ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ୍ଵୁଲାନ୍ସକୁ ଭଡ଼ା ନ ମିଳିବାରୁ ହସ୍ପିଟାଲ ଛାତରେ ଛଢ଼ି ଅକ୍ସିଜେନ୍ ସଂଯୋଗ କାଟିଦେଲେ ଆମ୍ଵୁଲାନ୍ସ ଚାଳକ।

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ଭଳି ମହାମାରୀ ସମୟରେ ହଜିଗଲା ମାନବିକତା। ଜୀବିକା ପାଇଁ ଜୀବନ ନେବାକୁ ପଛାଇଲେନି ଆମ୍ଵୁଲାନ୍ସ ଚାଳକ। ହସ୍ପିଟାଲ ଆଗରେ ଛିଡ଼ାହୋଇ ମଧ୍ୟ ଆମ୍ଵୁଲାନ୍ସ ପାଇଁ ଭଡ଼ା ମିଳିଲାନି। ଶେଷରେ ଭଡ଼ା ମିଳିବା ପାଇଁ ଆମ୍ଵୁଲାନ୍ସ ଚାଳକମାନେ ହସ୍ପିଟାଲ ଛାତରୁ ଅକ୍ସିଜେନ୍ ସଂଯୋଗ ବନ୍ଦ କରିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ।

ତେଲେଙ୍ଗାନା ରାଜ୍ୟରେ ଏବେ କରୋନା ସ୍ଥିତିରେ ସୁଧାର ଆସିଛି। ସଂକ୍ରମଣ ସହ ମୃତ୍ୟୁ ହାରରେ ମଧ୍ୟ ହ୍ରାସ ଘଟିଛି। ତଥାପି ରାଜ୍ୟର ବହୁ ହସ୍ପିଟାଲରେ ଶତାଧିକ ସଂଖ୍ୟାରେ କୋଭିଡ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ କରୋନା କଟକଣା ପାଇଁ ଅନେକ ଲୋକ ନିଜର ଜୀବିକା ହରାଇ ଜୀବନ ପାଇଁ ବିକଳ୍ପ ପନ୍ଥା ବାହାର କରୁଛନ୍ତି। କୋଭିଡ୍ ସମୟରେ ଆମ୍ଵୁଲାନ୍ସର ଚାହିଦା ବଢ଼ିଥିବାରୁ ଅନେକ ଭଡ଼ାରେ ଆମ୍ଵୁଲାନ୍ସ ବ୍ୟବସାୟ ଚଳାଇଛନ୍ତି।  oxygen_covid19_indiaଏହିପରି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲା ମୁଖ୍ୟ ହସ୍ପିଟାଲ ବାହାରେ କେତେକ ଘରୋଇ ଆମ୍ଵୁଲାନ୍ସ ଚାଳକମାନେ ଭଡ଼ା ପାଇଁ ଜଗି ବସିଥାନ୍ତି। ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ସୁଧାର ଆସୁଥିବାରୁ ବହୁଦିନ ହେବ ସେମାନଙ୍କୁ ବିଶେଷ ଭଡ଼ା ମିଳୁନି। ଏପରିକି କୋଭିଡ୍ ମୃତ୍ୟୁହାର କମିଥିବାରୁ ରୋଗୀଙ୍କ ଶବ ବୋହିବାକୁ ମଧ୍ୟ ବିଶେଷ ଆମ୍ଵୁଲାନ୍ସର ଆବଶ୍ୟକତା ପଡୁନି। ତେଣୁ ନିଜାମାବାଦ ହସ୍ପିଟାଲ ଆଗରେ ବସିଥିବା ୩ ଜଣ ଆମ୍ଵୁଲାନ୍ସ ଚାଳକ ଭଡ଼ା ନ ମିଳିବାରୁ ହସ୍ପିଟାଲ ଛାତରେ ଛଢ଼ି ଅକ୍ସିଜେନ୍ ସଂଯୋଗ କାଟି ଦେଇଥିଲେ। ସେମାନଙ୍କ ଯୋଜନା ଥିଲା ଯେ, ଅକ୍ସିଜେନ୍ ନ ମିଳିଲେ ରୋଗୀଙ୍କ ମୃତ୍ୟୁ ହେବ କିମ୍ଵା ଚିକିତ୍ସା ପାଇଁ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯିବ, ଆଉ ଏଥିରେ ଅଧିକ ଆମ୍ଵୁଲାନ୍ସର ଆବଶ୍ୟକତା ପଡ଼ିବ। ଫଳରେ ସେମାନେ ସହଜରେ ଭଡ଼ା ପାଇପାରିବେ।oxygen_covid19ହସ୍ପିଟାଲରୁ ଅକ୍ସିଜେନ୍ ସଂଯୋଗ ବନ୍ଦ କରିବା ପରେ ଭେଣ୍ଟିଲେଟରରେ ଅକ୍ସିଜେନ୍ ନ ଆସି ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତେଣୁ ହସ୍ପିଟାଲ କର୍ମଚାରୀ ଛାତକୁ ଯାଇ ଅକ୍ସିଜେନ୍ ସିଲିଣ୍ଡର ଚେକ୍ କରିବା ବେଳକୁ ଆମ୍ଵୁଲାନ୍ସ ଚାଳକମାନେ ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଫେରାର୍ ହୋଇଥିବା ବେଳେ ଜଣଙ୍କୁ ହସ୍ପିଟାଲ କର୍ମଚାରୀମାନେ କାବୁ କରିନେଇଥିଲେ।

ହସ୍ପିଟାଲ ପକ୍ଷରୁ ଅଭିଯୁକ୍ତକୁ ପୋଲିସ ଜିମା ଦିଆଯାଇଛି। ପୋଲିସ ତା ନାଁରେ ଏକ ମାମଲା ରୁଜୁ କରି ବାକି ୨ ଜଣଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତେଲେଙ୍ଗାନା ମନ୍ତ୍ରୀ କେ. ତାରକା ରାମ ରାଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ସେବା ପାଇଁ ଅଧିକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି।

Comment