ବିଶ୍ୱ ପାଇଁ ଗର୍ବର ବିଷୟ ପାଲଟିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ନିର୍ବାଚନ ଭାରତ ପାଇଁ ମଧ୍ୟ ଗର୍ବ ଆଣିଛି। କାରଣ ଜେସିକା ଆର୍ଡନଙ୍କ କ୍ୟାବିନେଟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ସ୍ଥାନ ପାଇଛନ୍ତି।

ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଜେସିକା ଆର୍ଡନ ତାଙ୍କ ମନ୍ତ୍ରିମଣ୍ଡଳରେ ଭାରତୀୟ ମୂଳ ପ୍ରିୟଙ୍କା ରାଧାକ୍ରିଷ୍ଣନଙ୍କୁ ସ୍ଥାନ ଦେଇଛନ୍ତି। ପ୍ରିୟଙ୍କା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଯିଏକି ନ୍ୟୁଜିଲାଣ୍ଡ କ୍ୟାବିନେଟରେ ଯୋଗ ଦେଇଛନ୍ତି। ପ୍ରିୟଙ୍କାଙ୍କୁ ସାମାଜିକ ବିକାଶ ଏବଂ ରୋଜଗାର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ପ୍ରିୟଙ୍କା ରାଧାକ୍ରିଷ୍ଣନଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। କିନ୍ତୁ ସେ ସିଙ୍ଗାପୁରରେ ପିଲାବେଳ କାଟିଥିଲେ। ପରେ ପ୍ରିୟଙ୍କା ଉଚ୍ଚଶିକ୍ଷା ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲେ। ନ୍ୟୁଜିଲାଣ୍ଡରେ ଅଧ୍ୟୟନ ସମାପ୍ତ କରିବା ପରେ ପ୍ରିୟଙ୍କା ସେଠାରେ ଓକିଲ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଓକିଲ ଭାବେ ସେ ଘରୋଇ ହିଂସାର ଶିକାର ହୋଇଥିବା ମହିଳା, ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱର ଉଠାଇଥିଲେ।

ଏହାପରେ  ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ ସେପ୍ଟେମ୍ବରରେ ସେ ସାଂସଦ ଭାବେ ପ୍ରଥମ କରି ନିର୍ବାଚିତ ହୋଇଥିଲେ। ଏହାପରେ ନ୍ୟୁଜିଲାଣ୍ଡରେ ସେ ପ୍ରଭାବଶାଳୀ ନେତ୍ରୀ ଭାବେ ସ୍ଥାନ ସୃଷ୍ଟି କରିଥିଲେ।  ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ତାଙ୍କ ସ୍ୱାମୀଙ୍କ ସହ ଏବେ ଅକଲ୍ୟାଣ୍ଡରେ ରହୁଛନ୍ତି।

Comment