ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ଜିଲ୍ଲାର ଅନନ୍ୟ କ୍ଷେତ୍ର ମହାବିନାୟକ ମନ୍ଦିର। ଦୂର ଦୂରାନ୍ତରୁ ଆସନ୍ତି ପର୍ଯ୍ୟଟକ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ମନ୍ଦିର। ପାହାଡ଼ କୋଳରେ ମନ୍ଦିର, ଝର ଝର ଝରି ଆସୁଥିବା ଝରଣା, ଅସଂଖ୍ୟା ମାଙ୍କଡ଼ ଓ ଚଢ଼େଇମାନଙ୍କ କିଚିରି ମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ ଏହି ସ୍ଥାନକୁ। ଅନ୍ୟ ପର୍ଯ୍ୟଟନ ସ୍ଥାନ ଭଳି ଏଠି ଯେ କେବଳ ଶୀତଦିନରେ ଭିଡ଼ ଦେଖାଯାଏ ତାହା ନୁହେଁ ବରଂ ଏଠି ବର୍ଷକ ବାରମାସ ଭିଡ଼ ଥାଏ।

ଏହିଠାରେ ଥିବା ପାଞ୍ଚ ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କାରଣ ଏଠାରେ ଗୋଟଏ କ୍ଷେତ୍ରରେ ଶିବ, ବିଷ୍ଣୁ, ଦୂର୍ଗା, ସୂର୍ଯ୍ୟ ଓ ଗଣପତିଙ୍କର ଅପୂର୍ବ ମିଳନ ଘଟିଛି। ଅନ୍ୟ କେଉଁ ସ୍ଥାନରେ ଏହିଭଳି ପଞ୍ଚଦେବଙ୍କ ମିଳନ ଦେଖିବାକୁ ମିଳେ ନାହିଁ।

ସେହିପରି ପାହାଡ଼ ଶିଖରରେ ଥିବା ବନଦୁର୍ଗା ମନ୍ଦିର ବି ଏଠାର ଆଉ ଏକ ଆକର୍ଷଣ। ଏହି ମନ୍ଦିରକୁ ଯିବାକୁ ହେଲେ ୨୦୦ରୁ ଅଧିକ ପାହାଚ ଚଢ଼ି ଯିବାକୁ ପଡ଼େ। ପାହାଡ଼ ଘଞ୍ଚ ଜଙ୍ଗଲ ଦେଇ ଏହି ମନ୍ଦିରକୁ ଯିବା ବେଳେ ହୁଏତ ଟିକିଏ ଡର ଲାଗିପାରେ କିନ୍ତୁ ଏହାର ଏକ ନିଆରା ଅନୁଭୂତି ମଧ୍ୟ ପାଇପାରିବେ। ମହାବିନାୟକ ମନ୍ଦିର ନିକଟରେ ଆପଣ ହନୁମାନ ମନ୍ଦିର ଓ ଚଣ୍ଡି ମନ୍ଦିର ବି ଦେଖିବାକୁ ପାଇବେ। ଏହି ମନ୍ଦିର ବୁଲିବା ସମୟରେ ଆପଣଙ୍କ ମାଙ୍କଡ଼ ହଇରାଣ କରିପାରନ୍ତି। ଆପଣଙ୍କ ଜିନିଷ ଓ ପ୍ରସାଦ ମଧ୍ୟ ମାଙ୍କଡ଼ ଛଡ଼ାଇ ନେଇ ଯାଇପାରନ୍ତି। ତେଣୁ ଆପଣଙ୍କୁ ଏଠି ବୁଲାବୁଲି କରିବା ସମୟରେ ଟିକଏ ସାବଧାନ ରହିବାକୁ ପଡ଼ିବ।

ମହାବିନାୟକରେ ପ୍ରମୁଖ ଉତ୍ସବ

ଏହି ସ୍ଥଳରେ ବର୍ଷକ ବାର ବିଭିନ୍ନ ପ୍ରକାର ପୂଜା ଅର୍ଚ୍ଚନା ଚାଲିଥାଏ। ହେଲେ ଶିବରାତ୍ରୀ, ଗଣେଶ ଚତୁର୍ଥୀ, ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଶ୍ରାବଣର ପ୍ରତି ସୋମବାରକୁ ପ୍ରମୁଖ ଉତ୍ସବ ଭାବେ ପାଳନ କରାଯାଏ।  ମୁଖ୍ୟତଃ ମହାଶିବରାତ୍ରିରେ ଏଠାରେ ୫ ଦିନ ଧରି ମେଳା ଚାଳିଥାଏ। ଦୋକାନ ବଜାରରେ ପୂରା ପରିସର ଭର୍ତ୍ତି ହୋଇଥାଏ। ଏଠାକୁ ବହୁ ଦୂର ଦୂରାନ୍ତରୁ ଲୋକ ଆସନ୍ତି। ଏହାଛଡ଼ା ପିକନିକ ସିଜିନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।

ମହାବିନାୟକ ମନ୍ଦିରକୁ ନେଇ ପୌରାଣିକ କଥା

ପୌରାଣିକ କଥା ଅନୁସାରେ ମହାଦେବ ଶିବ ଯେତେବେଳେ ଗଣେଷଙ୍କର ମସ୍ତକ ଛେଦନ କରିଥିଲେ ଗଣେଶଙ୍କ ମୁଣ୍ଡ ଏହି ପର୍ବତ ଉପରେ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଏହାକୁ ମହାବିନାୟକ କ୍ଷେତ୍ର ଭାବେ ଲୋକଜନରେ ଆଦୃତ ହେଲା।

କୁହାଯାଏ କି ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ମହାବିନାୟକ ପାହାଡ଼ରେ ଆତ୍ମଗୋପନ କରିଥିଲେ ।

କେମିତି ଆସିବେ?

ଟ୍ରେନ, ବସ‌, ବାଇକ୍‌ ମାଧ୍ୟମରେ ମହାବିନାୟକକୁ ଯାଇପାରିବେ ପର୍ଯ୍ୟଟକ। ଏହି କ୍ଷେତ୍ର ୧୬ ନମ୍ୱର ଜାତୀୟ ରାଜପଥଠାରୁ ମାତ୍ର ୪ କିମି ଦୂରରେ ରହିଛି। ପର୍ଯ୍ୟଟକମାନେ ପ୍ରଥମେ ଚଣ୍ଡିଖୋଲ ଛକରେ ଓହ୍ଲାଇ ଏହି ମନ୍ଦିରକୁ ଯାଇପାରିବେ।

ଆପଣ ଯଦି ଟ୍ରେନରେ ଆସିବାକୁ ଚାହିଁବେ ତେବେ ହରିଦାସପୁର ବା ଧାନମଣ୍ଡଳ ଷ୍ଟେସନରେ ଓହ୍ଲାଇ ଅଟୋରେ ଯିବାକୁ ପଡ଼ିବ। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏଠାରେ ପର୍ଯ୍ୟଟକମାନେ ବଣ ଭୋଜି ମଧ୍ୟ କରିଥାନ୍ତି।

Comment