ଓଡ଼ିଶାଲାଇଭ୍ ବ୍ୟୁରୋ

ବିପଦରେ ଅଛନ୍ତି ବନ୍ୟଜନ୍ତୁ। ଚମଡ଼ା, ଶିଙ୍ଗ, ଦାନ୍ତ ସମେତ ମାଂସ ପାଇଁ ସବୁଦିନ ଚାଲିଛି ଅବାଧ ପଶୁ ଶିକାର। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହାକୁ ନେଇ ଚିନ୍ତା। ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ହେଉଛି, କ୍ୟାମେରା ଲାଗିଛି। ତଥାପି ଚାଲାକ ଶିକାରୀ ଖସିଯାଉଛନ୍ତି। ଏହାକୁ ରୋକିବା ପାଇଁ, ଶିକାରୀଙ୍କ ଗତିବିଧି ସମ୍ପର୍କରେ ତତକ୍ଷଣାତ୍ ସୂଚନା ପାଇବା ପାଇଁ ଅନ୍ତର୍ଜାତୀୟ ସଂରକ୍ଷଣ ସଂସ୍ଥା ‘ଜୁଲୋଜିକାଲ ସୋସାଇଟି ଅଫ୍ ଲଣ୍ଡନ’ ଏକ ନୂଆ କୌଶଳ ଗନସଟ୍ ଟେକ୍ନୋଲୋଜି ପ୍ରସ୍ତୁତ କରିଛି।

ଏଥିରେ ଗୁଗୁଲ କ୍ଲାଉଡ ସହାୟତା କରୁଛି। ଆଗକୁ ଏହା ପଶୁ ଶିକାରକୁ ରୋକିବା ଦିଗରେ ଅନେକ ସହାୟତା କରିବ ବୋଲି ଆଶା କରାଯାଉଛି। ଏଥିରେ ଆକଷ୍ଟିକ ସାଉଣ୍ଡ ସେନସର ଲଗାଯିବ। ଏହା ବିଭିନ୍ନ ପ୍ରକାର ସାଉଣ୍ଡ ରେକର୍ଡ କରିବ। ଗୋଟିଏ ସେନସର ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଶବ୍ଦ ରେକର୍ଡ କରିପାରିବ। ଏହା ପରେ ଏହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଗୁଗୁଲ କ୍ଲାଉଡ ସହାୟତାରେ ସମୀକ୍ଷା କରାଯାଇ ସେଥିରେ ବନ୍ଧୁକ ଶବ୍ଦ ଅଛି କି ନାହିଁ ଜଣାପଡ଼ିବ। ଏଥିରୁ ପରବର୍ତ୍ତୀ ଶିକାରକୁ ରୋକିବା ସହ ଶିକାର ହଟସ୍ପଟକୁ ମଧ୍ୟ ଚିହ୍ନଟ କରାଯାଇପାରିବ।

ଜୁଲୋଜିକାଲ ସୋସାଇଟି ଅଫ୍ ଲଣ୍ଡନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଏହାକୁ ପୂର୍ବ ଚିହ୍ନଟ ହଟସ୍ପଟ, ପାଟ୍ରୋଲିଂ ଏରିଆ ଓ ବିକ୍ଷିପ୍ତ ଭାବେ ଚିହ୍ନଟ ଅଞ୍ଚଳରେ ଲଗାଇବାକୁ ପଡ଼ିବ। ରେକର୍ଡ ହୋଇଥିବା ଶବ୍ଦରୁ ପଶୁ ଶିକାର ରୋକିବା ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରିବ। ଆଗକୁ ମଣିଷର ପାଦଶବ୍ଦ ରେକର୍ଡ କରିବା ପାଇଁ ମଧ୍ୟ କୌଶଳ ବିକଶିତ କରାଯାଉଛି। ଏହା ସଫଳ ହେଲେ, ଜଙ୍ଗଲ ଭିତରେ ମଣିଷର ଗତିବିଧିକୁ ମଧ୍ୟ ରେକର୍ଡ କରାଯାଇପାରିବ। ଫଳରେ ବନବିଭାଗ କୋର୍ ଏରିଆ, ସଂରକ୍ଷିତ ଏରିଆରେ ପଶୁ ପକ୍ଷୀଙ୍କ ବ୍ୟତୀତ ଆଉ କାହାର ଅନୁପ୍ରବେଶକୁ ସହଜରେ ଚିହ୍ନଟ କରିପାରିବ।

ଏବେ ବିଭିନ୍ନ ଦେଶରେ ପଶୁ ଶିକାର ରୋକିବା ପାଇଁ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟରେ କ୍ୟାମେରା ଲଗାଯାଉଛି। ଏହା ବ୍ୟୟବହୁଳ ହେବା ସହ କେବଳ କ୍ୟାମେରା ଲେନ୍ସର ସାମ୍ନାରେ ଯାଉଥିବା ଶିକାରୀ କିମ୍ବା ସନ୍ଦେହଜନକ ଗତିବିଧିକୁ ରେକର୍ଡ କରିବ। ତେବେ ଏହି ନୂଆ କୌଶଳ ଅନୁସାରେ ଗୋଟିଏ ସାଉଣ୍ଡ ରେକର୍ଡ ସେନସର ପାଇଁ ମାତ୍ର ୪,୧୫୬ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ତେଣୁ ଏହାକୁ ବହୁଳ ପରିମାଣରେ ଲଗାଯିବା ସହ ବିସ୍ତୃତ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଇପାରିବ। ଏହି ଗନସଟ୍ ଟେକ୍ନୋଲୋଜି ପୂର୍ବରୁ ଆମେରିକା ପୋଲିସ ଦ୍ୱାରା ବ୍ୟବହାର ହୋଇଆସୁଛି। ଏବେ ଏହାକୁ ପଶୁ ଶିକାର ରୋକିବା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଛି।

Comment