ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଏହି ଜିଲ୍ଲାରେ ବାସ କରୁଥିବା ଜଣେ ୩୦ ବର୍ଷୀୟ ଯୁବକଙ୍କ ପାଖରେ ଶବ ସତ୍କାର କରିବା ନିମନ୍ତେ ପଇସା ନଥିବାରୁ ସେ ତାଙ୍କ ଅଜାଙ୍କ ମୃତ ଦେହକୁ ୩ ଦିନ ପର୍ଯ୍ୟନ୍ତ ଫ୍ରିଜରେ ପୂରାଇ ରଖିଥିଲେ। ବର୍ତ୍ତମାନ ଏହି ଖବର ସମଗ୍ର ଅଞ୍ଚଳବାସୀଙ୍କୁ ଚକିତ କରିଛି।

ନିଖିଲ ଏବଂ ତାଙ୍କ ୯୩ ବର୍ଷୀୟ ଅଜା ୱାରଙ୍ଗଲ ଜିଲ୍ଲାର ପାରକାଲା ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ବୃଦ୍ଧ ଜଣଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ। ଯାହା ପେନସନ୍ ମିଳୁଥିଲା ସେଥିରେ ଉଭୟ ଚଳୁଥିଲେ। ତେବେ କିଛି ଦିନ ପୂର୍ବରୁ ଅଜାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନ ନେଇ ନାତି ନିଖିଲ ଘରେ ଚିକିତ୍ସା କରାଇଥିଲେ। ପରେ ଚିକିତ୍ସାଧିନ ଅବସ୍ଥାରେ ଅଜାଙ୍କ ମୃତ୍ୟୁ ହୋଇଥିଲା।

ଅଜାଙ୍କ ମୃତ ଦେହକୁ ନିଖିଲ ଏକ ବେଡସିଟରେ ଗୁଡ଼ାଇ ଫ୍ରିଜ ଭିତରେ ରଖି ଦେଇଥିଲା। କିନ୍ତୁ ୩ ଦିନ ପରେ ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ସନ୍ଦେହ କରି ପ୍ରଥମେ ନିଖିଲକୁ ପଚାରିଥିଲେ। ସେ କୌଣସି ଉତ୍ତର ନଦେବାରୁ ସେମାନେ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ।ତେବେ ଖବର ପାଇ ପୋଲିସ ଅଫିସର ଶିବରାମୟା ଓ ମହେନ୍ଦ୍ର ରେଡ୍ଡୀ ସେଠାରେ ପହଞ୍ଚି ଫ୍ରିଜ ଭିତରେ ଥିବା ବୃଦ୍ଧଙ୍କ ଶବକୁ ଉଦ୍ଧାର କରିଥିଲେ। ତଦନ୍ତ ସମୟରେ ନାତି ନିଖିଲକୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲା, ପାଖରେ ଶବ ସତ୍କାର ପାଇଁ ପଇସା ନଥିବାରୁ ସେ ଏଭଳି କରିଥିଲା। ପଇସା ସଂଗ୍ରହ ହେବା ପରେ ସେ ଅଜାଙ୍କ ଶବ ସତ୍କାର କରିଥାନ୍ତା।

ନିଖିଲର ଏହି ବୟାନକୁ ପୋଲିସ ସହଜରେ ଗ୍ରହଣ କରିପାରିନାହିଁ। ପୋଲିସ ସନ୍ଦେହ କରୁଛି, କାଳେ ବୃଦ୍ଧଙ୍କ ମୃତ୍ୟୁ ଖବର ପ୍ରସାର ହୋଇଗଲେ ପେନସନ୍ ବନ୍ଦ ହୋଇଯିବ, ସେଥିପାଇଁ ହୁଏତ ନିଖିଲ ଏପରି କରିଥାଇପାରେ। ତେବେ ଏ ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସତ୍ୟାସତ୍ୟ ସାମ୍ନାକୁ ଆସିନଥିବାବେଳେ, ପୋଲିସ ତା’ ନିଜ ଆଡ଼ୁ ଏକ ସନ୍ଦେହଜନକ ମୃତ୍ୟୁ ମାମାଲ ରୁଜୁ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here