ଓଡ଼ିଶାଲାଇଭ୍ ବ୍ୟୁରୋ

ଜମିର କିସମ, ଏହାର ମାଲିକାନା ସ୍ୱତ୍ୱ ଏବଂ ଜମିର ଦେୟ ଧାର୍ଯ୍ୟକୁ ନେଇ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହାର କିପରି ସରଳୀକରଣ କରାଯାଇ ପାରିବ ସେଥିପାଇଁ ରାଜସ୍ୱ ପର୍ଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହି ପ୍ରସ୍ତାବ ସମ୍ପର୍କରେ ମତାମତ ସଂଗ୍ରହ କରିବା ନିମେନ୍ତ ତିନି ଗୋଟି ରାଜସ୍ୱ ଆୟୁକ୍ତଙ୍କ ସ୍ତରରେ ବୈଠକ ଡକାଯାଇ ନିର୍ବାଚିତ ପ୍ରତିନିଧି ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କର ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଉଛି। ଆଲୋଚନା ଅନୁସାରେ, ୭ ହଜାର ୭ଶହ ପ୍ରକାର ଜମି କିସମକୁ ୧୨ଟି ବର୍ଗରେ ବିଭକ୍ତ କରାଯାଇଥିଲା ବେଳେ ୭୫୦ ପ୍ରକାର ସ୍ୱତ୍ୱକୁ ୫ଟିରେ ବର୍ଗୀକରଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନିଲ କୁମାର ସାମଲ କହିଛନ୍ତି ଯେ, “ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଅନେକ ଜନ ହିତକାରୀ ଯୋଜନା ହାତକୁ ନେଇଥିବାବେଳେ ଭୂସଂସ୍କାର କ୍ଷେତ୍ରରେ ସରଳୀକରଣ ବ୍ୟବସ୍ଥା ଲାଗୁକରି ରାଜସ୍ୱ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପଦକ୍ଷେପ ନେଉଛନ୍ତି।” ଏହି ଅବସରରେ ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ କେନ୍ଦ୍ରାଞ୍ଚଳର ୧୦ଗୋଟି ଜିଲ୍ଲାର ଉପସ୍ଥିତ ସାଂସଦ, ବିଧାୟକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାରମାନଙ୍କୁ ଏହି ପ୍ରସ୍ତାବିତ ସରଳୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କର ମତାମତ ନିଆଯାଇଥିଲା।

ରାଜସ୍ୱ ପର୍ଷଦ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ ଏହି ସରଳୀକରଣ ପଦ୍ଧତି ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଏକ ଅଂଶ ବୋଲି ଉଲ୍ଲେଖ କରିଥିଲେ। ଏହାଦ୍ଵାରା ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ କରାଯାଇ ପାରିବ। “ବିଭିନ୍ନ ଜମିର କିସମ ଓ ସ୍ୱତ୍ୱ ତଥା ଦେୟ ବାବଦ ସମସ୍ତ ତଥ୍ୟ ସହଜ ଉପଲବ୍ଧ ହୋଇପାରିବ। ଲୋକ ପ୍ରତିନିଧିମାନଙ୍କର ମତାମତ ଜିଲ୍ଲାପାଳମାନେ ଆଗାମୀ ୧୫ଦିନ ମଧ୍ୟରେ ରାଜସ୍ୱ ଆୟୁକ୍ତଙ୍କ ନିକଟକୁ ପଠାଇଲେ ତାହା ରାଜସ୍ୱ ପର୍ଷଦଙ୍କ ଜରିଆରେ ସରକାରଙ୍କ ଅବଗତି ଓ ଅନୁମୋଦନ ନିମନ୍ତେ ପଠାଯିବ”, କହିଛନ୍ତି ଡକ୍ଟର ବିଜୟ କେତନ ଉପାଧ୍ୟାୟ। ବୈଠକରେ ରାଜସ୍ୱ ପର୍ଷଦର ଯୁଗ୍ମ ସଚିବ ସନ୍ତୋଷୀ ସାହୁ ରାଜସ୍ୱ ପର୍ଷଦରେ ଉପଲବ୍ଧ ବିଭିନ୍ନ ଚକବନ୍ଦୀ, ବନ୍ଦୋବସ୍ତ ଓ ଭୂସଂସ୍କାର ଆଇନର ତର୍ଜମା କରାଯାଇ ପ୍ରସ୍ତୁତ ପ୍ରସ୍ତାବ ସମ୍ପର୍କରେ ପ୍ରୋଜେକ୍ଟର ଜରିଆରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ।

ଏହି ଭିଡିଓ କନ୍‌ଫରେନ୍ସିଂରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ବିଧାୟକ ଯତୀନ୍ଦ୍ରନାଥ ମିତ୍ର, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ରାଜସ୍ୱ ଆୟୁକ୍ତଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ୍, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ଜିଲ୍ଲାର ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ରାଜସ୍ୱ ପର୍ଷଦ ସଚିବ ଡକ୍ଟର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

Comment