କପିଳାସ ଭୂୟାଁ

ବଜାରରେ ପରିବା ଦର ଏବେ ଅମୂଲ ମୂଲ! ପ୍ରାୟ ଚାରି ସପ୍ତାହ ତଳେ ସରକାର ଆଳୁ ପିଆଜ ମୂଲ୍ୟକୁ ନିୟନ୍ତ୍ରଣମୁକ୍ତ କରିଦେଲେ। ଅର୍ଥାତ ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ବିବେଚିତ ହେବ ନାହିଁ କି ଏହାର ଦର ବୃଦ୍ଧିକୁ ଆଉ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଚାହିଦା ଓ ଯୋଗାଣ ପରିମାଣ ଉପରେ ଆଳୁ ପିଆଜ ଦର ନିୟନ୍ତ୍ରିତ ହେବ। ଫଳରେ ଆଳୁ ପିଆଜ ଦର କ୍ରମେ ବୃଦ୍ଧି ପାଇବାରେ ଲାଗିଲା ଓ ଶେଷକୁ ପ୍ରାୟ ଦୁଇ ସପ୍ତାହ ତଳେ ଆଳୁ କିଲୋ ପିଛା ଚାଳିଶି ଟପି ଗଲା ବେଳେ ପିଆଜ କିଲୋ ଅଶି ଟଙ୍କା ଛୁଇଁଲା।

ଯେ କୌଣସି ପରିବାରରେ ପ୍ରତିଦିନର ଖାଦ୍ୟ ଆବଶ୍ୟକତା ତୁଲାଇବାରେ ଚାଉଳ, ଡାଲି ଓ ଆଳୁ ପିଆଜର ମୁଖ୍ୟ ଭୂମିକା। ବଜାରକୁ ଗଲେ ଜଣେ ଖାଉଟି ପ୍ରଥମେ ଆଳୁ ପିଆଜ କିଣେ, ଓ ତା’ ପରେ ଅନ୍ୟ କିଛି। ଗତ ରବିବାର ଖୁଚୁରା ବଜାରରେ ଆଳୁ ଦର କିଲୋ ପ୍ରତି ୪୨ ଟଙ୍କା ଥିଲା ବେଳେ ପିଆଜ କିଲୋ ଥିଲା ୮୫ ଟଙ୍କା। ଏପରି ସ୍ଥଳେ ଗରିବ ଲୋକଙ୍କ କଥା ଛାଡ, ଗୋଟିଏ ପାଞ୍ଚଜଣିଆ ମଧ୍ୟବିତ୍ତ ପରିବାର ଚଳିବ କେମିତି? ଗରିବ ପରିବାରଙ୍କୁ ଅବଶ୍ୟ ଟଙ୍କିକିଆ ଚାଉଳ ମିଳୁଛି, ମୁଣ୍ଡ ପିଛା ଡାଲି ମିଳୁଛି, କିନ୍ତୁ ସେ ଭାତ ପାଖରେ କ’ଣ ନେଇ ଖାଇବ?

ଗତ ଦୁଇ ସପ୍ତାହ ହେଲା ପରିବା ବଜାର ବି ଫାଙ୍କା ଥିଲା, ଏବେ ଟିକିଏ ସବୁଜିଆ ଦିଶିଲାଣି। କିନ୍ତୁ ସବୁ ପରିବା ଦାମ ଚଢା, କିଲୋ ପ୍ରତି ୬୦ ଟଙ୍କା ତଳକୁ କିଛି ନାହିଁ! ଏପରିକି କଞ୍ଚା ଲଙ୍କା ଓ କାକୁଡି ମୂଲ୍ୟ ବି ଦୁଇ ଗୁଣ! କାର୍ତ୍ତିକ ମାସ ଗଲେ ହୁଏତ ଏହି ମୂଲ୍ୟରେ କିଛିଟା ସୁଧାର ଆସିପାରେ, କିନ୍ତୁ ଏବେ କେମିତି ଚଳିବ?

ଅବଶ୍ୟ ଦର ବୃଦ୍ଧି ଯୋଗୁ ଯେଉଁ ଅଧିକ ଅର୍ଥ ଖାଉଟି ଦେଉଛନ୍ତି ତାହାର ଲାଭ ଯଦି ଉତ୍ପାଦନକାରୀ ଚାଷୀଙ୍କ ପାଖରେ ପହଞ୍ଚନ୍ତା ତେବେ ହୁଏତ ସମାଜରେ କିଛିଟା ଆର୍ଥିକ ଭାରସାମ୍ୟ ରହନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ସେଭଳି ହେଉନାହିଁ। ମୁନାଫା ଯାଉଛି କତିପୟ ବ୍ୟବସାୟୀଙ୍କ ତହବିଲକୁ। ଏହାର ସୁଧାର କେମିତି ହେବ?

