ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବେଙ୍ଗାଳୁରୁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ାର ମନୁ ବେହେରା। ଅଳ୍ପକିଛିଦିନ ତଳେ ସେ ଦାଦନ ଖଟିବାକୁ ବେଙ୍ଗାଳୁରୁ ଯାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତରାସ ଗାଁର ମନୁ ବେହେରା। ବେଙ୍ଗାଳୁରୁର ଏକ କମ୍ପାନିରେ ପାଇପ ମିସ୍ତ୍ରୀଭାବେ କାମ କରନ୍ତି। କରୋନା ପାଇଁ କିଛିଦିନ ତଳେ ମନୁ ଗାଁକୁ ଫେରିଆସିଥିଲେ। ବୁଢ଼ା ବାପା, ମା, ସ୍ତ୍ରୀ, ପିଲାଙ୍କ ପାଞ୍ଚ କୁଟୁମ୍ଵକୁ ନେଇ ମନୁଙ୍କ ପରିବାର। କୋଭିଡ ନିୟମ ଅନୁସାରେ ପ୍ରଥମେ ସଙ୍ଗରୋଧରେ ରହି ମନୁ ଘରକୁ ଫେରିଲେ। ଯାହା କିଛି ଟଙ୍କା ରୋଜଗାରକରି ଆଣିଥିଲେ ଲକ୍‌ଡାଉନ, ସଟ୍‌ଡାଉନ ଭିତରେ ଘର ଚଳାଇବାରେ ସବୁ ସରିଗଲା।

ନିଜ ମାଟିରେ କାମ ଦିଆଯିବ। ଆଉ କେହି ଦାଦନ ଖଟିବାକୁ ବାହାରକୁ ଯିବେନି ବୋଲି ସରକାର ନାନା ଆଶ୍ଵାସନା ଦେଲେ। ମନରେଗାରେ ସମସ୍ତଙ୍କୁ କାମ ମିଳିବ। କିନ୍ତୁ ବାସ୍ତବରେ ତାହା ହୋଇପାରିଲା ନାହିଁ। ଗାଁ ସରପଞ୍ଚଙ୍କ କାମ ତ ଦୂରର କଥା ଗଛ ଲଗାଇବାରେ ମଧ୍ୟ କାହାକୁ ନିୟୋଜିତ କରିଲେ ନାହିଁ। ତେଣୁ ସରପଞ୍ଚଙ୍କ ସହ ଝଗଡ଼ା କରି ମନୁ ପୁଣି ବେଙ୍ଗାଳୁରୁ ଯିବାକୁ ମନସ୍ଥ କଲେ।

ଧାର କରଜ କରି ପରିବାର ମୁହଁରେ କେତେଦିନ ଦାନା ଦେବେ ଭାବି ସାଙ୍ଗସାଥିମାନଙ୍କ ସହିତ ମନୁ ବେଙ୍ଗାଳୁରୁ ଚାଲିଆସି ରୋଜଗାର ଆରମ୍ଭ କରିଥିଲେ। ହେଲେ ନିଷ୍ଠୁର ଦଇବ ମନୁଙ୍କ ଏହି ସୁଖ ବେଶିଦିନ ଦେଖିଲେନି। ନଭେମ୍ଵର ୧୫ ତାରିଖରେ ମନୁ ଏକ ପାଣି ପାଇପ୍ କାମ କରିବାକୁ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଗୁରତର ହୋଇପଡିଥିଲେ। ସାଙ୍ଗସାଥିମାନେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ୨୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ମନୁଙ୍କ ମୃତ୍ୟୁ ଖବରପାଇ ପରିବାର ଲୋକଙ୍କ କାନ୍ଦବୋବାଳିରେ ଏବେ ଗାଁ ଦାଣ୍ଡ ଫାଟିପଡୁଛି।

Comment