ଓଡ଼ିଶାଲାଇଭ୍ ବ୍ୟୁରୋ

corona vaccine-1

ତାପମାତ୍ରା ଉପରେ ନିର୍ଭର କରୁନଥିବା ଟିକାଟିଏ ବଜାରକୁ ଆସିଲେ ତାହା ଭାରତ ପାଇଁ ଲାଭପ୍ରଦ ହେବ।

କରୋନା ସଂକ୍ରମଣ ଟିକେ କମିଛି, ହେଲେ ଆଗକୁ ସଂକ୍ରମଣ ବଢିବ ନେଇ ଆଶଙ୍କା କରାଯାଉଛି। ଗୋଟିଏ ପଟେ ନୂଆ ସଂକ୍ରମଣ ଅନ୍ୟପଟେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପରବର୍ତ୍ତୀ ଚିକିତ୍ସା। ଏ ସମୟରେ କରୋନା ଟିକା ଆସିବ ଆସିବ ବୋଲି ଆଲୋଚନା ଚାଲିଛି।

କିଛି ଲୋକ ଆଶାବାଦୀ ଅଛନ୍ତି ଟିକା ଆସିଲେ ହୁଏତ ମହାମାରୀର ମୁକାବିଲା ସହଜ ହେବ। ହେଲେ ଏ ପରିସ୍ଥିତିରେ କରୋନା ଟିକାକରଣକୁ ନେଇ ବଡ଼ ସମସ୍ୟା ହେଉଛି, ଯେ ଏହାକୁ ଲୋକଙ୍କ ପାଖରେ କେମିତି ପହଞ୍ଚାଯିବ। କାରଣ ଏ ପର୍ଯ୍ୟନ୍ତ ଯେତିକି ଟିକା ବିକଶିତ ହେଉଛି ବା ସାମୂହିକ ଟିକାକରଣ ପାଇଁ ଉପଲବ୍ଧ ହେବାକୁ ଯାଉଛି ସେ ସବୁକୁ ଶୂନ ଡିଗ୍ରି ତାପମାତ୍ରା ଅର୍ଥାତ ବରଫାଙ୍କରେ ହିଁ ସଂରକ୍ଷଣ କରିବାକୁ ପଡ଼ିବ। ଏ ପରିସ୍ଥିତିରେ ଭାରତ ଭଳି ଉଷ୍ମ ଦେଶଗୁଡ଼ିକରେ ଏହାକୁ ଦୁର୍ଗମ ଓ ଅଗମ୍ୟ ଅଞ୍ଚଳରେ ପହଞ୍ଚାଇବା ସ୍ଥାନୀୟ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ପ୍ରାୟ ସବୁ ଟିକାର ପରିବହନ ଓ ଟିକାକରଣ ପର୍ଯ୍ୟନ୍ତ ଅତି କମରେ ୨ ଡିଗ୍ରିରୁ ୮ ଡିଗ୍ରି ସେଲସିୟସ ତାପମାତ୍ରାରେ ରଖିବାକୁ ପଡ଼ିବ ଆଉ ସଂରକ୍ଷଣ ବେଳେ ଶୂନ ଡିଗ୍ରି ତଳକୁ ତାପମାତ୍ରା ଅର୍ଥାତ କୋଲ୍ଡ ଚେନ୍ ବିତରଣ ହିଁ କରିବାକୁ ପଡ଼ିବ।

ଯଦି ଏମିତି ପରିସ୍ଥିତିରେ ତାପମାତ୍ରା ଉପରେ ନିର୍ଭର କରୁନଥିବା ଟିକାଟିଏ ବଜାରକୁ ଆସେ ତାହାଲେ ତାହା ଭାରତରେ ପୂରା ଲାଭପ୍ରଦ ସାବ୍ୟସ୍ତ ହେବ। ଭାରତୀୟ ବୈଜ୍ଞାନିକ ଦଳ ଏମିତି ଏକ ଟିକା ଉପରେ କାମ କରୁଛନ୍ତି ଯାହା ତାପମାତ୍ରା ସହନଶୀଳ ହେବ ଅର୍ଥାତ ଗରମରେ ରହିପାରିବ। ସେମାନଙ୍କ ଦାବି ଅନୁସାରେ ଏହି ଟିକାକୁ ୧୦୦ ଡିଗ୍ରି ତାପମାତ୍ରାରେ ୯୦ ମିନିଟ ଓ ୭୦ ଡିଗ୍ରି ତାପମାତ୍ରାରେ ୧୬ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିହେବ। ଆଉ ୩୭ ଡିଗ୍ରି ସେଲସିୟସ ତାପମାତ୍ରାରେ ମାସକରୁ ବି ଅଧିକ ଦିନ ଯାଏ ସୁରକ୍ଷିତ ରଖିହେବ।ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବୈଜ୍ଞାନିକଙ୍କ କହିବା ଅନୁସାରେ ସେମାନେ ଏହି ଟିକାର ପରୀକ୍ଷଣ ପଶୁଙ୍କ ଦେହରେ କରିଥିଲେ ଆଉ ଫଳାଫଳ ବେଶ ଉତ୍ସାହଜନକ ଓ ଫଳପ୍ରଦ ରହିଛି। ତେବେ ମାନବୀୟ ପରୀକ୍ଷଣ ପାଇଁ ସେମାନେ ପାଣ୍ଠିର ଅପେକ୍ଷାରେ ଅଛନ୍ତି।

ନିକଟ ଭବିଷ୍ୟତରେ ମାନବୀୟ ବ୍ୟବହାର ପାଇଁ ଆସିବାକୁ ଥିବା ଟିକାର ପ୍ରାୟ ୬୦ କୋଟି  ଡୋଜ ଭାରତ ହାସଲ କରିବାର ସମ୍ଭାବନା ରହିଛି। ୨୦୨୧ ଜାନୁଆରୀରୁ ଜୁଲାଇ ମଧ୍ୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି। ଏହାକୁ ଭାରତର ଲୋକପ୍ରିୟ ତଥା ୪୨ ବର୍ଷ ପୁରୁଣା ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ। ଦେଶରେ ବ୍ୟାପକ ସରକାରୀ କୋଲ୍ଡ ଷ୍ଟୋର ସମେତ ୮୦ କୋଟି ସ୍ଥାନରେ ଟିକାକରଣ କରିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ଯାଏ ବିକଶିତ ତାପମାତ୍ରା ଅସହନଶୀଳ ଟିକାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ ଭାବେ ବଡ଼ ଚ୍ୟାଲେଞ୍ଜ ହେବ। ଏ ପରିସ୍ଥିତିରେ ତାପମାତ୍ରା ସହନଶୀଳ ଅର୍ଥାତ ୱାର୍ମ ଭ୍ୟାକସିନ ହିଁ ଭାରତ ପାଇଁ ଗେମଚେଞ୍ଜର ହେବ ବୋଲି ଆଶା କରାଯାଉଛି।

Comment