ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏଥିସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ବିଧାନସଭା ପ୍ରଶ୍ନକାଳରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପାଠକ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହାପରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ତେଣୁ ବାଚସ୍ପତି ପୁଣି ଥରେ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହାପରେ ପ୍ରବଳ ହୋ ହଲ୍ଲା ମଧ୍ୟରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଥିଲା। ଏଥିରେ ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ମିଳିଥିଲା।ଏହାପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ପ୍ରସ୍ତାବ ଆଣିଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିଧାୟକ ଅମର ଶତପଥୀ ପ୍ରମୁଖ ସମର୍ଥନ କରିଥିଲେ। କିନ୍ତୁ ବିରୋଧୀ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ବିରୋଧ କରିଥିଲେ।

ତାରା କହିଛନ୍ତି ଯେ, ବିଧାନସଭାରେ ଆଲୋଚନା ହେବା ପାଇଁ ଅନେକ ପ୍ରସଙ୍ଗ ରହିଥିଲା। ଅନେକ ସମସ୍ୟା ଉପସ୍ଥାପନ କରିବା ବାକି ଥିଲା। ଏହାଛଡ଼ା ଅନେକ ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇନାହିଁ। ତେଣୁ ବିଧାନସଭାକୁ ଚଲେଇବା ଦରକାର। ଏମିତି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିବା ଠିକ୍ ନୁହେଁ।

Comment