ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ତେଲେଙ୍ଗାନାର ଜଣେ ଜ୍ୟୋତିଷଙ୍କ ଘରୁ ୧୮ କୋଟି ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ସଂପୃକ୍ତ ଜ୍ୟୋତିଷଜଣକ ହେଲେ ଏ ବେଲାମକୋଣ୍ଡା ମୁରଲୀକୃଷ୍ଣ ଶର୍ମା। ସେ ହାଇଦ୍ରାବାଦ ଅନ୍ତର୍ଗତ ନାଗୁଲୁ ଅଞ୍ଚଳର ବାସିନ୍ଦା।

ଗତ କିଛିଦିନ ତଳେ ଜ୍ୟୋତିଷ ବେଲାମକୋଣ୍ଡାଙ୍କ ଘରୁ କିଛି ରତ୍ନ ପଥର ସହ ନଗଦ ଟଙ୍କା ଚୋରି ହୋଇଯାଇଥିଲା। ଏନେଇ ସେ ଏଲ୍.ବି.ନଗର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ପୋଲିସ ରତ୍ନପଥର ଏବଂ କିଛି ନଗଦ ଟଙ୍କା ଜବତ କରିଥିଲା।ଜ୍ୟୋତିଷଜଣକ ନକଲି ଟଙ୍କା ରଖିଛନ୍ତି ବୋଲି ଗିରଫ ଅଭିଯୁକ୍ତମାନେ ପୋଲିସକୁ କହିଥିଲେ। ଏନେଇ ପୋଲିସ ଜ୍ୟୋତିଷଙ୍କୁ ପଚରା ଉଚରା କରିଥିଲା। କିନ୍ତୁ ପୋଲିସ ତାଙ୍କଠାରୁ କିଛି ସନ୍ତୋଷଜନକ ଉତ୍ତର ପାଇ ନଥିଲା। ଏହାପରେ ଜ୍ୟୋତିଷଙ୍କ ଘରେ ଚଢ଼ାଉ କରି ପୋଲିସ ନଗଦ ୧୮ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନକଲି ନୋଟ୍‌ ଜବତ କରିଥିଲା। ସେଥିମଧ୍ୟରୁ ୬ ଲକ୍ଷ ଅସଲି ନୋଟ୍ ସହ କିଛି ରତ୍ନ ପଥର ବି ଥିଲା।ଜଣେ ସାଧାରଣ ଜ୍ୟୋତିଷଙ୍କ ପାଖରେ ଏତେ ନକଲି ଟଙ୍କା କେଉଁଠୁ ଆସିଲା? ଏହି ନକଲି ଟଙ୍କା କାରବାର ପଛରେ କୌଣସି ବଡ଼ ଗ୍ୟାଙ୍ଗର ହାତ ରହିଛି ନା ନାହିଁ? ଏସବୁର ଉତ୍ତର ପାଇଁ ପୋଲିସ ଜ୍ୟୋତିଷଙ୍କୁ ଧରି ଖୋଳତାଡ଼ ଜାରି ରଖିଛି।

Comment