ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦର ଏକ ଟ୍ରାଫିକ୍ କନଷ୍ଟେବଳଙ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା। ଏହି ଟ୍ରାଫିକ୍ ପୋଲିସ ଜଣକ ଭିଡ଼ ଭିତରେ ଗୋଟିଏ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଯାଇ ୨ କିଲୋମିଟର ପର୍ଯ୍ୟନ୍ତ ଦୋଡ଼ି ଦୌଡ଼ି ରାସ୍ତାକୁ ଫାଙ୍କା କରିଥିଲେ। ଯାହାକୁ ନେଇ ଏବେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।

ସୋମବାର ସନ୍ଧ୍ୟା ୬ଟାରୁ ୭ଟା ଭିତରେ ହାଇଦ୍ରାବାଦର ଜିପିଓ ଛକରେ ପ୍ରବଳ ଗହଳି ଲାଗି ରହିଥିଲା। ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍ ଲାଗି ରହିଥିଲା। ଏହାରି ଭିତରେ ଫସିଯାଇଥିଲା ଏକ ଆମ୍ବୁଲାନ୍ସ। ଭିଡ଼ ଭିତରେ ଫସି ରହିଥିବାରୁ ଆମ୍ବୁଲାନ୍ସଟି ହସ୍ପିଟାଲକୁ ଯାଇପାରୁନଥିଲା। ଏହାପରେ ସେହି ଭିଡ଼ରୁ ଆମୁଲାନ୍ସକୁ ମୁକୁଳାଇବାର ଦାୟିତ୍ୱ ନେଇଥିଲେ ସେ ସମୟରେ ଡ୍ୟୁଟିରେ ଥିବା ଜି ବାବାଜି ନାମକ ଟ୍ରାଫିକ୍ କନଷ୍ଟେବଳ।ସେ ନିଜେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆଗରେ ଦୌଡ଼ି ଦୌଡ଼ି ରାସ୍ତାକୁ ଖାଲି କରିଥିଲେ। ଯେଉଁମାନେ ଆମ୍ବୁଲାନ୍ସ ସାମ୍ନାରେ ଆସୁଥିଲେ ତାଙ୍କୁ ତୁରନ୍ତ ସେଠାରୁ ହଟିବାକୁ କହୁଥିଲେ। ଟ୍ରାଫିକ୍ କନଷ୍ଟେବଳଙ୍କ ଏହି ସମୟର ଭିଡିଓକୁ ଆମ୍ବୁଲାନ୍ସରେ ବସିଥିବା ଜଣେ ଲୋକ ସୁଟ୍ କରି ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ।

ଏହାପରେ ଟ୍ରାଫିକ୍ କନଷ୍ଟେବଳଙ୍କ ଏହି ମହାନ କାମ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ସାହାଯ୍ୟ ମନୋବୃତ୍ତି ରଖି କାମ କରିବାକୁ କହିଛନ୍ତି।

Comment