ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗର ୬୫ ଲକ୍ଷ ଠକେଇ କରିଛନ୍ତି ଆକାଶ ପାଠକ।

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆକାଶ ଟ୍ରାଭେଲ୍ସ କମ୍ପାନିର ୬୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛି। ଏବାବଦରରେ ଟ୍ରାଭେଲ୍ସ କମ୍ପାନି ସ୍କାଏ କିଙ୍ଗ ପକ୍ଷରୁ ଖାରବେଳ ନଗର ଥାନାରେ ମାମଲା ରୁଜୁ କରାଯାଇଛି। ଟ୍ରାଭେଲ ଏଜେନ୍ସି ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ବାକି ଟଙ୍କା ଆଦାୟ ପାଇଁ ଯେତେବେଳେ ତାଙ୍କ କର୍ମଚାରୀ ଯାଇଥିଲେ ସେମାନଙ୍କୁ ପାଠକ ଓ ତାଙ୍କ ପୁଅ ଧମକ ଦେଇଥିଲେ।ଚାର୍ଚର ପ୍ଲେନ୍‌ରେ ଉଡ଼ିବା ଏବଂ ହୋଟେଲ ବୁକିଂ ବାବଦକୁ ସ୍କାଏ କିଙ୍ଗର ୬୫ ଲକ୍ଷ ଟଙ୍କା ବାକି ରଖିଛନ୍ତି ଆକାଶ। ସ୍କାଏ କିଙ୍ଗର ସଂସ୍ଥା ମୁଖ୍ୟଙ୍କ କହିବା ଅନୁସାରେ, ଆକାଶ ପାଠକ ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ସ୍କାଏ କିଙ୍ଗ ଟ୍ରାଭେଲ୍ସରୁ ଲଗାତାର ପ୍ଲାଇଟ ବୁକିଂ କରୁଥିଲେ। ଏପରିକି ସେ ଟାଟା ମୋଟର୍ସ ନାଁରେ ଜିଏସ୍‌ଟି ମଧ୍ୟ ଦେଉଥିଲେ। ଚାର୍ଚର ପ୍ଲେନ୍‌ରେ ଯାତାୟତ ଏବଂ ହୋଟେଲ ବୁକିଂ ବାବଦକୁ ଆକାଶଙ୍କ ମୋଟ୍ ବିଲ୍‌ ହୋଇଥିଲା ୨କୋଟି ୭୮ ଲକ୍ଷ ୩୯୦୮୭ ଟଙ୍କା। ଏଥିରୁ ସେ ସଂସ୍ଥାକୁ ୨ କୋଟି ୧୩ ଲକ୍ଷ ୨୨୮୫୪ ଟଙ୍କା ପୈଠ କରିଥିଲା ବେଳେ ବାକି ରହିଥିଲା ୬୫ ଲକ୍ଷ ୧୬୨୩୩ ଟଙ୍କା। ଏତେଗୁଡ଼ାଏ ଟଙ୍କା ବାକି ରଖିଥିବାରୁ ଆଉ ଚାର୍ଚର ପ୍ଲେନ୍‌ ବୁକିଂ କରିବାକୁ ସଂସ୍ଥା ମନା କରିଦେଇଥିଲା।ତେବେ ନଭେମ୍ଵର ୨୫ରେ ଆକାଶ ଟାଟା ମୋଟର୍ସର ଏମ୍‌ଡି ନଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ ପ୍ରଭାସ କୁମାର ଚୌଧୁରୀ। ଏହାପରେ ଆକାଶ ତାଙ୍କ ସଂସ୍ଥାର ବାକି ରଖିଥିବା ଟଙ୍କା ପାଇଁ ସେ ଖାରବେଳ ଥାନାରେ ମାମଲା ଦେଇଛନ୍ତି। ବୁଧବାର ପୋଲିସ ଟ୍ରାଭେଲ୍ସ ସଂସ୍ଥାକୁ ଯାଇ ଅଧିକ ଖୋଳତାଡ଼ କରିଛି। ସେଠାରୁ ଆକାଶଙ୍କ ସମସ୍ତ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ।ପାଠକ ବାପା-ପୁଅଙ୍କ କଳା ସାମ୍ରାଜ୍ୟର ଲମ୍ଵା ଗୁମର

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କ କଲା ସାମ୍ରାଜ୍ୟର ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ଠକେଇ ମାମଲାରେ ବାପଙ୍କୁ ବଳିଯାଇଛନ୍ତି ଆକାଶ। ପୂର୍ବରୁ ଆକାଶଙ୍କ ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ଟଙ୍କା ଥିବା ନେଇ ଭିଜିଲାନ୍ସ ସୂଚନା ଦେଇଥିଲା। ଏବେ କିନ୍ତୁ ପ୍ରକୃତରେ ତାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଜମା ଅଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

Comment