ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ଏଥର ଉପମୁଖ୍ୟମନ୍ତ୍ରୀ ହେବେନି ବିଜେପି ନେତା ସୁଶୀଲ ମୋଦୀ।

ବିହାରରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ନୀତିଶରାଜ। ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର, ହେଲେ ଏଥର କିନ୍ତୁ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ହେବେନି ବିଜେପି ନେତା ସୁଶୀଲ ମୋଦୀ। ଗତକାଲି ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବା ତାରକିଶୋର ପ୍ରସାଦ ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ସହ ବିଜେପି ନେତ୍ରୀ ରେଣୁ ଦେବୀ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି।ତେବେ ସୁଶୀଲଙ୍କ ସ୍ଥାନ ଏବେ କେଉଁଠି? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ବିଜେପି ପକ୍ଷରୁ କିଛି ସ୍ପଷ୍ଟ କୁହାଯାଇପାରିନି। ସୁଶୀଲ ଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, କର୍ମୀ ଦାୟିତ୍ୱରୁ ତାଙ୍କୁ କେହି ହଟାଇ ପାରିବେନି। ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ସୁଶୀଲଙ୍କର କେଉଁଠି ନା କେଉଁଠି ଅସନ୍ତୋଷ ରହିଛି। ଟ୍ୱିଟରରେ ସେ ଏହା ଲେଖିବା ପରେ,ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପିର ଶୀର୍ଷ ମହଲରୁ ମିଳୁଥିବା ଖବର ଅନୁସାରେ ସୁଶୀଲଙ୍କୁ ଆଉ ରାଜ୍ୟ ରାଜନୀତିରେ ରଖାଯିବ ନାହିଁ। ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେଇପାରନ୍ତି ନରେନ୍ଦ୍ର ମୋଦୀ।

୨ଟି ଉପମୁଖ୍ୟମନ୍ତ୍ରୀ ପଦବି ସହ ବାଚସ୍ପତି ପଦବି ମଧ୍ୟ ବିଜେପି ପାଖରେ ରହିବ। ଏହାଛଡ଼ା କ୍ୟାବିନେଟରେ କେମିତି ଭାଗବଣ୍ଟା ହେଉଛି ତା ଉପରେ ନଜର ରହିଛି। କାହାକୁ କେଉଁ ମନ୍ତ୍ରାଳୟ ମିଳିବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।ଟାର୍ଗେଟ ୨୦୨୫

ମେଣ୍ଟ ପ୍ରତିଶ୍ରୁତି ଅନୁସାରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ହେବେ। ହେଲେ ସରକାର ଉପରେ ବିଜେପିର ଅଧିକ ନିୟନ୍ତ୍ରଣ ରହିବ। ଜେଡିୟୁ ଏଥର ଶୋଚନୀୟ ପ୍ରଦର୍ଶନ କରିଥିବାରୁ, ଆସନ୍ତା ନିର୍ବାଚନ ବେଳକୁ ଜଣେ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତୁତ କରିବାକୁ ଚାହୁଁଛି ବିଜେପି। ସମ୍ପୂର୍ଣ୍ଣ ବିହାର ଉପରେ ନିୟନ୍ତ୍ରଣ ବିଜେପିର ଟାର୍ଗେଟ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଏଥର ନୀତୀଶଙ୍କ ମ୍ୟାଜିକ କାମ ନ କରିବାକୁ ଗୁରୁତ୍ୱର ସହ ନେଇଛି ଦଳ। ଏହା ସହ ତେଜସ୍ୱୀଙ୍କ ତେଜକୁ ମଧ୍ୟ ଅନୁଭବ କରିଛି ବିଜେପି। କାରଣ ଜଣେ ଯୁବ ନେତୃତ୍ୱ ଉପରେ ମଧ୍ୟ ବିହାରବାସୀ ଭରସା କରିଛନ୍ତି। ତେଣୁ ପରବର୍ତ୍ତୀ ନିର୍ବାଚନ ବେଳକୁ ଜଣେ ଯୁବ ଚେହେରାକୁ ହୁଏତ ବିଜେପି ପ୍ରସ୍ତୁତ କରିପାରେ।

ଜେଡିୟୁର ବିକଳ୍ପ  ଏଲଜେପି, ବିହାର ଇନସାନ ପାର୍ଟି ହୋଇପାରନ୍ତି ବୋଲି ବିଜେପି ବିଚାର କରୁଛି। ଦଳିତ, ଓବିସି ଓ ଜାତି ଆଧାରରେ ଭୋଟର ଧ୍ରୁବୀକରଣ ପାଇଁ ଏଲଜେପି ବିଜେପି ସହ ରହିବ ବୋଲି ବିଜେପିର ବିଶ୍ୱାସ ରହିଛି। ନୀତିଶଙ୍କ ଜେଡିୟୁ ତାର ପୂର୍ବ ଚମକ ହରାଉଛି, ନୀତିଶଙ୍କ ପାଖରେ ଆଉ ଏସବୁକୁ ସଜାଡ଼ିବା ପାଇଁ ସମୟ ନାହିଁ ବୋଲି ବିଜେପିର ହୃଦବୋଧ ହେବା ପରେ ଦଳ ଏପରି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ସୁଶୀଲ ମୋଦୀ ଓ ନୀତିଶଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ଘନିଷ୍ଠତା ଥିବାରୁ ସୁଶୀଲ ବିଜେପିର ଏ ଯୋଜନାକୁ ରୂପରେଖ ଦେବାରେ ସଫଳ ହୋଇ ନ ପାରନ୍ତି ବୋଲି ବିଜେପିର ସନ୍ଦେହ ହୋଇଛି।

Comment