ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଶୁକ୍ରବାର ଜୟପୁର ସଦର ପୋଲିସ ପାତ୍ରପୁଟ ବ୍ରିଜ୍ ନିକଟରେ ଚଢ଼ାଉ କରି ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ମିନିଟ୍ରକକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି।
ଗତକାଲି ଏକ ନମ୍ବରବିହୀନ ମିନିଟ୍ରକରେ ଲମତାପୁଟରୁ ଅନୁଗୁଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଜୟପୁର ସଦର ପୋଲିସକୁ ଖବର ମିଳିଥିଲା। ସୂଚନା ଅନୁଯାୟୀ ପୋଲିସ ପାତ୍ରପୁଟ ବ୍ରିଜ୍ ନିକଟରେ ଉକ୍ତ ମିନିଟ୍ରକ ଉପରେ ଚଢ଼ାଉ କରିବା ସହ ସେଥିରୁ ୨୫୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ସ୍ଵାଧୀନ ନାୟକ (୩୭), ଅନନ୍ତ ଭୋଇ (୨୭), ଅନୁଗୁଳ ଜିଲ୍ଲାର ବଳିୟାରଭୁଝ ସାହୁ (୩୨) ଓ ଦେଓଘରର ସୁବ୍ରତ କୁମାର ପ୍ରଧାନ (୩୨)। ଏମାନଙ୍କଠାରୁ ନଗଦ ୩୮ ହଜାର ଟଙ୍କା ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ଅଦିତ୍ୟ ମହାକୁଡ଼ ପ୍ରକାଶ କରିଛନ୍ତି।