ଆମେ ସମସ୍ତେ ଏବେ ସମୟର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରାୟ ଛ’ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜୀବନ ଜିଇଁବା ଠପ୍ ହୋଇଯାଇଥିଲା କହିଲେ ଚଳେ! ତେଣୁ କାହା ହାତରେ କିଛି କାମ ଧନ୍ଦା ରହିଲା ନାହିଁ। ବିଶେଷକରି ବହୁ ସଂଖ୍ୟାରେ ଯୁବବର୍ଗଙ୍କ ଚାକିରି ମଧ୍ୟ ଗଲା। ସମ୍ପୂର୍ଣ୍ଣ ଲକ୍ ଡାଉନ୍ ସମୟରେ ଜୀବନ ବଞ୍ଚିବା ପାଇଁ ଲୋକେ ହାତରେ ଥିବା ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଲେଣି। ଗୋଟିଏ ପଟେ ଲୋକେ ଭୀଷଣ ସ୍ୱାସ୍ଥ୍ୟ ସଙ୍କଟର ସାମ୍‌ନା କରୁଥିଲା ବେଳେ ଏବେ ଆର୍ଥିକ ସଙ୍କଟ ମଧ୍ୟ ସମସ୍ତଙ୍କୁ ପ୍ରାୟ ଘାଇଲା କରି ରଖିଛି।

ଏପରି ସମୟରେ ଆଳୁ ପିଆଜ ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ!

ବଜାର ନିୟମ ଅନୁଧ୍ୟାନ କଲେ ଜଣାଯାଏ ଯେ ଥରେ କୌଣସି ବସ୍ତୁର ମୂଲ୍ୟ ବୃଦ୍ଧି ଘଟିଲେ ତାହା ଆଉ ସହଜରେ କମେ ନାହିଁ। ଆଗରୁ ଆଳୁ ପିଆଜର ଦାମ୍‌ ବଢ଼ୁଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାଭୁକ୍ତ ହୋଇଥିବାରୁ ସରକାର ଏହାର ଦର ନିୟନ୍ତ୍ରଣ କରି ରଖିପାରୁଥିଲେ। ଏବେ ଚାହିଦା ଓ ଯୋଗାଣ ଭିତ୍ତିରେ ଦର ଧାର୍ଯ୍ୟ ହେବ। ଉଲ୍ଲେଖଯୋଗ୍ୟ କି ଆଳୁ ଓ ପିଆଜ ଆମେ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ରାଜ୍ୟରୁ ଆମଦାନୀ କରୁଛନ୍ତି। କାରଣ ଆମ ରାଜ୍ୟରେ ଏଗୁଡ଼ିକର ଉତ୍ପାଦନ ବିଶେଷ ଭାବେ କରାଯାଏ ନାହିଁ। ଯାହା ଯେତିକି ଦେଶୀ ପିଆଜ ଓ ଆଳୁ ଆମ ରାଜ୍ୟ ଚାହିଦା ଅନୁଯାୟୀ ଅତି କମ୍। ତେଣୁ ଆମ ରାଜ୍ୟରେ ଆଳୁ ପିଆଜର ଚାହିଦା ସବୁବେଳେ ଊର୍ଦ୍ଧ୍ୱମୁଖୀ ହୋଇ ରହିବ ହିଁ ରହିବ। ଏବଂ ଏହି ପରିସ୍ଥିତିର ଫାଇଦା ନେବାକୁ ଲାଭଖୋର ବେପାରୀମାନେ ଯୋଗାଣ ପରିମାଣକୁ ସେମାନଙ୍କର ନିୟନ୍ତ୍ରଣରେ ରଖି ବଜାର ଭାଉକୁ ସବୁବେଳେ ଉପରେ ରଖିବେ। ସରକାର ମଧ୍ୟ ଏହି ପରିସ୍ଥିତିକୁ ଦେଖି ନ ଦେଖିଲା ପରି ରହିବେ।

ଏପରି ସ୍ଥଳେ ସାଧାରଣ ଲୋକେ କରିବେ କ’ଣ? ଆଳୁ ପିଆଜର ଏହି ଦରବୃଦ୍ଧିକୁ ଗ୍ରହଣ କରିବା ପାଇଁ ଲୋକଙ୍କ ଆୟ ମଧ୍ୟ ଅନ୍ତତଃ ଚାରିଗୁଣ ଅଧିକ ହେବା ଦରକାର। କିନ୍ତୁ ସାମଗ୍ରିକ ଭାବେ ସବୁଆଡେ ଆର୍ଥିକ ଚାପ ରହିଥିବା ବେଳେ ଲୋକଙ୍କ ଆୟ ବୃଦ୍ଧି ବା କିପରି ହେବ?

ତେଣୁ ମୋଟାମୋଟି କହିବାକୁ ଗଲେ ଆଳୁ ପିଆଜର ଦର ବୃଦ୍ଧିକୁ ଆମେ ଯଦି ଅର୍ଥନୈତିକ ଲକ୍ଷଣ ଭାବେ ଗ୍ରହଣ କରିବା, ତେବେ ନିର୍ଦ୍ୱନ୍ଦ୍ୱରେ କହିପାରିବା ଯେ ସାଧାରଣ ଭାବେ ଅନ୍ତତଃ ଆସନ୍ତା ଛ’ମାସ ପର୍ଯ୍ୟନ୍ତ ଲୋକ ଯଥେଷ୍ଟ ଅଧିକ ଆର୍ଥିକ ଚାପରେ ରହିବେ ହିଁ ରହିବେ?

ଲକ୍ ଡାଉନ୍ ପରବର୍ତ୍ତୀ ସମୟରେ ଆଗକୁ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଗକୁ ଯେ ଅତି ସଙ୍କଟକର ସମୟ ଆସୁଛି ତହିଁରେ କୌଣସି ସନ୍ଦେହ ନାହିଁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment