ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର):ନବରଙ୍ଗପୁର ଜିଲ୍ଲାରେ ଉଦଘାଟିତ ହେଲା ଖରିଫ ଧାନ ମଣ୍ଡି। ମଙ୍ଗଳବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ଚଳିତ ବର୍ଷ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ଦାମ ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ‘ ଏ ‘ ଶ୍ରେଣୀର ଧାନ କୁଇଣ୍ଟାଲ ପିଛା ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ୫୫ଟି ସ୍ଥାୟୀ ଓ ଅସ୍ଥାୟୀ ଧାନ ମଣ୍ଡି ଦ୍ୱାରା ଚାଷୀମାନେ ତାଙ୍କର ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।ସେହିପରି ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ କହିଛନ୍ତି, “ଜିଲ୍ଲାର ଚାଷୀ ଯେମିତି ମଣ୍ଡିରେ ହଇରାଣ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ଵ ଦିଆଯାଇଛି। ଚାଷୀମାନେ ଠିକ୍ ସମୟରେ ଯେମିତି ତାଙ୍କ ପ୍ରାପ୍ୟ ପାଇବେ ଓ ଚାଷୀଙ୍କ ସ୍ୱାର୍ଥରେ କୌଣସି ଆଞ୍ଚ ନ ଆସିବ ସେଥିପ୍ରତି ଧ୍ୟାନ ଦିଆଯାଇଛି।”

ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧକ୍ଷ ଭାସ୍କର ରଇତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆରଏମସି ସଂପାଦକ ଶଶାଙ୍କ ଶେଖର ସାହାଣୀ, ସିଏସଓ ସଞ୍ଜୀବ କୁମାର ସାହୁ, ଏସିଏସଓ ଦୁର୍ଗା ପ୍ରସାଦ ମାଝୀ,ନବରଙ୍ଗପୁର ଲ୍ୟାମ୍ପ ଏମଡି ଅରୁଣ ମହାପାତ୍ର, ମିଲ ମାଲିକ ସଂଘ ସଭାପତି ରାମା ରାଓ,ଏଆରସି ଏସ ଚନ୍ଦ୍ର ସେଠିଆ, ଝାଡେଶ୍ୱର ଖଡାଙ୍ଗା,ମଣ୍ଟୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ସେଠାରେ ୭୦ ହଜାର ୮ ଶହ ମେଟ୍ରିକ ଟନ୍ ଧାନ କିଣାଯିବ କରାଯିବ। ଚଳିତ ବର୍ଷ  ଜିଲ୍ଲାରେ ୭୬ ଜଣ ମିଲର ଧାନ ମଣ୍ଡିରେ ଧାନ କ୍ରୟ କରିବା ପାଇଁ ସହମତି ପ୍ରକାଶ କରିଥିବା ବେଳେ ବର୍ତମାନ ସୁଦ୍ଧା ୫୨ ଜଣ ମିଲର ସେମାନଙ୍କ ସିକ୍ୟୁରିଟି ଟଙ୍କା ଜମା କରିଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜିଲ୍ଲାରେ ମୋଟ ୩୦,୧୦୬ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment