ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ ମୁକାବିଲା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
  • ସ୍ୱାସ୍ଥ୍ୟକର୍ମୀ ଓ ଗର୍ଭବତୀ ମହିଳାଙ୍କୁ ଆଗ ମିଳିବ କରୋନା ଟିକା
  • ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଦିଆଯିବ ପ୍ରାଥମିକତା
  • ଟିକା ନଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ପରାମର୍ଶ

କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟିକା ମିଳିବାର ଆଶା ଉଜ୍ଜଳ ହୋଇଛି। ତେଣୁ ଟିକା ଆସିବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହା ପ୍ରଥମେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗ୍ରହ ହେଉଥିବା ଡାଟାବେସ୍ ବେଶ ସହାୟକ ହୋଇପାରିବ। ଯେଉଁ ବ୍ୟକ୍ତିଙ୍କ ପ୍ରତି କରୋନାର ବିପଦ ଅଧିକ ଅଛି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଆଜି କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଥିସହିତ ଟିକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ। ତେଣୁ ମାସ୍କ ବ୍ୟବହାର ସହିତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶ ଏବଂ ନୂଆଦିଲ୍ଲୀରେ ଯେଭଳି କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କତା ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

“ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ  ଜରିଆରେ ଆମେ ଯେପରି ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଲେ, ଟୀକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।matric examକରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କ’ଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟୀକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରିଥିଲେ।କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ। ମାଛ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଚାଷ କ୍ଷେତ୍ରରେ ସବସିଡି  ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମବାୟ ସଚିବ ସତ୍ୟବ୍ରତ ସାହୁ ଖରିଫ ଧାନ ସଂଗ୍ରହ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୪,୯୭,୦୦୦ ଚାଷୀ ରେଜିଷ୍ଟ୍ରେସନ କରିଥିବାବେଳେ  ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି  ଏବଂ ଡିସେମ୍ବର ମାସ ସୁଦ୍ଧା ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Comment