ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଦିନେ କୁଖ୍ୟାତ ମାଓବାଦୀ ନେତ୍ରୀ ଥିଲେ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ବିଧାୟିକା ଦାନସାରି ଅନୁସୂୟା(ଛଦ୍ମନାମ ସିଥକ୍କା)। ତାଙ୍କ ନାଁ ଶୁଣିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ୍ ପର୍ଯ୍ୟନ୍ତ ସମସ୍ତେ ଭୟ କରୁଥିଲେ। ପରବର୍ତ୍ତୀ ସମୟରେ ମାଓବାଦୀ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତ ସାମିଲ ହେଲେ ଏବଂ ଏବେ ନିଜ ଚେଷ୍ଟାରେ ଡକ୍ଟରେଟ୍ ଉପାଧି ଲାଭ କରିବାର ଗୌରବ ଅର୍ଜନ କରିଛନ୍ତି।

ସିଥକ୍କା ଓସମାନିଆ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଛନ୍ତି। ୱାରଙ୍ଗାଲ ଏବଂ କାମାମ ଜିଲ୍ଲାର ଗୁଥିକୋୟା ଜନଜାତିର ସାମାଜିକ ଅବସ୍ଥା ସମ୍ପର୍କରେ ଅଧ୍ୟୟନ କରୁଥିଲେ। ରାଜନୀତି ବିଜ୍ଞାନରେ ତାଙ୍କର ସମ୍ପୂର୍ଣ୍ଣ ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚଡି ପ୍ରଦାନ କରାଯାଇଛି। ଓସମାନିଆ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ତଥା ବର୍ତ୍ତମାନ ମଣିପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତିରୁପତି ରାଓଙ୍କ ଅଧୀନରେ ସିଥିକ୍କା ପିଏଚଡି କରୁଥିଲେ।

ଡକ୍ଟରେଡ ଲାଭ କରିବା ପରେ ସିଥିକ୍କା ନିଜର ଖୁସି ଜାହିର କରିବା ସହ ଭାବବିହ୍ଵଳ ହୋଇପଡ଼ିଥିଲେ। ସେ କହିଥିଲେ ଯେ, “ଯେତେବେଳେ ମୁଁ ମାଓବାଦୀ ନେତ୍ରୀ ଥିଲି ଓକିଲ ହେବା କଥା ଭାବିନଥିଲି। ଯେତେବେଳେ ଓକିଲ ହେଲି ସେତେବେଳେ ବିଧାୟିକା ହେବା କଥା ଚିନ୍ତା କରିନଥିଲି ଏବଂ ଯେତେବେଳେ ବିଧାୟିକା ଭାବେ ଲୋକଙ୍କ ସେବାରେ ନିୟୋଜିତ ଥିଲି ସେତେବେଳେ ପିଏସଚି ପାଇବି ବୋଲି ଆଶା କରିନଥିଲି।”

ସେ ଅତ୍ୟନ୍ତ ଖୁସି ହୋଇ କହିଥିଲେ ଯେ, ଏବେ ତାଙ୍କ ନାଁ ଖାଲି ସିଥିକ୍କା ନୁହେଁ ବରଂ ଡକ୍ଟର ସିଥିକ୍କା ବୋଲି ଲେଖାଯିବ। ସେ କହିଥିଲେ ମାସବାଦୀ ସଂଗଠନରେ ମିଶିବାଠାରୁ ବିଧାୟିକା ହେବା ପର୍ଯ୍ୟନ୍ତ ସମୟ ମଧ୍ୟରେ ନିଜ ରାଜ୍ୟର ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ଅନେକ କାର୍ଯ୍ୟ କରିଛନ୍ତି। ଆଗକୁ ମଧ୍ୟ ଜନହିତକାର କାର୍ଯ୍ୟରେ ସେ ନିଜକୁ ନିୟୋଜିତ ରଖିବେ।

ସିଥିକ୍କା କଂଗ୍ରେସ ଟିକେଟରୁ ବିଧାୟିକା ନିର୍ବାଚିତ ହୋଇଥିଲେ। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Tags: #Maoist ##MaoCadre #Telengana #MuluguMLA #Sithikka

LEAVE A REPLY

Please enter your comment!
Please enter your name here