ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ କୁମାର ପାଠକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଆଇଏଫ୍‌ଏସ୍‌ ଅଭୟଙ୍କୁ ଗିରଫ କରିଛି। ବାପାଙ୍କ ସମ୍ପତ୍ତିର ଅପବ୍ୟବହାର କରୁଥିବାରୁ ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଗିରଫ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ଏପିସିସିଏଫ୍) ଅଭୟକାନ୍ତ ପାଠକଙ୍କ ନାଁରେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆସିଥିଲା। ଏହାପରେ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ଘଟଣାର ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ବଛା ବଛା ଅଫିସର ଓ କର୍ମଚାରୀଙ୍କୁ ନେଇ ୧୫୦ ଅଧିକାରୀ ୧୨ଟି ଟିମ୍‌ରେ ବିଭକ୍ତ ହୋଇଥିଲେ। ଭୁବନେଶ୍ଵରରରେ ଥିବା ଅଭୟଙ୍କ କାର୍ଯ୍ୟାଳୟ ଓ ଘର ସମେତ ୫ଟି ସ୍ଥାନ ଏବଂ ମହାରାଷ୍ଟ୍ରର ପୁନେ, ମୁମ୍ବାଇର ୬ଟି ସ୍ଥାନ, ବିହାରରେ ଥିବା ପୈତୃକ ଘରକୁ ମିଶାଇ ମୋଟ୍ ୧୩ଟି ସ୍ଥାନରେ ବୁଧବାର ଚଢ଼ାଉ କରିଥିଲା ଭିଜିଲାନ୍ସ।

ଏହି ଚଢ଼ାଉରୁ ଭିଜିଲାନ୍ସକୁ ଦାମୀ ଗାଡ଼ି, ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ନଗଦ କୋଟି କୋଟି ଟଙ୍କା ମିଳିଥିଲା। ଏଥିସହିତ ଅଭୟଙ୍କ ପୁଅ ଆକାଶ କୁମାର ପାଠକ ବାପାଙ୍କର ଏହି ସମ୍ପତ୍ତିର ଅପବ୍ୟବହାର କରୁଥିବା ମଧ୍ୟ ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏଥିପାଇଁ ଗୁରୁବାର ଆକାଶଙ୍କୁ ଭିଜିଲାନ୍ସ ଅଟକ ରଖି ଜେରା କରିଥିଲା। ଶୁକ୍ରବାର ବାପ-ପୁଅ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଅଭୟଙ୍କ ପୁତୁରା ଏବଂ ଡ୍ରାଇଭରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା କରୁଛି।

Comment