ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ଆଳରେ କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ।

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ସ୍ୱଚ୍ଛ ଭାରତ ମିଶନରେ ସରକାର ଲୋକଙ୍କୁ ପାଇଖାନା ତିଆରି କରିବାକୁ ଟଙ୍କା ଦେଉଛନ୍ତି; ହେଲେ ସରକାରୀ ବାବୁମାନେ ଏହାକୁ ଆତ୍ମସାତ କରିବାରେ ଲାଗିଛନ୍ତି। ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ସରକାରୀ ଅଧିକାରୀମାନେ ସ୍ୱଚ୍ଛ ଭାରତ ମିଶନ ଆଳରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ନେଇ ଅଭିଯୋଗ ଆସିଛି।

ମଙ୍ଗଳବାର ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ମହାଦୁର୍ନୀତିକୁ ପଦାକୁ ଆଣିଛନ୍ତି।

ସେ କହିଛନ୍ତି ଯେ, ଶୌଚାଳୟ ନିର୍ମାଣକୁ ଚଳିତ ଶତାବ୍ଦୀର ମହାଦୁର୍ନୀତି ବୋଲି କୁହାଯାଇପାରିବ। ସରକାରୀ ବାବୁମାନେ ଲୋକଙ୍କୁ ସେମାନଙ୍କ ଟଙ୍କା ଦେବା ବଦଳରେ ନିଜେ ଏହି ଟଙ୍କା ଲୁଟି ଖାଉଛନ୍ତି। ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ ମଧ୍ୟରୁ କେବଳ ଝରିଗାଁ ବ୍ଲକରେ ମାତ୍ର ୬୦ ପ୍ରତିଶତ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ବାକି ଶୌଚାଳୟ ନିର୍ମାଣ ନକରି ଏ ବାବଦ ଅନୁଦାନକୁ ଆତ୍ମସାତ କରାଯାଇଥିବା ପ୍ରଦୀପ ମାଝି ଅଭିଯୋଗ ଆଣିଛନ୍ତି।

ଝରିଗାଁ ବ୍ଲକର ୨୩ଟି ପଞ୍ଚାୟତରେ ମୋଟ ୨୯ ହଜାର ୧୧୧ ଶୌଚାଳୟ ନିର୍ମାଣ ହେବାକୁ ଥିଲା। ଏବେ ସୁଦ୍ଧା ସେଠାରେ ୨୮ହଜାର ଶୌଚାଳୟ ସମ୍ପୂର୍ଣ୍ଣ ହୋଇଯାଇଥିବା କହି ଏବାବଦ ଅର୍ଥ ଉଠାଣ କରାଯାଇଛି। ହେଲେ ଏହା ଭିତରେ ଅନେକ ଦୁର୍ନୀତି ଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସର କହିବା ମୁତାବକ, ୬୦ ପ୍ରତିଶତ ପାଇଖାନାରେ ୧୨ ହଜାର ବଦଳରେ ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ବାକି ୪୦ ପ୍ରତିଶତ ଶୌଚାଳୟର ମିଥ୍ୟା ବିଲ୍ କରାଯାଇ ଏବାବଦ ଅନୁଦାନକୁ ସରକାରୀ ବାବୁମାନେ ଚଳୁ କରିଦେଇଛନ୍ତି।

ଖୋଦ୍ ଝରିଗାଁ ବ୍ଲକ୍ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଗୋଟିଏ ପାଇଖାନା ପିଛା ୨ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏବେ ସୁଦ୍ଧା ମୋଟ ୨୬ ହଜାର ୩୫୫ ଶୌଚାଳୟ ନିର୍ମାଣ ହୋଇଥିବା ଦର୍ଶାଇ ବିଡ଼ିଓ ୫ କୋଟି ୨୭ଲକ୍ଷ ୧୦ହଜାର ଟଙ୍କା ଲାଞ୍ଚ ନେଇଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ଏହି ଦୁର୍ନୀତି ବାବଦରେ ଖୁଲାସା କରି ପ୍ରଦୀପ ମାଝୀ ଆଉ ଏକ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଗୋଟିଏ କିମି ଦୂରରେ ଥିବା ବନ୍ଦୀଗୁଡା ଗାଁରେ ମାତ୍ର ୭ଟି ପରିବାର ବାସ ରହୁଥିବାବେଳେ ସେଠାରେ ୩୯ଟି ଶୌଚାଳୟ ନିର୍ମାଣ ହୋଇଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି। ସେହିପରି ସୋରିଷଭଟ୍ଟା ଗାଁରେ ମାତ୍ର ୧୧ଟି ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ୪୬ଟି ଶୌଚାଳୟ ବାବଦରେ ଅର୍ଥ ଉଠାଣ କରାଯାଇଛି ବୋଲି ସେ କହିଛନ୍ତି।

ଏହାସହ ଆହୁରି ଚର୍ଚ୍ଚାର ବିଷୟ ଯେ, ଦୁଇଟି ଗାତ ଖୋଳିବା ବଦଳରେ ବିନା ଟାଙ୍କିରେ ପାଇଖାନା ନିର୍ମାଣ କରାଯାଉଛି। ଏଥିରେ ଝାଡ଼ଖଣ୍ଡ ଓ ବିହାରର ଠିକାଦାରମାନେ ନିୟୋଜିତ ଅଛନ୍ତି। କେବଳ ଝରିଗାଁ ବ୍ଲକରେ ୩୧କୋଟି ୬୨ଲକ୍ଷ ୬୦ହଜାର ଟଙ୍କା ଅନୁଦାନରୁ ୨୧କୋଟିର ବାଟମାରଣା ହୋଇଛି। ତେବେ ଜିଲ୍ଲାର ଅନ୍ୟ ବ୍ଲକକୁ ହିସାବକୁ ନେଲେ ଦୁର୍ନୀତି ୩ଶହ କୋଟିକୁ ଟପିଯିବ ବୋଲି ପ୍ରଦୀପ ମାଝୀ କହିଛନ୍ତି।

ଏଥିସହ ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା ଯେପରି ଫେରସ୍ତ ମିଳିବ ସେନେଇ ମଧ୍ୟ କଂଗ୍ରେସ ପ୍ରୟାସ କରିବ। ତା’ସହ ଅର୍ଥ ଆତ୍ମସାତ ଅଭିଯୋଗରେ ୨୪ଘଣ୍ଟା ଭିତରେ ଝରିଗାଁ ବିଡ଼ିଓଙ୍କୁ ନିଲମ୍ବନ ସହ ଗିରଫ କର।ନଗଲେ ଲୋକମାନେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସମେତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପରୀ ସାହୁ , ଦିଲ୍ଲୀପ ବେହେରା, ଲାଲୁ ତ୍ରିପାଠୀ, ବୃନ୍ଦାବନ ତ୍ରିପାଠୀ , ଅଖିଳ ଭତ୍ରା, ଅବଦୁଲ ଫିରୋଜ, ସୁମିତ ପୂଜାରୀ , ପଦ୍ମନାଭ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Comment