ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବୋଲି ନିଜ ଆତ୍ମଜୀବନୀ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍’ରେ ଲେଖିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିବାକୁ ଭଲ ପାଉଥିଲେ। ଇଣ୍ଡୋନେସିଆରେ ଥିବା ବେଳେ ସେ ଏହି ପବିତ୍ର ଗ୍ରନ୍ଥଗୁଡ଼ିକୁ ଶୁଣୁଥିଲେ। ତେଣୁ ତାଙ୍କ ମନରେ ଭାରତ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍’ରେ ଉଲ୍ଲେଖ କରିଛନ୍ତି।

ଓବାମା ନିଜ ପୁସ୍ତକରେ ଭାରତ ପ୍ରତି ଥିବା ତାଙ୍କ ଆକର୍ଷଣ ବିଷୟରେ ଲେଖିଛନ୍ତି। ସେ କହିଛନ୍ତି, “ଭାରତରେ ବିଶ୍ଵ ଜନସଂଖ୍ୟାର ଏକ ଷଷ୍ଠାଂଶ ଲୋକ ବାସ କରନ୍ତି। ଏଠାରେ ଦୁଇ ହଜାରରୁ ଅଧିକ ସମ୍ପ୍ରଦାୟର ଲୋକ ରହନ୍ତି। ଏଠାକାର ଅଧିବାସୀମାନେ ୭ ଶହରୁ ଅଧିକ ଭାଷାରେ କଥାବାର୍ତ୍ତା କରନ୍ତି। ଭାରତର ଆକାର ଛୋଟ ହେଲେ ମଧ୍ୟ ଏହିସବୁ ବୋଧହୁଏ ମୋତେ ଆକର୍ଷିତ କରିଥାଏ।”ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ୨୦୧୦ ମସିହାରେ ପ୍ରଥମ କରି ଭାରତ ଗସ୍ତରେ ଆସିଥିଲେ। ଏହା ପୂର୍ବରୁ ସେ କେବେ ଭାରତ ଆସିନଥିଲେ। କିନ୍ତୁ ତାଙ୍କ କଳ୍ପନାରେ ଭାରତ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି ବୋଲି ସେ ନିଜ ପୁସ୍ତକରେ ଲେଖିଛନ୍ତି।

“ପିଲାଦିନେ ଇଣ୍ଡୋନେସିଆରେ ଥିବା ସମୟରେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣୁଥିଲି। ଏହା ହୁଏତ ହିନ୍ଦୁ ଧର୍ମ ପ୍ରତି ଥିବା ମୋର ରୁଚି କିମ୍ବା ମୋର ପାକିସ୍ତାନୀ ଓ ଭାରତୀୟ କଲେଜ ବନ୍ଧୁମାନଙ୍କ ପାଇଁ ହୋଇପାରେ। ଏହି ବନ୍ଧୁମାନେ ମୋତେ ଡାଲି ଓ କିମା ବନେଇବା ଶିଖାଇଥିଲେ ଏବଂ ବଲିଉଡ ଫିଲ୍ମ ଦେଖାଇଥିଲେ”, ଓବାମା କହିଛନ୍ତି।ତେବେ ଭାରତ ପ୍ରତି ତାଙ୍କ ଆକର୍ଷଣର ପ୍ରମୁଖ କାରଣ ମହାତ୍ମା ଗାନ୍ଧୀ ବୋଲି ଓବାମା ଲେଖିଛନ୍ତି। ସ୍ଵାଧୀନତା ପାଇଁ ସଫଳ ଅହିଂସା ଆନ୍ଦୋଳନ କରିବା ସହ ଦଳିତ ଓ ନିଷ୍ପେଷିତ ଗୋଷ୍ଠୀଙ୍କ ପାଇଁ ଗାନ୍ଧିଜୀ ଆଶାର ଆଲୋକ ସାଜିଥିଲେ। ତେଣୁ ଆବ୍ରାହମ୍ ଲିଙ୍କନ୍, ମାର୍ଟିନ୍ ଲୁଥର, ନେଲସନ ମଣ୍ଡେଲାଙ୍କ ସହ ମହାତ୍ମା ଗାନ୍ଧୀ ମୋ ଚିନ୍ତାଧାରାକୁ ପ୍ରଭାବିତ କରିଥିଲେ ବୋଲି ଓବାମା ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍‌’ରେ ଉଲ୍ଲେଖ କରିଛନ୍ତି।

‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ୍’ ପୁସ୍ତକରେ ଓବାମା ୨୦୦୮ ରାଷ୍ଟ୍ରପତି ନିର୍ବାଚନୀ ପ୍ରଚାରଠାରୁ ଆରମ୍ଭ କରି ବିଶ୍ଵର ତମାମ ନେତା, ଓସାମା ବିନ୍ ଲାଡେନ୍‌ର ମୃତ୍ୟୁ ଆଦି ବିଷୟରେ ଅନେକ କଥା ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here