ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପ ନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ

  • ବିଜେଡିକୁ ମିଳିଛି ୮୪,୦୯୭ ଭୋଟ୍
  • ବିଜେପିକୁ ମିଳିଛି ୭୦,୭୪୬ ଭୋଟ୍
  • କଂଗ୍ରେସକୁ ମିଳିଛି ୪, ୯୮୩ ଭୋଟ୍

ବାଲେଶ୍ୱର ଉପ ନିର୍ବାଚନରେ ବିଜେଡିର ବିଜୟ। ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ପାଖାପାଖି ୧୪ ହଜାର ଭୋଟରେ ହରାଇ ବିଜୟ ମୁକୁଟ ପିନ୍ଧିଲେ ସ୍ୱରୂପ ଦାସ। ଏଥିସହ ଉତ୍ତର ଓଡ଼ିଶାର ଏହି ନିର୍ବାଚନ ମଣ୍ଡଳୀ ଏବେ ବିଜେପି ହାତରୁ ଖସି ବିଜେଡି କବଜାକୁ ଆସିଛି।

ବାଲେଶ୍ୱର ସଦର ଆସନ ବଜାୟ ରଖିବାକୁ ବିଜେପି ନେତାମାନେ ଜୋରଦାର କସରତ କରିଥିଲେ। ଅନୁକମ୍ପା ଭୋଟ୍ ସାଉଁଟିବାକୁ ଦଳ ଏଠାରେ ସ୍ୱର୍ଗତଃ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ପ୍ରାର୍ଥୀ ମଧ୍ୟ କରିଥିଲା। ହେଲେ ଶେଷରେ ବିଜେଡି ଏହି ଆସନରେ ବାଜିମାତ୍ କରିଛି।

କାମ ଦେଲାନି ଅନୁକମ୍ପା କାର୍ଡ

ବାଲେଶ୍ୱର ଓ ତିର୍ତ୍ତୋଲରେ ଉଭୟ ବିଜେପି ଏବଂ ବିଜେଡି ଅନୁକମ୍ପା କାର୍ଡ ଖେଳିଥିଲେ। ବାଲେଶ୍ୱରରେ ବିଜେପି ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ୍ ଦେଇଥିଲାବେଳେ, ତିର୍ତ୍ତୋଲରେ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା।

ବିଜେଡିର ଏହି ଅନୁକମ୍ପା କାର୍ଡ ତିର୍ତ୍ତୋଲରେ କାମ କରିଥିବାବେଳେ ବିଜୟ ଶଙ୍କର ନୂଆ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବାଲେଶ୍ୱରରେ କିନ୍ତୁ ବିଜେପିର ଏହି ଫର୍ମୁଲା କାମ କରିନି। ବିଜେପି ପ୍ରାର୍ଥୀ ମାନସ ଦତ୍ତ ଉପ ନିର୍ବାଚନରେ ବିଜେଡିକୁ ଟକ୍କର ଦେଇଥିଲେ ମଧ୍ୟ ଶେଷରେ ପରାଜୟ ଭୋଗିଛନ୍ତି।

ଗଡ଼ ଜଗିଥିଲେ ବିଜେଡି ନେତା

ବାଲେଶ୍ୱର ଦଖଲ କରିବାକୁ ବିଜେଡି ଜୋରଦାର କସରତ କରିଥିଲା। ଦଳର ବିଧାୟକ, ମନ୍ତ୍ରୀ, ଛାତ୍ରନେତା, ନିଗମ ଅଧ୍ୟକ୍ଷମାନେ ଭୁବନେଶ୍ୱର ଛାଡ଼ି ବାଲେଶ୍ୱରରେ ଡେରା ପକାଇଥିଲେ। ୱାର୍ଡରୁ ୱାର୍ଡ ଏବଂ ଗାଁକୁ ଗାଁ ବୁଲି ନେତାମାନେ ଡୋର ଟୁ ଡୋର୍ କ୍ୟାମ୍ପେନିଂ କରିବା ସହିତ ଭୋଟରଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସି ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ଭୋଟ୍ ମାଗିଥିଲେ। ଯାହାର ଫଳ ସ୍ୱରୂପ ଦଳ ବିଜୟୀ ହେବାରେ ସଫଳ ହୋଇଛି ବୋଲି କୁହାଯାଇପାରେ।

ଅନ୍ୟପଟେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ଓ ଅପରାଜିତ ଷଡ଼ଙ୍ଗୀ ପ୍ରମୁଖ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ଦଳକୁ ବିଜୟୀ କରିବାରେ ସଫଳ ହୋଇପାରିନାହାନ୍ତି।

ଗତ ୨୦୧୯ ନିର୍ବାଚନରେ ବାଲେଶ୍ୱର ସଦର ଆସନ ବିଜେପି ଖାତାକୁ ଚାଲି ଯାଇଥିଲା। ସାରା ରାଜ୍ୟରେ ଶଙ୍ଖ ବାଜିଥିବା ବେଳେ ବାଲେଶ୍ୱର ଆସନରେ ପଦ୍ମ ଫୁଟିଥିଲା। ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୭୪ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ। ହେଲେ ସାଧାରଣ ନିର୍ବାଚନର ୧୪ ମାସ ପରେ ଗତ ଜୁନ ୧୭ରେ ବାଲେଶ୍ୱରର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏଠାରେ ଉପ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଉପ ନିର୍ବାଚନରେ ବିଜେପି ମଦନଙ୍କ ପୁଅ ମାନସ ଦତ୍ତଙ୍କ ପ୍ରାର୍ଥୀ କରି ଅନୁକମ୍ପା ଭୋଟ୍ ସାଉଁଟିବାକୁ ଲକ୍ଷ୍ୟ ରଖିଥିଲା। ଅନ୍ୟପଟେ ବିଜେଡି ମଧ୍ୟ ଜୀବନ ପ୍ରଦୀପ ଓ ରବୀନ୍ଦ୍ର ଜେନାଙ୍କୁ ବୁଝାସୁଝା କରିବା ପରେ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଦୁଇ ଦଳ ବାଲେଶ୍ୱର ସଦର ଆସନ ଜିତିବାକୁ ଲଗାତାର ପ୍ରଚାର କରିବା ସହିତ ଭୋଟରଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ଷ୍ଟାର ପ୍ରଚାରକଙ୍କ ସହ ନେତା,ମନ୍ତ୍ରୀଙ୍କ ଗହଳିରେ ବାଲେଶ୍ୱର କମ୍ପିଥିଲା। ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ଭୋଟ୍ ହୋଇଥିଲା। ଯେଉଁଥିରେ ବାଲେଶ୍ୱରବାସୀ ସ୍ୱରୂପ ଦାସଙ୍କୁ ନିଜର ନୂଆ ନେତା ବାଛିଛନ୍ତି।

Comment