ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ।

ରାଜ୍ୟରେ ସ୍କୁଲ୍ ବନ୍ଦ ଘଟଣାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତଫସିଲଭୁକ୍ତ ଅଞ୍ଚଳର ଯେଉଁ ସ୍କୁଲରେ ୧୫ ଜଣରୁ କମ୍ ପିଲାଥିବେ ସେହି ସ୍କୁଲକୁ ବନ୍ଦ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯାହାକୁ ବିରୋଧୀ ବିଜେପି ଓ କଂଗ୍ରେସ ନିନ୍ଦା କରିଛନ୍ତି।

ସ୍କୁଲ ବନ୍ଦ ହେବା ଘଟଣାକୁ ନେଇ ଗତ ୩ ଦିନ ହେଲା ବିଧାନସଭା ଉଠୁଛି ପଡୁଛି। ବିରୋଧୀମାନେ ଏହାକୁ ମୌଳିକ ଅଧିକାରର କ୍ଷୁର୍ଣ୍ଣ ବୋଲି କହୁଥିବାବେଳେ ରାଜ୍ୟ ସରକାର ଏହାକୁ କେନ୍ଦ୍ରୀୟ ଆଇନ୍ ବୋଲି କହୁଛନ୍ତି। ଏପରି ସ୍ଥିତିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୋମବାର ଏନେଇ ସିଧାସିଧା ଗୃହରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି।

ସେ କହିଛନ୍ତି ଯେ, ତଫସିଲଭୁକ୍ତ ଅଞ୍ଚଳର ଯେଉଁ ସ୍କୁଲରେ ୧୫ ଜଣରୁ କମ୍ ଛାତ୍ରଥିବେ ଏହାକୁ ପାଖ ସ୍କୁଲରେ ମିଶାଇ ଦିଆଯିବ। ରାଜ୍ୟ ସରକାର ଏହିଭଳି ୭,୭୭୨ଟି ସ୍କୁଲକୁ ଚିହ୍ନଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଇନ୍ ଅନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଅଣତଫସିଲ୍ ଭୁକ୍ତ ଅଞ୍ଚଳର ଯେଉଁ ସ୍କୁଲରେ ୨୦ ଜଣ ପିଲା ନଥିବେ ତାକୁ ମଧ୍ୟ ମିଶ୍ରଣ କରାଯିବ ବୋଲି କୁହାଯାଇଛି।ବିରୋଧୀଙ୍କ ହୋ ହୋଲ୍ଲା

ରାଜ୍ୟରେ ସ୍କୁଲ ମିଶ୍ରଣର ଏହି ନୂଆ ନିୟମକୁ ନେଇ ପ୍ରଥମରୁ ହିଁ ବିରୋଧୀ ବିଜେପି ଓ କଂଗ୍ରେସ ହୋ ହାଲ୍ଲା କରିଥିଲେ। ସ୍କୁଲ ବନ୍ଦ ହୋଇଗଲେ ପିଲାମାନେ ପଢ଼ିବେ କେଉଁଠି ଓ କରିବେ କଣ ବୋଲି ବିରୋଧୀମାନେ ପ୍ରଶ୍ନ କରିଥିଲେ। ଏପରିକି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ବାଚସ୍ପତିଙ୍କ ଡେସ୍କ ଉପରକୁ ଚଢ଼ିଆସି ସାମ୍ନାରେ ଥିବା କାଚକୁ ମଧ୍ୟ ଭାଙ୍ଗିଦେଇଥିଲେ। ଏହାପରେ ବାଚସ୍ପତି ଗଣଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆତ୍ମହତ୍ୟା ଧମକ ଦେଲେ ତାରା

ରାଜ୍ୟ ସରକାର ଯଦି ସ୍କୁଲ ବନ୍ଦ ପ୍ରସଙ୍ଗରେ ନିଜ ନିଷ୍ପତ୍ତି ନବଦଳାନ୍ତି, ତେବେ ବିଧାନସଭାରେ ଭିତରେ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ ଆଦିବାସୀ ଅଧୁଷିତ ଅଞ୍ଚଳରେ ଏପରି ଅନେକ ସ୍କୁଲ ଅଛି। ଯଦି ଏହି ସ୍କୁଲ ବନ୍ଦ ହୋଇଯିବ ତେବେ ପିଲାମାନଙ୍କର ପାଠପଢ଼ାରେ ବାଧା ସୃଷ୍ଟି ହେବ। ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ବଦଳାଇବାକୁ ସେ ଦାବି କରିଥିଲେ।

୧୪ ହଜାର ନୁହେଁ ୭ ହଜାର ସ୍କୁଲ ହେବ ବନ୍ଦ

ପ୍ରଥମେ ରାଜ୍ୟ ସରକାର ୪୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୧୪ ହଜାର ସ୍କୁଲରେ ତାଲା ଝୁଲିବ ବୋଲି କୁହାଯାଇଥିଲା। ଯାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ। ଏହାପରେ ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଥିଲେ। ୪୦ ବଦଳରେ ଯେଉଁ ସ୍କୁଲରେ ୧୫ ପିଲା ଥିବେ ସେହି ସ୍କୁଲ ହିଁ କେବଳ ବନ୍ଦ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ରାଜ୍ୟରେ କେବଳ ୭,୭୭୨ ସ୍କୁଲ ବନ୍ଦ ହେବ ବୋଲି କୁହାଯାଇଛି।

Comment