ଓଡ଼ିଶାଲାଇଭ୍ ବ୍ୟୁରୋ
ଉଗ୍ର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆମେରିକାବାସୀ। ଶାନ୍ତ ଓ ନମ୍ରତାକୁ ଅସ୍ତ୍ର କରିଥିବା ଜୋ ବାଇଡେନଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ଆମେରିକାର କୋଟିକୋଟି ଭୋଟର। କେବଳ ଗୋଟେ ଔପଚାରିକ ଘୋଷଣା ଅପେକ୍ଷାରେ ଥିବା ବାଇଡେନ ନିଜର ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିସାରିଲେଣି।
ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ି ହାରୁଥିବା ନେତା ଭାବେ ରେକର୍ଡ କରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ତେବେ ଏଠାରେ ଚର୍ଚ୍ଚା ହେଉଛି ଯେ, ଦ୍ୱିତୀୟ ଥର ପାଇଁ ଆମେରିକା କାହିଁକି ଟ୍ରମ୍ପଙ୍କ ଉପରେ ଭରସା କରିପାରିଲାନି। ଟ୍ରମ୍ପଙ୍କର କେଉଁଠି ଭୁଲ ରହିଲା ଆଉ ବାଇଡେନଙ୍କ ଠାରେ ଆମେରିକାବାସୀ କଣ ଦେଖିଲେ ଯେ, ଢଳିଗଲେ। ମହିଳାମାନଙ୍କ ପ୍ରତି ଟ୍ରମ୍ପଙ୍କ ତାତ୍ସଲ୍ୟଭରା ମନ୍ତବ୍ୟ ଗୋଟେ ପ୍ରମୁଖ କାରଣ ହୋଇପାରେ।
ବିଭିନ୍ନ ସମୟରେ ମହିଳାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି ଟ୍ରମ୍ପ। ସବୁଠାରୁ ବଡ଼ କାରଣ ହେଉଛି, ଆମେରିକାବାସୀ ଚିନ୍ତା କଲେ ଯେ, ଟ୍ରମ୍ପ ମହାମାରୀର ଉଚିତ ମୁକାବିଲା କରିପାରିଲେନାହିଁ। ଫଳରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୩୫ ହଜାର ଲୋକଙ୍କର ଜୀବନ ଯାଇସାରିଲାଣି। ଏପରିକି ସେ କେତେବେଳେ କଣ କହନ୍ତି ତାର ତଥ୍ୟଗତ ମେଳ ନଥାଏ। ଯେଉଁଥିପାଇଁ ଜଣେ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କୁ ବାଛିବାକୁ ଚାହିଁଲେ ଆମେରିକାବାସୀ।![]()
ଟ୍ରମ୍ପଙ୍କ ଶାସନକାଳରେ ଆମେରିକା ଅର୍ଥନୀତିର ଉନ୍ନତି ହୋଇଥିଲେ ମଧ୍ୟ, ଟ୍ରମ୍ପ ଏହାକୁ ଆଗକୁ ଜାରି ରଖିପାରିବେ କି ନାହିଁ ତାକୁ ନେଇ ସନ୍ଦେହରେ ରହିଲେ ଯୁବଭୋଟର। ସେଥିପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକରେ ଟ୍ରମ୍ପଙ୍କୁ ସଫଳତା ମିଳିଲାନାହିଁ। ଖାଲି ସେତିକି ନୁହେଁ ବର୍ଣ୍ଣ ବିଭେଦତା ପାଇଁ କୃଷ୍ଣକାୟ ଆମେରିକୀୟଙ୍କ ସମର୍ଥନ ପାଇବାରେ ସେ ବିଫଳ ହେଲେ।। ବିବାଦୀୟ ବୟାନର ବର୍ଷା ତାଙ୍କ ଚରିତ୍ରକୁ ହାଲୁକା କରିଦେଲା। ଅଯୌକ୍ତିକ, ଅବାସ୍ତବ ଓ ତଥ୍ୟହୀନ ଯୁକ୍ତି ତାଙ୍କର ଭୂମିକାକୁ ଆମେରିକୀୟଙ୍କ ଆଗରେ ପୂର୍ବାପେକ୍ଷା ଅଧିକ ହାଲୁକା କରିଦେଲା। ଯାହାଫଳରେ ଶହେ ବର୍ଷର ରେକର୍ଡ ଭାଙ୍ଗି ସେ ନିର୍ବାଚନ ହାରିବା ଭଳି ସ୍ଥିତି ଉପୁଜିଲା।
ତେବେ ବାଇଡେନ ଜିତିଲେ କାହିଁକି। କେବଳ ଟ୍ରମ୍ପ ହାରିଲେ ନାହିଁ ବୋଲି ବାଇଡେନ ଜିତିଲେ ବୋଲି କହିବା ଆଦୌ ଠିକ୍ ହେବନାହିଁ। ବରଂ ବାଇଡେନ ତାଙ୍କର ନମ୍ରତା ଓ ସ୍ପଷ୍ଟତା ଯୋଗୁ ବୟସାଧିକ୍ୟ ସତ୍ତ୍ୱେ ସବୁ ବର୍ଗର ଭୋଟର ଏପରିକି ନିଜର ସ୍ଥିତି ଖରାପ ଥିବା ଅଞ୍ଚଳଗୁଡ଼ିକରେ ଭୋଟ ହାତେଇବାରେ ସଫଳ ହେଲେ। ସ୍ୱଚ୍ଛ ଓ ଶାନ୍ତ ରାଜନୀତି କରିବାର ପ୍ରତିଶ୍ରୁତି ଦେଇ ସେ ଭୋଟରଙ୍କ ଆସ୍ଥା ଜିତିବାରେ ସକ୍ଷମ ହେଲେ। ଶ୍ୱେତାଙ୍ଗ ଭୋଟ ତୁଳନାରେ କୃଷ୍ଣକାୟ ଭୋଟରେ ଅଭିବୃଦ୍ଧି ତାଙ୍କ ଜିତିବାରେ ସହାୟକ ହେଲା ବୋଲି ସମୀକ୍ଷକଙ୍କ ମତ। ଡେମୋକ୍ରାଟ ଦଳର ମହିଳାଙ୍କ ପ୍ରତି ସମର୍ଥନ ବିଶେଷ କରି କୃଷ୍ଣକାୟ ସମାଜରେ ବିଡେନଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ଜଳମୟ ଓ ସମ୍ଭାବନାମୟ କଲା। ବିଶ୍ୱର ବିଭିନ୍ନ ଦେଶ ସହ ଆମେରିକାର ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଆମେରିକାବାସୀଙ୍କୁ ବାଧ୍ୟ କରିଦେଲା।


















