ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବରିଷ୍ଠ ମାଓବାଦୀ ନେତ୍ରୀ ମାଧବୀ ହାଡେମ। ସେ ଦକ୍ଷିଣ ବସ୍ତର ଡିଭିଜନ କମିଟିର ସଦସ୍ୟ ଥିଲେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ଏମ ମହେନ୍ଦ୍ର ରେଡ୍ଡୀ।

ଆତ୍ମସମର୍ପଣ କରିଥିବା ମାଧବୀ ହେଉଛନ୍ତି କୁଖ୍ୟାତ ମାଓବାଦୀ ରାଭୁଲା ଶ୍ରୀନିବାସଙ୍କ ପତ୍ନୀ। ରାଭୁଲା କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ନିଷିଦ୍ଧ ସିପିଆଇ (ମାଓବାଦୀ)ର ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଚିବ ଥିଲେ। ୨୦୧୯ ମସିହା ଡିସେମ୍ବର ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଧବୀ ମାଓବାଦୀ ଥିବା ସମୟରେ ବହୁ ମାମଲାରେ ଲିପ୍ତ ଥିଲେ। ଏଥିମଧ୍ୟରୁ ସୁରକ୍ଷା ବାହିନୀ ଉପରେ ପାଞ୍ଚ ପାଞ୍ଚ ଥର ଆକ୍ରମଣ ଓ ଚାରିଟି ଲ୍ୟାଣ୍ଡମାଇନ ଆକ୍ରମଣରେ ସମ୍ପୃକ୍ତି ଥିଲେ। ଯେଉଁଥିରେ ଅନେକ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିଲା।

ନିଜର ବୈପ୍ଲିବିକ ଚିନ୍ତା ଧାରାରେ ସେ ନିଜ ଦଳରେ ପ୍ରାୟ ୩୫୦ ସଦସ୍ୟଙ୍କୁ ସାମିଲ କରି ପାରିଥିଲେ। ତେଲେଙ୍ଗାନା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇଥିଲେ ମାଧବୀ। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନଯାପନ କରିବାକୁ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି।

Tags: #MaoistLeader #Telengana #Surrender #SeniorMaoistLeader #MadhaviHademSurrenders

Comment