ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭର୍ଚୁଆଲ ମେଲୋଡି କାର୍ଯ୍ୟକ୍ରମରେ ଶ୍ରୋତାଙ୍କୁ ବହୁ ହିଟ୍‌ ଗୀତ ଭେଟି ଦେଉଛନ୍ତି ମେଲୋଡି କୁଇନ ଇରା ମହାନ୍ତି।

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ) : କରୋନା ପାଇଁ ଏବେ ସବୁ ମଞ୍ଚ କାର୍ଯ୍ୟକ୍ରମ ବନ୍ଦ। ଏଥରୁ ବାଦ ପଡ଼ିନି ମେଲୋଡି। ତେବେ ସିଧା ସଳଖ ନହେଲେ ବି ଭର୍ଚୁଆଲ ମୋଡ୍‌ରେ ଲୋକଙ୍କୁ ମେଲୋଡିର ମଜା ଦେଉଛନ୍ତି ଓଡ଼ିଶାର ଜଣାଶୁଣା ଲୋକପ୍ରିୟ ଗାୟିକା ଇରା ମହାନ୍ତି। ଏଥିପାଇଁ ସେ ତାଙ୍କ ଅଫିସିଆଲ ଫେସବୁକ୍‌ ପେଜ୍‌ରେ ଏକ ଲାଇଭ୍‌ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ମନସୁନ୍‌ କ୍ରିଏଟିଭ୍‌ ପ୍ରାୟୋଜିତ ଇରାଙ୍କ କାର୍ଯ୍ୟକ୍ରମର ନାଁ ରହିଛି ‘ଇରାଜ୍‌ ମେଲୋଡି‘। ୧୧୩ ସିଗ୍ନେଚର ଷ୍ଟୁଡିଓରୁ ଶ୍ରୋତାଙ୍କୁ ସିଧାସଳଖ ଓଡ଼ିଆ ଭଜନ, ଆଧୁନିକ ଓ ବଲିଉଡର ସୁନ୍ଦର ସୁନ୍ଦର ଗୀତ ଭେଟି ଦେଉଛନ୍ତି ଇରା।

ବିଭିନ୍ନ ଗୀତକୁ ନେଇ ଏହି କାର୍ଯ୍ୟକ୍ରମ ହେଉଛି। ଜଣେ ଶ୍ରୋତା ଏଠାରେ ନିଜ ମନ ପସନ୍ଦର ଗୀତ ଶୁଣି ପାରୁଛନ୍ତି। ଶ୍ରୋତା କମେଣ୍ଟ ବକ୍ସରେ ନିଜ ପସନ୍ଦର ଗୀତ ପାଇଁ ଅନୁରୋଧ କରୁଛନ୍ତି। ଏହାପରେ ଶ୍ରୋତାଙ୍କ ଅନୁରୋଧର ଗୀତ ନିଜେ ଗାଇ ଶୁଣାଉଛନ୍ତି ଇରା ମହାନ୍ତି। ଏହି କାର୍ଯ୍ୟକ୍ରମରେ ଇରାଙ୍କ ସହିତ ଅନ୍ୟ ଗାୟକ ମଧ୍ୟ ଯୋଗ ଦେଉଛନ୍ତି।

ର୍ପୂବରୁ ନଭେମ୍ବର ୨୩ରେ ଏହି ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଇରାଙ୍କ ସହିତ ସିଙ୍ଗର ବବି ରାଜ୍‌ ମଧ୍ୟ ଉପସ୍ଥିତ ଥିଲେ। ବଲିଉଡର ବହୁ ଲୋକପ୍ରିୟ ଗୀତ ସବୁ ଶ୍ରୋତାଙ୍କୁ ଭେଟି ଦେଇଥିଲେ ଇରା ମହାନ୍ତି ଓ ବବି ରାଜ୍‌।

‘‘ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ଏହା ଗୋଟିଏ ମାଧ୍ୟମ। ଯେହେତୁ ଏବେ କିଛି ମଞ୍ଚ ନାହିଁ ସେଥିପାଇଁ ମୁଁ ଏହି ଭର୍ଚୁଆଲ ମେଲୋଡି କାର୍ଯ୍ୟକ୍ରମ କରୁଛି। ଏଯାଏଁ ଦୁଇଟି କାର୍ଯ୍ୟକ୍ରମ ହୋଇଛି। ଆଗକୁ ଏଭଳି ଅନେକ କାର୍ଯ୍ୟକ୍ରମ ନେଇ ଆସିବାକୁ ଯୋଜନା ରହିଛି। ଲୋକେ ସୋସିଆଲ ମିଡିଆରେ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରୁଛି’’, କହିଛନ୍ତି ଇରା ମାହାନ୍ତି।

ପୂର୍ବରୁ ଇରା ସୋସିଆଲ ମିଡିଆରେ ଏତେ ସିକ୍ରିୟ ନଥିଲେ। ଏବେ କିନ୍ତୁ ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅଛନ୍ତି। ସେ ତାଙ୍କ ମେଲୋଡି କାର୍ଯ୍ୟକ୍ରମ କରିବା ପୂର୍ବରୁ ଏକ ପ୍ରମୋସାନାଲ ଭିଡିଓ ନିଜ ପେଜରେ ପୋଷ୍ଟ କରି ଶ୍ରୋତାଙ୍କୁ ଆମନ୍ତ୍ରଣ କରୁଛନ୍ତି। ଇରାଙ୍କ ଏହି ଭର୍ଚୁଆଲ ମେଲୋଡି କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗ ମଧ୍ୟ ଦେଉଛନ୍ତି।

ଇରା ମହାନ୍ତି  ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ମେଲୋଡି ମଞ୍ଚରୁ କ୍ୟାରିୟର ଆରମ୍ଭ କରି ଏବେ ଜଣେ ଖ୍ୟାତନାମା ପ୍ଲେ ବ୍ୟାକ୍‌ ଗାୟିକା ଭାବେ ପରିଚିତି ହାସଲ କରିଛନ୍ତି। ସୁନ୍ଦର ଗାୟନ ଶୈଳୀ ପାଇଁ ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବରେ ବେଶ୍‌ ଜଣାଶୁଣା ହୋଇପାରିଛନ୍ତି। ବହୁ ଫିଲ୍ମରେ କଣ୍ଠଦାନ କରି ସେ ସମସ୍ତଙ୍କ ପ୍ରିୟ ଗାୟିକା ହୋଇଛନ୍ତି। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନିଜ ଆଦର୍ଶ ମାନି ସେ ଆଗକୁ ବଢ଼ି ଚାଲିଛନ୍ତି।

Comment