ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପାକିସ୍ତାନ ଜେଲ୍‌ରେ ଦୀର୍ଘ ଚାରି ବର୍ଷର ସଜା କାଟିବାପରେ ନିଜ ଦେଶକୁ ଫେରିଛନ୍ତି ଆନ୍ଧ୍ରପ୍ରଦେଶ ବିଶାପାଟଣାର ଜଣେ ୩୨ବର୍ଷୀୟ ଯୁବକ। ତାଙ୍କର ନାଁ ହେଉଛି ୱାଇଣ୍ଡମ ପ୍ରଶାନ୍ତ। ସେ ପେସାରେ ଜଣେ ସପ୍ଟୱେୟାର ଇଞ୍ଜିନିୟର ଅଟନ୍ତି। ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ହେବାପରେ ତାଙ୍କୁ ଭେଟିବାକୁ ଯାଇ ପାକିସ୍ତାନରେ ଫଶି ଯାଇଥିଲେ। ଏବେ କେନ୍ଦ୍ର ଗୃହମନ୍ତ୍ରାଳୟ ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରଶାନ୍ତ ନିଜ ଘରକୁ ଫେରିଛନ୍ତି।ପ୍ରଶାନ୍ତ ୨୦୧୭ ମସିହାରେ ହାଇଦ୍ରାବାଦର ଏକ କମ୍ପାନିରେ କାମ କରିବା ସମୟରେ ମଧ୍ୟପ୍ରଦେଶର ଜଣେ ଯୁବତୀଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ହୋଇଥିଲା। ପରେ ପ୍ରଶାନ୍ତ ତାଙ୍କୁ ଦେଖା କରିବାକୁ ଚାହିଁଥିଲେ। ସେତେବେଳେ ଯୁବତୀ ଜଣଙ୍କ ସୁଇଜରଲାଣ୍ଡରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥାନ୍ତି। କିନ୍ତୁ ପ୍ରଶାନ୍ତଙ୍କ ପାଖରେ ସୁଇଜରଲ୍ୟାଣ୍ଡ ଯିବାକୁ ପଇସା ନଥିବାରୁ ସେ ଗୁଗୁଲର ସାହାରା ନେଇଥିଲେ। ସେଥିରୁ ଜାଣିବାକୁ ପାଇଲେ ଯେ, ଭାରତରୁ ପାକିସ୍ଥାନ ଦେଇ ସୁଇଜରଲାଣ୍ଡକୁ ଚାଲି ଚାଲି ୬୦ ଦିନରେ ପହଞ୍ଚିହେବ। ଏଥିପାଇଁ ସେ ୨୦୧୭ ଏପ୍ରିଲ ୧୧ରେ ଘରେ କିଛି ନଜଣାଇ ଟ୍ରେନ ଯୋଗେ ରାଜସ୍ଥାନର ବିକାନିର ଯାଇଥିଲେ। ସେଠାରୁ ସେ ଭାରତ-ପାକିସ୍ତାନ ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ସେଠାରେ ପ୍ରବେଶ କରିବାପରେ ଭବାଲପୁର ପୋଲିସ ତାଙ୍କୁ ଗିରଫ କରିଥିଲା।ଏପେଟ ପ୍ରଶାନ୍ତଙ୍କ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜିପରେ ଏପ୍ରିଲ ୨୯ ତାରିଖରେ ମାଧପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ନିଖୋଜ ମାମଲା ସମ୍ପର୍କରେ ସାଇବରବାଦ ପୋଲିସ କମିସନର ଭିସି ସଜାନାରଙ୍କୁ ଅବଗତ କରାଯାଇଥିଲା। ପ୍ରାୟ ଦେଢ଼ ବର୍ଷ ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିବା ଗୋଟିଏ ଭିଡିଓ ଦ୍ୱାରା ପ୍ରଶାନ୍ତ ପାକିସ୍ତାନରେ ଅଟକ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ସାଇବରବାଦ ପୋଲିସ କମିଶନରଙ୍କୁ ଜଣାଇଥିଲେ। ପରେ କମିସନର ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ପାକିସ୍ତାନ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିଲା।ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଦୀର୍ଘ ୪ ବର୍ଷ ପରେ ମେ’ ୩୧ ତାରିଖ ଦିନ ପ୍ରଶାନ୍ତଙ୍କୁ ପାକିସ୍ତାନ ଜେଲ କର୍ତ୍ତୃପକ୍ଷ ରିଲିଜ୍ କରିଥିଲେ। ପାକିସ୍ତାନର ଭବାଲପୁର ପୋଲିସ ତାଙ୍କୁ ୱାଘା-ଅଟ୍ଟାରୀ ବୋର୍ଡରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ସେଠାରୁ ତେଲେଙ୍ଗାନା ପୋଲିସ ଅଧିକାରୀ ପ୍ରଶାନ୍ତକୁ ହାଇଦ୍ରାବାଦ ଆଣି ଶନିବାର ବିଶାଖାପାଟଣାରେ ରହୁଥିବା ପ୍ରଶାସନ୍ତଙ୍କ ବାପା ମା’ଙ୍କ ନିକଟରେ ଛାଡ଼ିଛନ୍ତି।

ପ୍ରଶାନ୍ତ ନିଜର ପ୍ରତିକ୍ରିୟାରେ କହିଛନ୍ତି, “ମୁଁ ଭାବିଥିଲି ମୋ ବାପାଙ୍କ ସହ ମୋର ଆଉ ଦେଖା ହୋଇପାରିବ ନାହିଁ। ସେଠାରେ ପହଞ୍ଚିବା ସମୟରେ ମତେ ହିନ୍ଦୀ ଠିକ୍‌ରେ କହିବା ଜଣାନଥିଲା। କିନ୍ତୁ ଜେଲ୍‌ରେ ରହି ସ୍ଥାନୀୟ ଉର୍ଦ୍ଦୁ ଭାଷା ଶିଖିଲି। ଜେଲ୍ ଭିତରେ ଏକାଧିକ ବହି ପଢ଼ିବାର ସୁଯୋଗ ମଧ୍ୟ ପାଇଥିଲି। କେବଳ ଭଗବାନ, ତେଲେଙ୍ଗାନା ଓ ଭାରତ ସରକାରଙ୍କ ଉଦ୍ୟମ ଯୋଗୁଁ ମୁଁ ପୁଣିଥରେ ନିଜ ଜନ୍ମସ୍ଥାନକୁ ଫେରିପାରିଛି।”

Comment