ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ବଙ୍ଗୀୟ ଅଭିନେତ୍ରୀ ରଚନା ଡେବ୍ୟୁ କରିଥିବା ସମୟରେ ଆହୁରି କିଛି ବଙ୍ଗୀୟ ନାୟିକା ବି ଏଠି ଏଣ୍ଟ୍ରି କରିଥିଲେ। ରଚନା ଓଲିଉଡରେ ବେଶ ସଫଳ ହୋଇଥିଲେ। କିନ୍ତୁ ତାଙ୍କ ସମସାମୟିକ ଅଭିନେତ୍ରୀଙ୍କ ମଧ୍ୟରୁ କିଛି ଜଣ ନିଜର ଅଭିନୟ ବଳରେ ଓଲିଉଡରେ ରାଜ କରୁଥିବା ବେଳେ ଆଉ କିଛି ଜଣ ସେତେଟା ସଫଳତା ପାଇନଥିଲେ।

ଶ୍ରୀଲେଖା

ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖାଙ୍କ କିଛି ଫିଲ୍ମ ଦେଖିଥିଲେ ଦର୍ଶକ। ତାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ‘ଶାଶୂ ହାତ  କଡ଼ି ଭାଉଜ ବେଡ଼ି’। ଏଥିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୯୯ରେ  ରିଲିଜ ହୋଇଥିଲା। ସେହିପରି ୨୦୦୭ରେ ଫିଲ୍ମ ‘ଚକା ଚକା ଭଉଁରୀ’ରେ ସୁପରଷ୍ଟାର ସିଦ୍ଧାନ୍ତଙ୍କ ମହାପାତ୍ରଙ୍କ ସହ ସେ ନଜର ଆସିଥିଲେ। ହେଲେ ଶ୍ରୀଲେଖାଙ୍କୁ ଏଠି ସେତେଟା ସଫଳତା ମିଳିନାହିଁ କି ସେ ଅଧିକ ଫିଲ୍ମ ଅଭିନୟ କରିବାର ସୁଯୋଗ ପାଇଲେ ନାହିଁ।

ରୁପା ଗାଙ୍ଗୁଲି

ଅଭିନେତ୍ରୀ ରୁପା ଗାଙ୍ଗୁଲି ବେଶ ପରିଚିତ ଚେହେରା।  ବିଆର ଚୋପ୍ରାଙ୍କ ମହାଭାରତରେ ସେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ। ରୂପା ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ରଣଭୂମି’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ‘ରଣଭୂମି’ରେ ରୂପାଙ୍କୁ ଓଲିଉଡର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏହାପରେ ରୂପା ଗାଙ୍ଗୁଲି ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି।

ୠତୁପର୍ଣ୍ଣା ସେନଗୁପ୍ତା

ସେ ସମୟରେ ଓଡ଼ିଆ ଫିଲ୍ମ ପରିଚିତି ହାସଲ କରିଥିଲେ ବଙ୍ଗୀୟ ଅଭିନେତ୍ରୀ ୠତୁପର୍ଣ୍ଣା ସେନଗୁପ୍ତା। ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ ‘କଥା ଦେଇଥିଲି ମା’କୁରେ ୠତୁପର୍ଣ୍ଣାଙ୍କ ଦେଖିଥିଲେ ଦର୍ଶକ। ଏହି ଫିଲ୍ମ ଛଡ଼ା ତାଙ୍କୁ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୋପରେ ବଢ଼ୁଛି କଳା କହ୍ନେଇରେ ବି ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୧୯୯୪ରେ ରିଲିଜ ହୋଇଥିଲା।

ସେହିପରି ବିଜୟ ଭାସ୍କରଙ୍କ ଫିଲ୍ମ ‘କୋଟିଏ ମଣିଷ ଗୋଟିଏ ଜଗା’ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସେ ଓଲିଉଡରେ ବେଶୀ ଦିନ ତିଷ୍ଠି ପାରିନଥିଲେ। ତେବେ ଓଲିଉଡରେ ସବୁଠୁ ଅଧିକ ଦିନ ତିଷ୍ଠିବା ସହିତ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀଙ୍କ ଭିତରେ କେବଳ ରଚନା ବାନାର୍ଜୀ ଅଛନ୍ତି। ସେ ସମୟରେ ତାଙ୍କର ଏହି ରେକର୍ଡକୁ ଅନ୍ୟ କୌଣସି ବଙ୍ଗୀୟ ଅଭିନେତ୍ରୀ ଭାଙ୍ଗି ପରିନଥିଲେ।

Comment