ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଅଙ୍ଗନବାଡ଼ିରେ ଛୋଟ ପିଲାଙ୍କୁ ଚୂନା ମାଛ ଖାଇବାକୁ ଦିଆଯିବ। ୩ରୁ ୬ବର୍ଷ ବୟସର ଶିଶୁଙ୍କ ସମେତ ଗର୍ଭବତୀ, ପ୍ରସୂତି ଓ କିଶୋରୀମାନଙ୍କୁ ମଧ୍ୟ ଏହା ଯୋଗାଇ ଦିଆଯିବ। ତେଣୁ ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ। ମଙ୍ଗଳବାର ଏଥିପାଇଁ ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି ବିଭାଗ ଓ ୱାର୍ଲଡ ଫିସ୍‌ ମଧ୍ୟରେ ଏକ ବୁଝାମଣପତ୍ର ସ୍ୱାକ୍ଷର ହୋଇଛି।

ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଭର୍ଚୁଆଲ୍‌ ବୈଠକରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି। ମୟୂରଭଞ୍ଜରେ ଯଦି ପ୍ରକଳ୍ପ ସଫଳ ହେବ ତେବେ ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଏହାର ସଂପ୍ରସାରଣ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।“ମାଛରେ ପ୍ରଚୁର ପରିମାଣରେ ଲୌହ, ଜିଙ୍କ୍‌, କ୍ୟାଲସିୟମ୍‌, ଭିଟାମିନ୍‌ (ଏ, ବି, ଡି, ଇ) ଏବଂ ଓମେଗା-୩ ଫ୍ୟାଟି ଏସିଡ୍‌ ମହଜୁଦ ଥାଏ। ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ଦ୍ୱାରା ପୁଷ୍ଟିସାଧନର ଏହି ଅଭିଯାନ ସଫଳ ହେବ”, କହିଛନ୍ତି ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଅନୁ ଗର୍ଗ।

“ମିଶନ ଶକ୍ତିର ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟରେ ଚୂନା ମାଛ ଉତ୍ପାଦନ ଓ ଶୁଖିଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ପୁଷ୍ଟିସାଧନ ଓ ଅର୍ଥନୈତିକ ସୁଯୋଗ ପାଇଁ ଏହି କାର୍ଯ୍ୟକ୍ରମ ଉପଯୋଗୀ ହେବ”, କହିଛନ୍ତି ମିଶନ ଶକ୍ତି କମିସନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍‌।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୱାର୍ଲଡ ଫିସ୍‌ର ବୈଷୟିକ ବିଶେଷଜ୍ଞମାନେ ୬ ମାସ ଭିତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶରେ ସୌରଚାଳିତ ମାଛ ଶୁଖା ଯନ୍ତ୍ର ମାଧ୍ୟମରେ ମାଛ ଶୁଖାଇବା ସମ୍ପର୍କରେ ଜ୍ଞାନକୌଶଳ ଯୋଗାଇବେ। ସ୍ୱଳ୍ପ ମୂଲ୍ୟର ପଲିହାଉସ୍‌ ସୌରଚାଳିତ ମାଛ ଶୁଖା ଯନ୍ତ୍ର ଯୋଗାଇ ଦିଆଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ମତ୍ସ୍ୟସମ୍ବଳକୁ ପୁଷ୍ଟିସାଧନ ପାଇଁ ବିନିଯୋଗ କରାଯିବ।

ଏହି ଅବସରରେ ସଚେତନତା ପାଇଁ ଟିକି ମାଉସୀଙ୍କ ଦ୍ୱାରା ଚୂନା ମାଛ ଖାଇବାର ଉପାଦେୟତା ସମ୍ପର୍କରେ ଏକ ଆନିମେସନ୍‌ ଭିଡିଓକୁ ଉନ୍ମୋଚନ କରାଯାଇଥିଲା।

Comment