ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କଲେ ନବୀନ।

ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବାକୁ ହେଲେ ଆମକୁ କୋଭିଡ୍ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ଜାରି ରଖିବାକୁ ପଡ଼ିବ। ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ। କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ପୂଜା ସମୟରେ କୋଭିଡ୍ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ  ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କଠାରେ କେତେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡ଼ିଛି। ତେଣୁ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି। ମନରେଗା, ମିଶନ ଶକ୍ତି ପରି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତ୍ତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କୋଭିଡ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ କମିଛି ଏବଂ ହସ୍‌ପିଟାଲରେ ଆଇସିୟୁ ଓ ଶଯ୍ୟା ସନ୍ତୋଷଜନକ ରହିଛି ବୋଲି ସେ କହିଛନ୍ତି। ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି । ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି । ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଁ ୦.୪୬ ପ୍ରତିଶତ ରହିଛି ବୋଲି ବୈଠକରେ ସେ ସୂଚନା ଦେଇଛନ୍ତି।

ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Comment