ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହାଁ ହୋଇଛି। କିନ୍ତୁ କମିବାର ନାଁ ଧରୁନାହିଁ ମୃତ୍ୟୁସଂଖ୍ୟା। ପ୍ରାୟତଃ ଦିନକୁ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୭୮ରେ ପହଞ୍ଚିଲାଣି।

ଗୁରୁବାର ୧୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି। ବୁଧବାର ଦିନ ଏହି ସଂଖ୍ୟା ୧୨ ଥିଲା। ସେହିପରି ମଙ୍ଗଳବାର ମଧ୍ୟ ୧୨ ଜଣ ଆକ୍ରାନ୍ତ ଆଖି ବୁଜିଥିଲେ।ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କଡ଼ା କୋଭିଡ୍ କଟକଣା ଯୋଗୁ ରାଜ୍ୟରେ ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ପୂର୍ବରୁ ଏହି ସଂଖ୍ୟା ୩ରୁ ୪ ହଜାର ଭିତରେ ରହୁଥିବା ବେଳେ ଏବେ ଏହା ୧୫୦୦ ତଳକୁ ଖସିଛି। କିନ୍ତୁ ମୃତ୍ୟୁସଂଖ୍ୟା ଉପରେ ରୋକ୍ ଲାଗିପାରୁନାହିଁ।

ଗତ କିଛି ଦିନର ରିପୋର୍ଟକୁ ଅନୁଧ୍ୟାନ କଲେ, କରୋନାରେ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା ଦେଖାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ରୋଗୀ ଥିବା ସ୍ଵାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।ଅପରପକ୍ଷେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ୍ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାର ପଜିଟିଭ୍ ହାର ୩.୫୫ ପ୍ରତିଶତ ଓ ମୃତ୍ୟୁହାର ୧.୧୧ ପ୍ରତିଶତ ରହିଥିବା ସରକାରୀ ତଥ୍ୟ ଦର୍ଶାଉଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨,୯୭,୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୩୭୮ ଜଣ ପ୍ରାଣ ହରାଇଛନ୍ତି।

ଯଦି ମୃତ୍ୟୁସଂଖ୍ୟାକୁ ଅନ୍ୟ ରାଜ୍ୟ ସହ ତୁଳନା କରାଯାଏ, ତେବେ ମହାରାଷ୍ଟ୍ରରେ ଏଯାବତ୍ ୪୪,୫୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କର୍ଣ୍ଣାଟକରେ ୧୧,୨୮୧ ଜଣ, ପଶ୍ଚିମବଙ୍ଗରେ ୭,୦୬୮ ଜଣ, ଆନ୍ଧ୍ର ପ୍ରଦେଶରେ ୬,୭୪୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment